ଭୁବନେଶ୍ୱର: ପ୍ରାଚୀନ କାଳରୁ କଳିଙ୍ଗର ଅଧିବାସୀମାନେ ପାଲଟଣା ଜାହାଜରେ ଦରିଆ ପାରି ହୋଇ ଏସିଆ ବିଶେଷେତଃ ବାଲି ଦ୍ୱୀପକୁ ଯାଇ ପାରସ୍ପରିକ ବାଣିଜ୍ୱିକ ଓ ସାଂସ୍କୃତିକ ସମ୍ପର୍କ ଦୃଢୀଭୁତ କରିଥିଲେ । ଏହା ଦ୍ୱାରା ବାଲି ଦ୍ୱୀପର ଅଧିବାସୀମାନଙ୍କ ଉପରେ କଳିଙ୍ଗର ପ୍ରଭାବ ପଡିଥିଲା । ଯାହା ଏବେ ବି ବହୁ ଭାବେ ପରିଲକ୍ଷିତ ହୁଏ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୁଲ୍ୟରେ ମାର୍ଚ୍ଚ ୨୯ ଓ ୩୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ଉଦଘାଟନୀ ଉତ୍ସବରେ ଅତିଥିମାନେ ଏହିପରି ମତବ୍ୟକ୍ତ କରିଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାଯ୍ୟ ଏହାକୁ ଉଦଘାଟନ କରି ପ୍ରାଚୀନ କାଳରେ କଳିଙ୍ଗର ଦକ୍ଷିଣ ପୂର୍ୱ ଏସୀୟ ଦେଶ ଗୁଡିକ ସହ କିପରି ନିବିଡ ସମ୍ପର୍କ ଥିଲା ତାହା ଦର୍ଶାଇଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଓଡିଶାର ପୂର୍ୱତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ବାଲି ଦ୍ୱୀପରେ ତାଙ୍କର ଅବସ୍ଥାନ ସମୟରେ ସେଠାକାର ଅଧିବାସୀ ମାନଙ୍କ ସଂସ୍କୃତି ସହ ଓଡିଶା ଅଧିବାସୀମାନଙ୍କ ସଂସ୍କୃତିରେ କିପରି ଅନେକ ସାମଞ୍ଜସ୍ୟ ରହିଛି , ତାହା ନିଜ ଅନୁଭୂତିରୁ ବଣ୍ଣନା କରିବା ସଙ୍ଗେ ସଙ୍ଗେ କଟକ ବାଲିଯାତ୍ରାର ଐତିହାସିକ ତାତ୍ପଯ୍ୟ ବଖାଣିଥିଲେ । ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର କୋଲୁରୁ ସୂର୍ଯ୍ୟନାରାୟଣ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆନ୍ଧ୍ରରେ ଆବିଷ୍କୃତ ଅନେକ ଶିଳାଲେଖ ଗୁଡିକରେ ଦକ୍ଷିଣ ପୂର୍ୱ ଏସୀୟ ଦେଶ ମାନଙ୍କରେ ପ୍ରାଚୀନ କଳିଙ୍ଗ କିପରି ରାଜନୈତିକ ଆଧିପତ୍ୟ ବିସ୍ତାର କରିଥିଲା । ତାର ସୂଚନା ମିଳେ ବୋଲି ଦର୍ଶାଇଥିଲେ । ମୁଖ୍ୟବକ୍ତା ରୂପେ ଶ୍ରୀଲଙ୍କା ସ୍ଥିତ ଶ୍ରୀଜୟବର୍ଧନେପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଜେମିନି ରଣ ସିଂହେ ଆଲୋଚନା ଚକ୍ରରେ ଯୋଗ ଦେଇ ପ୍ରାଚୀନ ଓଡିଶା ସହ କିପରି ଶ୍ରୀଲଙ୍କାର ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କ ଥିଲା , ତାର ସମୀକ୍ଷା କରିଥିଲେ । ଆଲୋଚନା ଚକ୍ରର ଅନ୍ୟତମ ଅତିଥି ପ୍ରଫେସର ସଞ୍ଜୟ ଆଚାଯ୍ୟ ଭାରତର ଦକ୍ଷିଣପୂର୍ୱ ଏସୀୟ ଦେଶ ମାନଙ୍କ ସହୁଥିବା ସମ୍ପର୍କରେ ଏକ ଐତିହାସିକ ଅନୁଶୀଳନ କରିଥିଲେ । ଏହି ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ଦ୍ୱିତୀୟ ଦିବସର ଉଦଯାପନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ୱତନ କୁଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ୱତନ ପ୍ରଫେସର ଡକ୍ଟର ଅଶୋକନାଥ ପରିଡା ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଲୋଚନା ଚକ୍ରର ନିର୍ଦ୍ଦେଶକ ଡକ୍ଟର ଅନାମ ବେହେରା ସ୍ୱାଗତ ଭାଷଣ ରଖିଥିବା ବେଳେ ବିଭାଗୀୟ ଅଧ୍ୟାପକ ଡକ୍ଟର ସୁଶାନ୍ତ କୁମାର ପାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀଲଙ୍କା ଓ ଇଣ୍ଡୋନେସିଆରୁ ଆସିଥିବା ଅନେକ ଗବେଷକ ନିଜର ଗବେଷଣାମୂଳକ ନିବଦ୍ଧ ଉପସ୍ଥାପନ କରିଥିଲେ ।