ବେଜିଂ: ଫିଲ୍ମ ଭଳି ଏକ ଘଟଣା ଏବେ ଚୀନରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ପତ୍ନୀକୁ ଛାଡପତ୍ର ଦେବାକୁ ପଇସା ଦେଇଛନ୍ତି । ହେଲେ ପଇସା ମିଳିବା ପରେ ପତ୍ନୀ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଛନ୍ତି । ଯାହା ସମଗ୍ର ବିଶ୍ୱରେ ୟୁଜର୍ସଙ୍କ ଧ୍ୟାନ ଆକର୍ଷିତ କରିଛି । ଚୀନର ଶି ନାମକ ଜଣେ ଯୁବତୀ ନିଜ ପ୍ରେମିକଙ୍କ ପତ୍ନୀ ୟାଙ୍ଗଙ୍କୁ ଛାଡପତ୍ର ପାଇଁ ୧.୩୯ କୋଟି ଟଙ୍କା ଦେଇଥିଲେ । ହେଲେ ଟଙ୍କା ମିଳିବା ପରେ ୟାଙ୍ଗ ସ୍ୱାମୀ ହାନଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଥିଲେ । ଏହାପରେ ପ୍ରେମିକା ଶି ନିଜ ଟଙ୍କା ଫେରି ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩ରେ ହାନ୍ ୟାଙ୍ଗଙ୍କୁ ବିବାହ କରିଥିଲେ ।
ଦୁହିଁଙ୍କର ୨ଟି ଝିଅ ମଧ୍ୟ ରହିଛି । କିନ୍ତୁ ଏହାରି ମଧ୍ୟରେ ହାନ୍ ଶି ନାମକ ଯୁବତୀଙ୍କୁ ପ୍ରେମ କରି ବସିଥିଲେ । ୨୦୨୨ରେ ଶି ଏବଂ ହାନଙ୍କର ଏକ ପୁଅ ମଧ୍ୟ ହୋଇଥିଲା । ପିଲା ଜନ୍ମ ହେବା ପରେ ଶି ୟାଙ୍ଗ ସହିତ ଦେଖା ହୋଇ ହାନଙ୍କୁ ବିବାହ କରିବା ପାଇଁ କହିଥିଲେ । ୟାଙ୍ଗ ଯଦି ହାନ ଠାରୁ ଛାଡପତ୍ର ନିଅନ୍ତି, ତେବେ ଶି ତାଙ୍କ ୨.୨୩ କୋଟି ଟଙ୍କା ଦେବେ । ୟାଙ୍ଗ ସିଙ୍କ କଥାରେ ରାଜି ହୋଇଯାଇଥିଲେ । ଏହାପରେ ୨୦୨୨ ଶେଷରେ ଶି ୟାଙ୍ଗଙ୍କୁ ପ୍ରଥମ କିସ୍ତି ହିସାବରେ ୧.୩୯ କୋଟି ଦେଇଥିଲେ । ଟଙ୍କା ପାଇବାର ଏକ ବର୍ଷ ପରେ ମଧ୍ୟ ୟାଙ୍ଗ ଛାଡପତ୍ର ପାଇଁ ରାଜି ହୋଇନଥିଲେ । ତେଣୁ ଶି ନାରାଜ ହୋଇଥିଲେ । ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଶିଙ୍କ କୋର୍ଟ ଦଲିଲ ମୁତାବକ, ପୁରା ପଇସା ଛାଡପତ୍ର ପରେ ଦିଆଯିବ । କିନ୍ତୁ କୋର୍ଟ ଶି’ଙ୍କ ଏଭଳି କାମକୁ ନାପସନ୍ଦ କରିଥିଲେ । କୋର୍ଟଙ୍କ ମୁତାବକ, ଶି’ ଦେଇଥିବା କଥା ଏବଂ ପଇସା ସାମାଜିକ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ଶି’ ଟଙ୍କା ଦେଇ ବିବାହିତ ଯୋଡିଙ୍କ ପାରିବାରିକ ସଂପର୍କକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।