25.1 C
Bhubaneswar
Saturday, October 26, 2024
Homeଓଡିଶାପାଣିପାଗ ଅନୁକୂଳ ହେବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବେ ମା ଓ ନବଜାତ ଶିଶୁ

ପାଣିପାଗ ଅନୁକୂଳ ହେବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବେ ମା ଓ ନବଜାତ ଶିଶୁ

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ
ମୁଖ୍ୟମନ୍ତ୍ରୀଙ୍କ ଶୂନ ମୃତ୍ୟୁ ଆହ୍ୱାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଆଶାକର୍ମୀ ଶିବାନୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଆମ୍ବୁଲାନ୍ସ କର୍ମଚାରୀ ମାନସଙ୍କୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ବାତ୍ୟା ‘ଦାନା’ର ସଫଳ ମୁକାବିଲା କରି ରାଜ୍ୟ ସରକାର ବିଶେଷ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାକୁ ପ୍ରମାଣିତ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟେକ ଅଧିକାରୀ, ବିଶେଷ କରି ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ସେବା ଓ ଅକ୍ଳାନ୍ତ ପରିଶ୍ରମ ଫଳରେ ଏହା ସମ୍ଭବପର ହୋଇପାରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଗର୍ଭବତୀ ମା’ମାନଙ୍କ ସଂପର୍କିତ ତଥ୍ୟ- ଆଜି ଦିନ ୧୨ଟା ସୁଦ୍ଧା
 ବାତ୍ୟା ଆସିବା ପୂର୍ବରୁ ୧୪ଟି ଜିଲ୍ଲାର ୩୪,୦୮୦ଜଣ ଗର୍ଭବତୀ ମହିଳାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ।
 ବାତ୍ୟା ସମୟରେ ପ୍ରସବ ସମ୍ଭାବନା ଥିବା ୯,୮୭୭ ଜଣ ମହିଳାଙ୍କ ମଧ୍ୟରୁ ୪,୮୬୭ଜଣ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା’ଗୃହକୁ ସ୍ଥାନାନ୍ତର କରାଯାଇଥିଲା ।
 ସେମାନଙ୍କ ମଧ୍ୟରୁ ୨,୩୬୬ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ଏମାନଙ୍କ ମଧ୍ୟରେ ୧,୯୯୩ ଜଣ ସାଧାରଣ ପ୍ରସବ ଏବଂ ୩୭୩ଜଣ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏଥି ମଧ୍ୟରୁ ୧୮ ଯମଜ ସନ୍ତାନ ଅଛନ୍ତି । ଏହି ସମସ୍ତ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ରଖାଯାଇ ସେମାନଙ୍କ ପ୍ରସବ ପରବର୍ତ୍ତୀ ଅବସ୍ଥାର ଯତ୍ନ ନିଆଯାଉଛି ଏବଂ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।
 ବାତ୍ୟା ସମୟରେ କୌଣସି ପ୍ରସବଜନିତ ମାତୃମୃତ୍ୟୁ ହୋଇନାହିଁ ।
 ପାଣିପାଗ ଅନୁକୂଳ ହେବା ଏବଂ ସେମାନଙ୍କ ରହିବାର ସୁବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରହିବାର ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାମାନଙ୍କରେ ବାତ୍ୟା ପ୍ରସ୍ତୁତି
 ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ତିନୋଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ତିନି ଜଣ ଅତିରିକ୍ତ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହାୟତା ନିମନ୍ତେ ଅବସ୍ଥାପିତ କରାଯାଇଛି ।
 ଏଥି ସହିତ ଜିଲ୍ଲାଗୁଡ଼ିକରେ ୨୮ଜଣ ଡ଼ାକ୍ତର ଏବଂ ବିଭିନ୍ନ ବର୍ଗର ୫୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
 ଏହି ଜିଲ୍ଲାମାନଙ୍କରେ ୧୧୬୫ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହୋଇଛି ।
 ବାତ୍ୟା ଆସିବା ପୂର୍ବରୁ ୧୨୪୦ଟି ଜେନେରେଟର ଓ ଡ଼ିଜିସେଟକୁ ଇନ୍ଧନ ସହ ପ୍ରସ୍ତୁତ କରି ରଖାଯାଇଥିଲା ।
 ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୧୦୪୬୧୮ଟି ସାପକାମୁଡ଼ା ଇଞ୍ଜେକ୍ସନ, ପର୍ଯ୍ୟାପ୍ତ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ୍‌, ହ୍ୟାଲୋଜେନ୍‌ ବଟିକା, ବ୍ଲିଚିଂ ପାଉଡର ଏବଂ ଅନ୍ୟାନ୍ୟ ଦରକାରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ କରି ରଖାଯାଇଛି । ଏଥି ସହିତ ୮୭ଟି ରକ୍ତଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ମହଜୁଦ୍‌ ରଖାଯାଇଛି ।
 ବାତ୍ୟାର ସୁପରିଚାଳନା ପାଇଁ ଜିଲ୍ଲାଗୁଡ଼ିକୁ ଅତିରିକ୍ତ ୪୦ ଲକ୍ଷ ଟଙ୍କା ଆବଣ୍ଟିତ କରାଯାଇଛି ।
 ୨୨/୧୦/୨୦୨୪ ତାରିଖରୁ ୧୪ଟି ଜିଲ୍ଲାରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୨୩୮ଟି ତ୍ୱରିତ ପ୍ରତିକ୍ରିୟା ଦଳକୁ ନିୟୋଜିତ କରାଯାଇଛି । ପ୍ରତ୍ୟେକ ବାତ୍ୟା ଆଶ୍ରୟ କେନ୍ଦ୍ରରେ ଆଶାକର୍ମୀମାନଙ୍କୁ ନିୟୋଜିତ କରାଯାଇଛି ଏବଂ ଦିନକୁ ଦୁଇଥର ତ୍ୱରିତ ପ୍ରତିକ୍ରିୟା ଦଳ

ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ।
 ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଓ ଝାଡ଼ାବାନ୍ତିର ପ୍ରକୋପକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଯଥେଷ୍ଟ ପରିମାଣର ହାଲୋଜେନ ବଟିକା, ବ୍ଲିଚିଂ ପାଉଡର୍‌, ଓଆରଏସ ଏବଂ ଅନ୍ୟାନ୍ୟ ଔଷଧ ଆଶାଦିଦିଙ୍କ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି ।
 ସର୍ବଶେଷ ଖବର ଅନୁଯାୟୀ ବାତ୍ୟା ସମୟରେ ୪ ଜଣ ସାପ କାମୁଡ଼ାରେ ଆହତ ହୋଇଥିଲେ । ସାମାନ୍ୟ ଆହତ ହୋଇଥିବା ୨୦୯ ଜଣଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଚିକିତ୍ସା କରାଯାଇଥିଲା । ଏମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ।
 ଏହି ଅବଧି ମଧ୍ୟରେ ଝାଡ଼ାବାନ୍ତି କିମ୍ବା ଅନ୍ୟ କୌଣସି ଜ୍ୱରଥଣ୍ଡା ରୋଗରେ କେହି ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବାର ଖବର ହସ୍ତଗତ ହୋଇନାହିଁ ।
 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ, କର୍ମଚାରୀ ବିଶେଷ କରି ତୃଳମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ଜନସେବା ପାଇଁ ବିଭାଗୀୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ସାଧୁବାଦ ଜ୍ଞାପନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଶୂନ ମୃତ୍ୟୁ ଆହ୍ୱାନକୁ ସଫଳ କରିବାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭୂମିକା ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବାତ୍ୟା “ଦାନା” ଆସିବା ପୂର୍ବରୁ ରାଜନଗର ବ୍ଲକ ଅନ୍ତର୍ଗତ ଖସାମୁଣ୍ଡା ଗାଁର ଜୈନେକ ପ୍ରାପ୍ତ ବୟସ୍କା ପାରାଲିସିସ ଆକ୍ରାନ୍ତ ମହିଳାଙ୍କ ସମେତ ସାତ ଜଣ ବୟସ୍କା ଓ ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜ ପିଠିରେ ଉଠାଇ ଦୀର୍ଘ ଦେଢ କିଲୋମିଟର ଦୂରରେ ଥିବା ନିରାପଦ ଆଶ୍ରୟସ୍ଥଳକୁ ବୋହି ନେଇଥିବା ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିବା ବେଳେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶ୍ରୀ ମାନସ କୁମାର ମଲ୍ଲିକଙ୍କୁ ଶ୍ରୀମତୀ ମଣ୍ଡଳଙ୍କ ଭଳି ବାତ୍ୟା ସମୟରେ ସାହସିକ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking