ଭୁବନେଶ୍ୱର: ରାଜ୍ୟରେ କୌଣସି ବର୍ଗ ଆମ ସରକାରଙ୍କ ପାଇଁ ଅବହେଳିତ ହେବେ ନାହିଁ। ବିଶେଷକରି ‘ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତା’ଙ୍କ ପାଇଁ ଅଧିକ ଧ୍ୟାନ ଦିଆ ଯାଇଛି। ଏହି ବଜେଟ୍ ହେଉଛି ‘ସମୃଦ୍ଧ ଓଡ଼ିଶା’ ନିର୍ମାଣ ପାଇଁ ଏକ ରୋଡ୍ ମ୍ୟାପ୍। ରାଜ୍ୟର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଜିଲ୍ଲା ପାଇଁ କିଛି ନା କିଛି ଯୋଜନା ଘୋଷଣା କରାଯାଇଛି। ଏପରକି ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଅଭିଯୋଗ ମଧ୍ୟ ତଥ୍ୟ ସମ୍ବଳିତ ନୁହେଁ। ତେଣୁ, କୌଣସି ବିରୋଧୀ ଦଳ ସଦସ୍ୟ ଆମ ବଜେଟ୍କୁ ସମାଲୋଚନା କରି ପାରୁ ନାହାନ୍ତି କେବଳ ରାଜନୀତି କରୁଛନ୍ତି। ମଙ୍ଗଳବାର ବିଧାନସଭାରେ ବଜେଟ୍ ୨୦୨୬-୨୭ ପାଇଁ ହୋଇଥିବା ସାଧାରଣ ଆଲୋଚନା ଉପରେ ବିରୋଧୀଙ୍କୁ ଟାର୍ଗଟ୍ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ବଜେଟ୍ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ। ଏହି ବଜେଟ୍ ଓଡ଼ିଶାବାସୀଙ୍କ ଭବିଷ୍ୟତର ବଜେଟ୍। ଏହି ବଜେଟ ଉପସ୍ଥାପିତ ହେବା ପରେ ବୋଧହୁଏ ବିରୋଧୀଙ୍କ ବିରୋଧ କରିବା ପାଇଁ କିଛି ନାହିଁ, ତେଣୁ, ଗୃହକୁ ଅଚଳ କରିବା ମାର୍ଗକୁ ସେମାନେ ବାଛି ନେଇଛନ୍ତି। ଯଦି ସରକାର ଓ ବିରୋଧୀଙ୍କ ଭିତରେ ସଠିକ୍ ଆଲୋଚନା ହେଉଥାନ୍ତା ତେବେ ଚାଷୀଙ୍କ ବିକାଶ ପାଇଁ ଆହୁରି ବହୁତ କିଛି ବାହାରିପାରନ୍ତା। ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି । ଏହି ବଜେଟ୍ ଅଟକଳ ମଧ୍ୟରୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ ମୋଟ୍ ବଜେଟ୍ ଅଟକଳର ରେକର୍ଡ ୫୮ ପ୍ରତିଶତ। ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ବିକାଶର ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ବଜେଟ ପ୍ରସ୍ତୁତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟ୍ରେ ଆକଳନ କରାଯାଇଥିବା ୭୨ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୫ ପ୍ରତିଶତ। ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ। ଆମେ ଏହି ବଜେଟରେ କେତେକ ନୂତନ ଏକ୍ସପ୍ରେସ ୱେ ଯଥା ବ୍ରହ୍ମପୁର-ଜୟପୁର ରାଜପଥ, ଗଜପତିରୁ ଅମ୍ବାଭୋନାକୁ ଯୋଡୁଥିବା ନମୋ ଏକ୍ସପ୍ରେସ୍ୱେ, ରସୁଲଗଡ଼ରୁ-ନାନପୁର,ରଘୁନାଥପୁର ପର୍ଯ୍ୟନ୍ତ ୪-ଲେନ୍ ଏକ୍ସପ୍ରେସ ୱେ ଏବଂ ମାଲକାନଗିରିର ମୋଟୁରୁ ମୟୂରଭଞ୍ଜର ତିରିଙ୍ଗିକୁ ସଂଯୋଗ କରୁଥିବା ଅଟଳ ଏକ୍ସପ୍ରେସ୍ ୱେ ନିର୍ମାଣ ପାଇଁ ପୁଞ୍ଜି ବିନିଯୋଗ ବ୍ୟବସ୍ଥା କରିଛୁ। ତତ୍ସହିତ, ଭୁବନେଶ୍ୱର ସ୍ଥିତ ଅନେକ ପ୍ରମୁଖ ସରକାରୀ ପ୍ରତିଷ୍ଠାନ ଯଥା ନୂତନ ଲୋକସେବା ଭବନ, ବିଧାନସଭା ସୌଧ, ବିଭିନ୍ନ କାର୍ଯ୍ୟରେ ରାଜ୍ୟ ରାଜଧାନୀକୁ ଆସୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜନ ଆଶ୍ରୟ ଭବନ, ବିଶ୍ୱସ୍ତରୀୟ ସଂଗ୍ରହାଳୟ ଏବଂ ରାଜ୍ୟ ସମ୍ମିଳନୀ କେନ୍ଦ୍ର ଆଦି ନିର୍ମାଣ କରିବା ପାଇଁ ମଧ୍ୟ ବଜେଟ୍ ପ୍ରସ୍ତାବ କରିଅଛୁ। ଓଡ଼ିଶାରେ ୯୦ ହଜାର କୋଟିରୁ ବି ଅଧିକ ଟଙ୍କାର ବିଭିନ୍ନ ରେଳବାଇ ପ୍ରକଳ୍ପ ଚାଲିଅଛି। ପଚାଶ ବର୍ଷଧରି ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମାପ୍ତ ହେବା ଉପରେ। ବୋଧହୁଏ ଏ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ ଏହା ପୂର୍ଣ୍ଣକ୍ଷମ ହୋଇଯିବ। ଚଳିତ ବଜେଟ୍ରେ ତାଳଚେର, ଅନୁଗୁଳ, ପାରାଦୀପ ଏବଂ ଧାମରା ମଧ୍ୟରେ ଆଭ୍ୟନ୍ତରୀଣ ଜଳ ପରିବହନକୁ ବୃଦ୍ଧି କରି ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରାଯିବ। ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ସହିତ ପ୍ରାୟ ୪ ଶହ କିଲୋମିଟର ନୂତନ ସଡ଼କ ଏବଂ ଜାତୀୟ ରାଜପଥର ଉନ୍ନତି ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧାନ ସଂଗ୍ରହ ପ୍ରକ୍ରିୟା ସହ ଚାଷୀମାନଙ୍କୁ ତାଙ୍କ ପାଉଣା ସମୟୋଚିତ ପୈଠ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆବର୍ତ୍ତନ ପାଣ୍ଠିକୁ ୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଅଛି। ଚଳିତ ବର୍ଷ ,ଆମେ ୬୦ଲକ୍ଷ ୮୦ ହଜାର ମେଟ୍ରିକ ଟନ୍ ଧାନ କିଣି ସାରିଲୁଣି ଓ ଚାଷୀ ମାନଙ୍କଠାରୁ ସମସ୍ତ ଧାନ କିଣିବୁ ଓ ସେମାନଙ୍କୁ ସହାୟତା ଦେଇ ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବୁ। ଇନ୍ପୁଟ୍ ସହାୟତା ଚାଷୀଙ୍କୁ ଉତ୍ସାହ ଦେଇଛି। ଆମ ସରକାରଙ୍କ ଇନପୁଟ୍ ସହାୟତା ଘୋଷଣା ପରେ ନିଶ୍ଚିତ ଭାବେ ଅଧିକ ଚାଷ ହୋଇଛି। ଭିତ୍ତିଭୂମିକୁ ତ ରାତାରାତି କରି ହେବ ନାହିଁ। ଆମେ ଏଥିପାଇଁ ୧୦୦ଟି ମଡେଲ ମଣ୍ଡି, ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାୟ ୧୫ ଲକ୍ଷ ମେଟ୍ରିକ ଟନର ଗୋଦାମ ଷ୍ଟୋରେଜ ନିର୍ମାଣ କରୁଛୁ। ଚାଷୀଙ୍କ ସବୁ ସମସ୍ୟା ସମାଧାନ କରାଯିବ। ସବୁ ଯୋଗ୍ୟ ଚାଷୀଙ୍କ ସବୁ କ୍ରୟଯୋଗ୍ୟ ସବୁ ଧାନକୁ ଉଠାଇବୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହର ରୂପାନ୍ତରଣ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ନୂତନ ପଦକ୍ଷେପ ଯଥା ‘ଲିଭେବଲ୍ ସିଟି ମିଶନ’ ଅଧୀନରେ, ଆମ ସରକାର ସହରୀ ବିକାଶ ପାଇଁ ୩୭୩ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ନଗର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି। ଏହି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହି ପଦକ୍ଷେପ, ପ୍ରମୁଖ ସହରଗୁଡ଼ିକର ବ୍ୟାପକ ବିକାଶ କରିବା ସହିତ ବାସଯୋଗ୍ୟ ହେବା ପାଇଁ ମୌଳିକ ସହରୀ ସୁବିଧା ଯୋଗାଇଦେବ। ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଡାଲଖାଇ ନାମକ ଏକ ନୂତନ ପ୍ରୟାସର ପ୍ରସ୍ତାବ ରହିଅଛି। ଏହି ପ୍ରୟାସ ମାଧ୍ୟମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରି ସ୍ଥାୟୀ ଓ ସୁରକ୍ଷିତ ଜୀବିକା ସୃଷ୍ଟି କରାଯିବ। ଆମ ରାଜ୍ୟ ଭାରତ ସେମିକଣ୍ଡକ୍ଟର ମିଶନ ପ୍ରୋତ୍ସାହନ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁଞ୍ଜି ନିବେଶ ସବସିଡିର ଅତିରିକ୍ତ ୫୦ ପ୍ରତିଶତ ପ୍ରଦାନ କରୁଛି। “ରାଜ୍ୟ ଏଆଇ ମିଶନ’ ମାଧ୍ୟମରେ ଏଆଇକୁ ଶାସନ ଏବଂ ସେବା ବିତରଣରେ ଏକୀକରଣ କରିବା ଦିଗରେ ବିଭାଗଗୁଡିକୁ ସାହାଯ୍ୟ କରିବ; ଯାହା, ରାଜ୍ୟ ଶାସନ ବ୍ୟବସ୍ଥାର ଦକ୍ଷତା, ସଠିକତା ଏବଂ ସଂବେଦନଶୀଳତା ବୃଦ୍ଧି ପାଇଁ ଜରୁରୀ ଅଟେ। ଆମ ସରକାରଙ୍କ ସମୟୋଚିତ ପଦକ୍ଷେପ ଫଳରେ ଓଡ଼ିଶା ଆଗାମୀ ଦିନରେ ‘ସେମିକଣ୍ଡକ୍ଟର କ୍ୟାପିଟାଲ’ ହେବାକୁ ଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ଦୃଢ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆମେ ୨୦୨୬-୨୭ ବଜେଟରେ ୧ ହଜାର ୨୩ କୋଟି ଟଙ୍କା ବ୍ୟୟବରାଦ କରିଛୁ, ଯାହା ଗତ ବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ। ଇକୋ-ଟୁରିଜିମ୍କୁ ପ୍ରୋତ୍ସାହିତ କରିବା ପାଇଁ ବାଲିପୁଟ, ଶିମିଳିପାଳର ନୱାନା ଏବଂ କରଞ୍ଜିଆର ଦେଓ ଠାରେ ନୂତନ କେନ୍ଦ୍ର ସ୍ଥାପନ କରାଯିବା ସହ ଚିଲିକା ହ୍ରଦର ପୁନରୁଦ୍ଧାର ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ କରାଯିବ । କେନ୍ଦୁଝରର ସାନଘାଗରା ଠାରେ ୯୧ କୋଟି ଟଙ୍କା ବ୍ୟୟରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ଏକ ଉପ-କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ରୋପ୍-ୱେର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ହରିଶଙ୍କର-ନୃସିଂହନାଥ ମଧ୍ୟରେ, କପିଳାସ ଏବଂ ପୁରୀ ଠାରେ ଏପରି ରୋପ ୱେ ନିର୍ମାଣ କରାଯିବ ଯାହା ସ୍ଥାନୀୟ ପର୍ଯ୍ୟଟନକୁ ଅଧିକ ଗତି ଦେବ ଏବଂ ସ୍ଥାନୀୟ ଆଞ୍ଚଳରେ ଆର୍ôଥକ ବିକାଶକୁ ପ୍ରୋତ୍ସାହିତ କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ନାଗରିକଙ୍କୁ ବିଜୁଳି, ପାଣି ଓ ସଡକ ସୁବିଧା ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। କିନ୍ତୁ, କଂଗ୍ରେସ ସରକାରଙ୍କ ପ୍ରାୟ ପଚାଶ ବର୍ଷ ହେଉ କି ୨୪-ବର୍ଷର ସରକାର ହେଉ, କେହି ବି ଏଥିପ୍ରତି ଧ୍ୟାନ ଦେଲେ ନାହିଁ। କିନ୍ତୁ, ୨୪ ମାସର କମ ସମୟର ବର୍ତ୍ତମାନର ସରକାର ଓଡ଼ିଶାର ପ୍ରତି ଗ୍ରାମକୁ ବିଜୁଳି, ସଡକ ଓ ପାନୀୟ ଜଳ ଯୋଗାଣ ପାଇଁ ‘ମିଶନ ପାୱାର’ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଏକ ନିଶ୍ଚିତ ସମୟ ଅର୍ଥାତ୍ ୨୦୨୭ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଗ୍ରାମକୁ ଏହି ସବୁ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଆମ ସରକାର ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଏହା ଚଳିତ ବଜେଟରେ ପ୍ରବଧାନ କରାଯାଇଛି, କିନ୍ତୁ ଆସନ୍ତା ବର୍ଷ ପାଇଁ ଏହାକୁ ଅଧିକ ବ୍ୟାପକ କରାଯାଇଛି। ଏହି ବଜେଟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛୁ । ଓଡ଼ିଶାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଖଣି ଓ ଧାତୁ କ୍ଷେତ୍ରରେ କୁଶଳୀ ପେସାଦାରଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ଖଣି ଏବଂ ଧାତୁ ବିଜ୍ଞାନ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି। ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୨୩ ହଜାର ୧୮୨ କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରହିଛି, ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା ସାମିଲ ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ବଜେଟ ଆକାରର ୭.୫ ପ୍ରତିଶତ ରୁ ଅଧିକ ଅଟେ । ବଢୁଥିବା ରୋଗୀ ସଂଖ୍ୟା ଏବଂ ଜରୁରୀକାଳୀନ ମାମଲା ଠାରୁ ଆରମ୍ଭ କରି କ୍ରୋନିକ୍ ରୋଗ ଏବଂ ମହାମାରୀ ବିପଦ ପର୍ଯ୍ୟନ୍ତ ଆମ ଲୋକଙ୍କ ପାଇଁ ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ସମଗ୍ର ଓଡ଼ିଶାରେ ଆମର ସ୍ୱାସ୍ଥ୍ୟସେବା କ୍ଷମତାର ଏକ ବଡ଼ ସମ୍ପ୍ରସାରଣ ଆରମ୍ଭ କରୁଛୁ । ଏବଂ ବିଭିନ୍ନ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରୁଛୁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ପାଇଁ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ କି ରାଜନୈତିକ ଅସ୍ତ୍ର ନୁହେଁ । ସେମାନେ ଆମପାଇଁ ନମସ୍ୟା । ରାଜ୍ୟର ପ୍ରତ୍ୟେକ ନାରୀ ଆମ ପାଇଁ ଜଣେ ଜଣେ ସୁଭଦ୍ରା। ମହିଳାମାନଙ୍କର ସଶକ୍ତିକରଣ ଓ ଗରିମା ରକ୍ଷା, ଆମ ସରକାରଙ୍କର ପ୍ରମୁଖ ପ୍ରାଥମିକତା। ମହିଳା ସଶକ୍ତିକରଣ ନିମନ୍ତେ ଆମ ସରକାରଙ୍କ ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା । ଏହି ଉଦ୍ଦେଶ୍ୟ ପାଇଁ, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି, ଏହି ଯୋଜନାରେ ଆର୍ôଥକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ପାଣ୍ଠି ଖୋଲାଯିବ। କିନ୍ତୁ, କିଛି ସଦସ୍ୟ,ସଦସ୍ୟା ଚଳିତ ବଜେଟରେ ପ୍ରବଧାନ କରାଯାଇଥିବା ଖର୍ଚ୍ଚକୁ ନେଇ ଉଦବେଗ ଜଣାଇଛନ୍ତି। ମୁଁ ସ୍ପଷ୍ଟ ଭାବେ ଗୃହକୁ ଆଉଥରେ ଜଣାଇଦେବାକୁ ଚାହୁଁଛି ଯେ, ଚଳିତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପ୍ରାୟ ୧ ଲକ୍ଷ ୭ ଶହ କୋଟି ଟଙ୍କା। ଗତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ୮୬ ହଜାର ୭ ଶହ ୩୧ କୋଟି ଟଙ୍କା ଠାରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଅଧିକ। ତେଣୁ, ବିରୋଧୀ ଦଳର କେତେକ ସଦସ୍ୟଙ୍କର ଖର୍ଚ୍ଚ ନ ହେବା ବାବଦକୁ ଆଣିଥିବା ଅଭିଯୋଗ ନିରାଧାର ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।










