ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ଉଠିଲା ନାରୀ ନିର୍ଯାତନା ପ୍ରସଙ୍ଗ । ଏନେଇ ଗୃହ କମିଟି ଗଠନ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଅଶୋକ ଦାସ । ୨୦୦୦ ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୪୪ ହଜାର ୮୨୩ ମହିଳା ନିଖୋଜ ହୋଇଛନ୍ତି । ଏହା ପୂର୍ବ ସରକାରଙ୍କ ତଥ୍ଯ ଥିଲେ ବି ନୂଆ ସରକାରର ଏହି ୯ ମାସରେ ଅର୍ଥାତ୍ ଜୁନ ୨୦୨୪ ପରେ ୧୮ ହଜାର ନାରୀ ନିର୍ଯାତନା ମାମଲା ପଞ୍ଜିକରଣ ହୋଇଛି । ୫୪ ମହିଳା ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ ହେଉଛି ।
ହୋଲି ଦିନ ମଦ ଦୋକାନ ଖୋଲା ରହିଲା, ଅନେକ ହତ୍ୟାକାଣ୍ଡ ବି ଘଟିଲା । ଏଭଳି ସ୍ଥିତି ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କା ବି ଗୃହ କମିଟି ଗଠନ ପାଇଁ ଦାବି କରିବା ସହ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ମହିଳା ଅପରାଧ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ସରକାରଙ୍କ ବିବୃତି ଦାବି କରି ଆସୁଛି କଂଗ୍ରେସ ।