ବଲାଙ୍ଗୀର : ଜନ୍ମ କଲା ମା ନିଜ ଛୁଆକୁ ଟେକି ଦେଲା ଆଉ ଜଣଙ୍କ ହାତକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରଖୋଲ ବ୍ଲକ ଲାଠୋର ଥାନା ସାନଗୁର୍ଜିଭଟା ଗାଁର ପାଲିପଡାରେ । ଅମୃତ ନାଗ ଓ ଅରୁଣାବତୀ ନାଗଙ୍କ ପୂର୍ବରୁ ୫ ଟି ପୁଅଝିଅ ଥିଲେ । ଗତ ୨ତାରିଖରେ ଅରୁଣାବତୀ ସୁନାମୁଦୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟା ଜନ୍ମଦେଇଥିଲେ । ତାପରଦିନ ଆଶା କର୍ମୀ ଆସି ଦେଖିଲା ବେଳକୁ ଶିଶୁକନ୍ୟା ନଥିବାରୁ ପଚାରିବାରୁ ଗରିବି ପାଇଁ ତାଙ୍କ ନିଃସନ୍ତାନ ସମ୍ପର୍କୀୟଙ୍କୁ ଶିଶୁକୁ ଟେକିଦେଇଥିବା କହିଥିଲେ ଅରୁଣାବତୀ । ଆଶାକର୍ମୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଚର୍ଚ୍ଚା ଜୋର ଧରିଥିଲା । ଆଜି ଶିଶୁସୁରକ୍ଷା ଅଧିକାରୀ ଓ ପୋଲିସ ଗାଁରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ତିନିଦିନ ମଧ୍ୟରେ ଶିଶୁକନ୍ୟାକୁ ପ୍ରଶାସନକୁ ହସ୍ତାନ୍ତର କରିବେ ବୋଲି ଶିଶୁସୁରକ୍ଷା ଅଧିକାରୀ ଙ୍କୁ ଲିଖିତ ପ୍ରତିଶୃତି ଦେଇଛନ୍ତି ମା ଅରୁଣାବତୀ ।