15.1 C
Bhubaneswar
Monday, January 19, 2026
Homeଅପରାଧମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

କିଶନନଗର: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଇତିମଧ୍ୟରେ ମା’ ହୋଇଛନ୍ତି। ଶନିବାର ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଦୁଇଦିନ ଡାକ୍ତରଖାନାରେ ରହିବା ପରେ ମା’ ଓ ଶିଶୁପୁତ୍ର ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପଟେ, ଗତ ଜୁଲାଇ ୧୬ ତାରିଖ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତାଙ୍କ ମା’ କିଶନନଗର ଥାନାରେ ଏତଲା ଦେଇଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇଥିଲା। ମାତ୍ର ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ପୁଲିସ ଗିରଫ କରିପାରି ନାହିଁ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତାଙ୍କ ମା’ ଗତ ୪ମାସ ଧରି ବିଭିନ୍ନ ଫୋରମରେ ଦାବି କରିଆସୁଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଏପରି କି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁ ନ ଥିବା ଅଭିଯୋଗ ହେଉଛି।

ସୂଚନା ମୁତାବକ, ୧୫ ବର୍ଷ ବୟସର ଏହି ଛାତ୍ରୀଜଣକ ଜଣେ ସମ୍ପର୍କୀୟ ମହିଳାଙ୍କ ଘରେ ରହୁଥିଲେ। ଗତ ମାର୍ଚ୍ଚ ମାସରେ ଘରେ ଶୋଇଥିବା ବେଳେ ମହିଳାଙ୍କ ପୁଅ ମହମ୍ମଦ ଅଫ୍‌ରୋଜ୍‌ ନିଜ ସମ୍ପର୍କୀୟ ଭାଇ ନିଲୁ ସହଯୋଗରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ଛାତ୍ରୀଜଣକ ସମ୍ପର୍କୀୟ ମହିଳାଙ୍କୁ ଜଣାଇଥିଲେ ମଧ୍ୟ ସେ ଚୁପ୍‌ ରହିବାକୁ ଧମକ ଦେଇଥିଲେ। ପରେ ଛାତ୍ରୀଙ୍କୁ ତାଙ୍କ ମା’ଙ୍କ ପାଖରେ ସେ ଛାଡ଼ି ଦେଇଥିଲେ। ଲଜ୍ଜା ଓ ଭୟରେ ନାବାଳିକା ନିଜ ଘରେ କିଛି କହି ନ ଥିଲେ। ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ନାବାଳିକାଙ୍କୁ ସାଙ୍ଗରେ ନେଇ ପରିବାର ଲୋକ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚିଥିଲେ। ଅଭିଯୁକ୍ତ ସହ ନାବାଳିକା ଛାତ୍ରୀଙ୍କ ବିବାହ କରି ଦିଆଯିବ ବୋଲି ପୀଡ଼ିତାଙ୍କ ପରିବାରକୁ କୁହାଯାଇ ଚୁପ୍‌ ରହିବାକୁ ଚାପ ପକାଯାଇଥିଲା। ମାତ୍ର ଅଭିଯୁକ୍ତଙ୍କ ପରିବାର ଲୋକ ସମୟ ଗଡ଼ାଇବାରୁ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ପୁଲିସ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking