30.1 C
Bhubaneswar
Monday, March 30, 2026
Homeଦେଶ ବିଦେଶକେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ

ସିଡନୀ: ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ଗବେଷକଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ଓ ଗବେଷଣା ଉପରେ ଆଲୋଚନା କରିଛନ୍ତି। ଏହାସହ ଅଷ୍ଟ୍ରେଲିଆର କେତୋଟି ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡିକରେ ଥିବା ଟେକ୍ନୋଲୋଜି ଓ କ୍ରୀଡ଼ା ଆଧାରିତ ଅଭିନବ କ୍ୟାମ୍ପସ ଓ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅଷ୍ଟ୍ରେଲିଆର ଗବେଷଣାଭିତ୍ତିକ ବିଶ୍ୱବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଏବଂ ‘ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ୱେଲ୍ସ’ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ଗବେଷକଙ୍କ ସହ ଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ରୋବୋଟିକ୍ସ, କେମିକାଲ୍ସ, ଆଷ୍ଟ୍ରୋଫିଜିକ୍ସ, ସୁପର-କଣ୍ଡକ୍ଟିଭିଟି, ବିନିର୍ମାଣ କ୍ଷେତ୍ରରେ ଏଆଇ, ସ୍ୱାସ୍ଥ୍ୟସେବା, ମେଡ୍ ଟେକ୍‌, ଜଳବାୟୁ ପରିବର୍ତ୍ତନ, ୱାଟର ମ୍ୟାନେଜମେଣ୍ଟ ଏବଂ ଅର୍ବାନ ପ୍ଲାନି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଉପରେ ଭାରତର ଛାତ୍ରଛାତ୍ରୀ ଏବଂ ଗବେଷକମାନେ କାର୍ଯ୍ୟ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ ଗବେଷଣା ସହଯୋଗ ହେଉଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମୂଳ ଆଧାର। ଆଜିର ସାକ୍ଷାତ୍ ଆଲୋଚନା କାର୍ଯ୍ୟକ୍ରମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଏବଂ ଗଭୀର ଗବେଷଣା ସହଯୋଗର ଆବଶ୍ୟକତାକୁ ଆଗକୁ ନେବା ପାଇଁ ଏକ ଭଲ ସୂଚନା ପ୍ରଦାନ କରିଛି।
ଶ୍ରୀ ପ୍ରଧାନ ସିଡ୍‌ନୀ ସ୍ଥିତ ମ୍ୟାକ୍ୱାରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମ୍‌ପିଆଇଡି) ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଗବେଷକ ଏବଂ ଉଦ୍ୟମିତାଙ୍କ ଆଇଡିଆକୁ ବିକଶିତ କରିବା ଦିଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ସହଯୋଗକୁ ସେ ପ୍ରଶଂସା କରିଥିଲେ। ସେହିପରି ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ୱେଲ୍ସ (ୟୁଏନଏସଡବ୍ଲ୍ୟୁ)ର ବିଭିନ୍ନ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍‌ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ସମାଜରେ ସକରାତ୍ମକ ପରିବର୍ତ୍‌ଅନ ଆଣିବା ପାଇଁ ଷ୍ଟାର୍ଟଅପ ଗୁଡିକର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭାରତୀୟ ସମାଜ ଏବଂ ବଜାର ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ପାଇଁ ସେ ପ୍ରୋତ୍ସାହିତ କରିଥିଲେ।
ଏତଦ୍‌ବ୍ୟତୀତ ଶ୍ରୀ ପ୍ରଧାନ କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ସିଡନୀ ସ୍ଥିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି କ୍ୟାମ୍ପସ ପରିସରରେ ଥିବା ୟୁଟିଏସ୍ ମୁର୍ ପାର୍କ ଗସ୍ତ କରିଥିଲେ। ୟୁଟିଏସର ମୁର ପାର୍କ ପରିସର ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା ଯୁକ୍ତ ଅନୁଷ୍ଠାନ। ଏହି ଶିକ୍ଷାନୁଷ୍ଠାନରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଗୁଡିକ ଖେଳ ସହ ଜଡ଼ିତ ଥିବାର ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅତ୍ୟାଧୁନିକ କ୍ରୀଡ଼ା ପରିଚାଳନା ଏବଂ ଗବେଷଣା କାର୍ଯ୍ୟକ୍ରମ ପ୍ରଦାନ ଦିଗରେ ୟୁଟିଏସ୍ କିପରି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଭାଗିଦାରୀ କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking