22.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶବହୁ ଚର୍ଚ୍ଚିତ ମେଘାଳୟ ମର୍ଡର ଆଣ୍ଡ୍ ମିସିଂ କେସ୍‌: ସୋନମ୍ ହିଁ ଅସଲ ଖଳନାୟିକା

ବହୁ ଚର୍ଚ୍ଚିତ ମେଘାଳୟ ମର୍ଡର ଆଣ୍ଡ୍ ମିସିଂ କେସ୍‌: ସୋନମ୍ ହିଁ ଅସଲ ଖଳନାୟିକା

ଶିଲଂ: ବହୁ ଚର୍ଚ୍ଚିତ ମେଘାଳୟ ମର୍ଡର ଆଣ୍ଡ୍ ମିସିଂ କେସ୍‌ରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଚାଲିଥିବା ସସ୍‌ପେନ୍ସ ଉପରୁ ପର୍ଦ୍ଦା ହଟିଛି । ରାଜା ରଘୁବଂଶୀଙ୍କୁ ତାଙ୍କ ସ୍ତ୍ରୀ ସୋନମ୍ ହିଁ ସୁପାରି କିଲରଙ୍କ ଜରିଆରେ ହତ୍ୟା କରିଥିବା ପୁଲିସ୍ କହିଛି । ମେଘାଳୟ ଡିଜିପି ଆଇ ନୋଙ୍ଗରାଙ୍ଗ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ପ୍ରଥମେ ଉତ୍ତରପ୍ରଦେଶରୁ ଧରାପଡ଼ିଥିଲେ । ତା’ ଠାରୁ ସୂଚନା ପାଇବା ପରେ ଅନ୍ୟ ଦୁଇଜଣଙ୍କୁ ଇନ୍ଦୋର ଅଞ୍ଚଳରୁ ଗିରଫ କରାଯାଇଥିଲା । କିନ୍ତୁ ସୋନମ୍‌ଙ୍କର କୌଣସି ସୂଚନା ମିଳିନଥିଲା । ତେବେ ଏହି ୩ଜଣଙ୍କ ଗିରଫଦାରି ପରେ ଆଉ କିଛି ଉପାୟ ନପାଇ ସୋନମ ଉତ୍ତରପ୍ରଦେଶର ଗାଜିପୁର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ଜେରା ସମୟରେ ସେମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ସ୍ୱୀକାର କରିସାରିଛନ୍ତି । ସୋନମ ସେମାନଙ୍କୁ ତାଙ୍କ ସ୍ୱାମୀ ରାଜାଙ୍କୁ ହତ୍ୟା କରିବା ଲାଗି ସୁପାରି ଦେଇଥିଲେ ବୋଲି ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନେ ହେଲେ ବିଶାଲ ଚୌହାନ, ରାଜ କୁଶୱାହା ଏବଂ ଅକ୍ଷତ ରାଜପୁତ । ଏମାନଙ୍କ ମଧ୍ୟରୁ ରାଜ କୁଶୱାହା, ସୋନମଙ୍କର ପୂର୍ବତନ ପ୍ରେମିକ ହୋଇଥିବା ବେଳେ ବାକି ୨ଜଣ ଅର୍ଥାତ୍ ବିଶାଲ ଚୌହାନ୍ ଏବଂ ଅକ୍ଷତ ରାଜପୁତ୍ ସୁପାରୀ କିଲର ବୋଲି ସେମାନଙ୍କ କଲ ଡିଟେଲ୍ସରୁ ଜଣାପଡିଛି ।

ଇନ୍ଦୋରର ରାଜା ରଘୁବଂଶୀ ଏବଂ ସୋନମ୍ ଗତ ମେ’ ୧୧ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପରେ ସୋନମ୍ ହନିମୁନ୍ ପାଇଁ ଶିଲଂ ଯିବାକୁ ପ୍ଲାନ୍ କରିଥିଲେ । ଗତ ୨୦ ତାରିଖରେ ଏହି ନବ ବିବାହିତ ଦମ୍ପତି ମେଘାଳୟରେ ପହଞ୍ଚଥିଲେ ଏବଂ ୨୨ ତାରିଖ ପର୍ଯ୍ୟନ୍ତ ପରିବାରଙ୍କ ସହ ସମ୍ପର୍କରେ ଥିଲେ । କିନ୍ତୁ ୨୩ ତାରିଖ ବେଳକୁ ଉଭୟଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ଉଭୟ ସେଠାରେ ନିଖୋଜ ହୋଇଯାଇଥିଲେ । ଉଭୟଙ୍କ ମୋବାଇଲ ସ୍ୱିଚ୍ ଅଫ୍ ହୋଇଯିବା ପରେ ରାଜାଙ୍କ ପରିବାର ଲୋକ ଏବଂ ସୋନମ୍‌୍‌ଙ୍କ ପରିବାର ଲୋକ ସନ୍ଦେହରେ ମେଘାଳୟ ଯାଇ ଛାନବିନ୍ କରିଥିଲେ ଏବଂ ସେଠାକାର ପୁଲିସ୍‌ରେ ଅଭିଯୋଗ କରିଥିଲେ ।

ପରେ ମେଘାଳୟ ପୁଲିସ୍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ତେବେ ଜୁନ୍ ୨ ତାରିଖରେ କେବଳ ରାଜା ରଘୁବଂଶୀଙ୍କ ମୃତଦେହ ୱେଇ ସୋଡୋଙ୍ଗ ଜଳପ୍ରପାତ ନିକଟ ଏକ ନାଳରେ ପଡିଥିବା ଅବସ୍ଥାରେ ମିଳିଥିଲା । କିନ୍ତୁ ସୋନମ୍‌୍‌ଙ୍କ କୌଣସି ଖୋଜ୍ ଖବର ନଥିଲା । ଫଳରେ ସମସ୍ତେ ଭାବୁଥିଲେ ସୋନମ୍‌ଙ୍କୁ କେହି ଅପହରଣ କରିନେଇଥାଇପାରେ । କିନ୍ତୁ ସୋନମ୍ ହିଁ ଏହି ହତ୍ୟାକାଣ୍ଡର ଅସଲ ସୂତ୍ରଧର ଥିଲେ । ଆତ୍ମସମର୍ପଣ କରିବା ପୂର୍ବରୁ ସୋନମ୍ ଅନେକ ନାଟକ ମଧ୍ୟ କରିଥିଲେ ଯାହା ସମ୍ପର୍କରେ ପୁଲିସ୍‌କୁ ସୂଚନା ମିଳିଛି । ସୋନମ୍ ଆତ୍ମସମର୍ପଣ କରିବା ପୂର୍ବରୁ ଭରପୁର ଚେଷ୍ଟା କରିଥିଲେ ଯେ, ତାଙ୍କୁ ବଞ୍ଚାଇବାକୁ ଯାଇ ରାଜା ରଘୁବଂଶୀ ହତ୍ୟାର ଶିକାର ହୋଇଛନ୍ତି ବୋଲି ଯେପରି ସେ ସମସ୍ତଙ୍କୁ ବିଶ୍ୱାସ କରାଇପାରିବେ । କିନ୍ତୁ ସବୁକିଛି ଓଲଟା ପଡ଼ିଯାଇଥିଲା । ଏସବୁ ମଧ୍ୟରେ ସୋମବାର ରାଜାଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି । ଏଥିରେ ରାଜାଙ୍କ ମୁଣ୍ଡରେ ଦୁଇଟି ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ଅତ୍ୟନ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking