କୋରାପୁଟ : ବୀଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଅଘଟଣ । ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ । ପତ୍ନୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପତ୍ନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଚେତ୍ ଅବସ୍ଥାରେ ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି ପୁଲିସ । ସୋମବାର ରାତି ପ୍ରାୟ ସାଢ଼େ ୭ଟାରୁ ୮ଟା ଭିତରେ ଏଭଳି ଅମାନୁଷିକ ଘଟଣା ଘଟିଛି ଲମତାପୁଟ ବ୍ଲକ୍ କୁମ୍ଭାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ରାସ୍ତାରେ ।
ମୃତା ମହିଳା ହେଲେ ସାବିତ୍ରୀ ଖରା । ସ୍ୱାମୀ ମହେନ୍ଦ୍ର ଖରା । ସୋମବାର ଏହି ଦମ୍ପତି କୌଣସି କାମରେ ନନ୍ଦପୁର ବ୍ଲକ୍ ଯାଇଥିଲେ । ସେଠାରେ କାମ ସାରି ଉଭୟ ବାଇକ୍ ଯୋଗେ ଫେରୁଥିଲେ । ବାଟରେ ୪ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ । ହଣ୍ଡାଲତୋଟା ନିକଟରେ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଦମ୍ପତିଙ୍କୁ ଅଟକାଇବା ପରେ ଅଚାନକ ମହେନ୍ଦ୍ରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ପ୍ରବଳ ମାଡ଼ ମାରି ମହେନ୍ଦ୍ରଙ୍କୁ ଗଛରେ ବାନ୍ଧି ଦେଇଥିଲେ । ମହେନ୍ଦ୍ର ନିସ୍ତେଜ ଅବସ୍ଥାରେ ଝୁଲି ରହିଥିଲେ । ଏହାପରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ମାଡ଼ ମାରିଥିଲେ। ଏପରିକି ସାବିତ୍ରୀଙ୍କୁ ସେମାନେ ଅସଦାଚରଣ କରିଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଦୁର୍ବୃତ୍ତଙ୍କ ଶକ୍ତ ମାଡ଼ରେ ସାବିତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ତାଙ୍କର ସମସ୍ତ ସୁନା ଅଳଙ୍କାର, ଟଙ୍କା ଆଦି ଲୁଟି ନେଇଥିଲେ । ଅସଦାଚରଣ ସମ୍ପର୍କରେ ପୁଲିସ ସ୍ପଷ୍ଟ କରିନି । ତଦନ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ସଂଜ୍ଞାହୀନ ଅବସ୍ଥାରେ ଥିବା ମହେନ୍ଦ୍ରଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା । ସେଠାରେ ଚିକିତ୍ସା ପରେ ମହେନ୍ଦ୍ରଙ୍କ ଚେତା ଫେରିଥିଲା । ଏହାପରେ ସେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ କହିଥିଲେ । ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିଛି । ମଙ୍ଗଳବାର ମୃତା ସାବିତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯିବ । ମହେନ୍ଦ୍ର ଉକ୍ତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।