28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଭକ୍ତିର ଶକ୍ତି; ୨ଟି ଯାକ ଗୋଡ଼ ନାହିଁ, ତଥାପି ଅମରନାଥଙ୍କ ଦର୍ଶନ

ଭକ୍ତିର ଶକ୍ତି; ୨ଟି ଯାକ ଗୋଡ଼ ନାହିଁ, ତଥାପି ଅମରନାଥଙ୍କ ଦର୍ଶନ

ଜମ୍ମୁ: ଇଚ୍ଛାଶକ୍ତି ଥିଲେ ଜଣେ ଦିବ୍ୟାଙ୍ଗ ବି ପାହାଡ଼ ଚଢ଼ିପାରେ । ଏହାର ଏକ ବଳିଷ୍ଠ ଉଦାହରଣ ସାଜିଛନ୍ତି ରାଜସ୍ଥାନର ଆନନ୍ଦ ସିଂହ । ଆନନ୍ଦ ସିଂହ ଗତ ୨୦୦୨ ମସିହାରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ନିଜର ଦୁଇଟି ଯାକ ଗୋଡ ହରାଇଛନ୍ତି । ତାଙ୍କ ଜୀବନ ବଞ୍ଚାଇବା ପାଇଁ ଜଙ୍ଘ ତଳକୁ ୨ଟି ଯାକ ଗୋଡ଼ କାଟିବାକୁ ଡାକ୍ତର ବାଧ୍ୟ ହୋଇଥିଲେ । ତେବେ ସେ ୨୦୧୦ରେ ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ । ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ସେ ୨୦୧୦ରେ ବାବା ଅମରନାଥଙ୍କ ଦର୍ଶନ କରିବାକୁ ଆସିଥିଲେ ।

ସେବେଠାରୁ ସେ ପ୍ରତିବର୍ଷ ବାବା ଅମରନାଥଙ୍କ ଦର୍ଶନ ପାଇଁ ଆସୁଥିବା କହିଛନ୍ତି । ୨୦୧୩ରେ କେଦାରନାଥରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା କାରଣରୁ ଏବଂ ୨୦୨୦ରେ କରୋନା ସଂକ୍ରମଣଜନିତ କଟକଣା କାରଣରୁ ସେ ବାବାଙ୍କ ଦର୍ଶନ ପାଇଁ ଆସିପାରିନଥିଲେ । ଅର୍ଥାତ୍ ଗତ ୧୪ ବର୍ଷ ମଧ୍ୟରେ ସେ ପ୍ରାୟ ୧୨ବର୍ଷ ଧରି ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଅମରନାଥ ଯାତ୍ରାରେ ସାମିଲ ହୋଇଆସୁଛନ୍ତି । ତାଙ୍କ ମଧ୍ୟରେ ଥିବା ପ୍ରଚଣ୍ଡ ଶିବଭକ୍ତି ତାଙ୍କୁ ୩୮୮୦ ମିଟର ଉଚ୍ଚ ପାହାଡ଼ ଚଢ଼ି ବାବା ଅମରନାଥଙ୍କ ଦର୍ଶନ କରିବା ଭଳି ଅସାଧ୍ୟ କାର୍ଯ୍ୟ ପାଇଁ ମଧ୍ୟ ପ୍ରେରିତ କରିଆସୁଛି ବୋଲି ସେ କହନ୍ତି । ବାବାଙ୍କ ଆଶୀର୍ବାଦ ବିନା ସେ ଏସବୁ କରିପାରିନଥାନ୍ତେ ବୋଲି ଅନୁଭବ କରୁଥିବା କହିଛନ୍ତି । ବାବାଙ୍କ ଆଶୀର୍ବାଦରୁ ସେ ବିନା କୌଣସି ବାଧାବିଘ୍ନରେ ଗତ ୧୨ ବର୍ଷ ଧରି ବାବାଙ୍କ ଦର୍ଶନ ସଫଳତା ପୂର୍ବକ କରୁଛନ୍ତି । ଏଥର ମଧ୍ୟ ସେ ବାବା ଅମରନାଥଙ୍କ ଦର୍ଶନ କରିବାରେ ସଫଳ ହୋଇଛନ୍ତି ଏବଂ ନିଜ ଜୀବନ ସାର୍ଥକ ହେଲା ବୋଲି ନି ପ୍ରତିକ୍ରିୟାରେ କହିଛନ୍ତି ।

ରିପୋର୍ଟ ଅନୁସାରେ ୩ୟ ପର୍ଯ୍ୟାୟରେ ପ୍ରାୟ ୬ହଜାର ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି । ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଯାତ୍ରୀମାନେ ବାହାରି ହିମାଳୟ ଚଢ଼ି ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି । ଏମାନଙ୍କ ମଧ୍ୟରେ ଆନନ୍ଦ ସିଂହ ମଧ୍ୟ ଅନ୍ୟତମ ଶ୍ରଦ୍ଧାଳୁ ଭାବେ ବାବାଙ୍କ ଦର୍ଶନ କରିଛନ୍ତି । ଯେପର୍ଯ୍ୟନ୍ତ ଭଗବାନଙ୍କ ଆଶୀର୍ବାଦ ରହିଥିବ ସେପର୍ଯ୍ୟନ୍ତ ସେ ଯାତ୍ରା ଜାରି ରଖିବେ ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ ସେ କହିଛନ୍ତି । ସୂଚନାଯୋଗ୍ୟ, ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ପାଲଗାମରେ ଅବସ୍ଥିତ ବାବା ଅମରନାଥଙ୍କ ଗୁମ୍ଫାରେ ବରଫ ଲିଙ୍ଗକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଚଳିତବର୍ଷ ଅଗଷ୍ଟ ୧୯ ତାରିଖରେ ଯାତ୍ରା ଶେଷ ହେବ । ୧୫୦ ବର୍ଷ ତଳେ ଜଣେ ମୁସଲମାନ ମେଷ ପାଳକଙ୍କ ଦ୍ୱାରା ଏହି ଗୁମ୍ଫା ଠାବ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking