26.1 C
Bhubaneswar
Thursday, March 26, 2026
Homeଓଡିଶାପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ନିମାପଡ଼ା: ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ସେ ଏହି ଅବସରରେ କହିଛନ୍ତି, “ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର ସମ୍ମାନ। ଗତ ନିର୍ବାଚନରେ ଅନେକ ଜନସାଧାରଣ, ଅନେକ ମହିଳା ଏବଂ ଅନେକ ଗୁରୀୁଜନଙ୍କ ଆଶୀର୍ବାଦ ମିଳିଛି। ସେମାନଙ୍କୁ କୃତଜ୍ଞତା ଜଣାଉଛି।”

ସେ ଆହୁରି ମଧ୍ୟ କହିଥିଲେ, ନିର୍ବାଚନରେ କଥା ଦେଇଥିଲି ଯଦି ଆପଣଙ୍କ ଭଉଣୀ କେବେ ବିଧାୟିକା ହେବାର ସୁଯୋଗ ପାଇବ ଅଫିସର ଆପଣଙ୍କ ଦାଣ୍ଡକୁ ଯିବେ, ଆପଣ ଅଫିସରଙ୍କ ଦାଣ୍ଡକୁ ଯିବେନି। ମୋର ବର୍ଷେ ପୂର୍ତ୍ତି ହେବା ଭିତରେ ଉତ୍କର୍ଷ ସମ୍ମିଳନୀରେ ୧୧ଟି ବିଭାଗର ୩୩ ଜଣ ଅଫିସରଙ୍କୁ ସାମ୍ନାରେ ଆଣିଛି। ସେ ଏହି ଅବସରରେ ଛାତ୍ରୀ ଜୀବନର ହଷ୍ଟେଲ ଗସ୍ତ ଏବଂ ଏହାର ବିକାଶ ପାଇଁ ନେଇଥିବା ତୁରନ୍ତ ପଦକ୍ଷେପ ବାବଦରେ କହିଥିଲେ। ସେହିଭଳି ଅନ୍ୟ ଶିକ୍ଷାନୁଷ୍ଠାନରେ କରାଯାଇଥିବା ବିକାଶର ହିସାବ ଦେଇଥିଲେ।

ଅନ୍ୟ ବିକାଶମୂଳକ ପଦକ୍ଷେପ ବାବଦରେ ସେ ଆଲୋକପାତ କରିବାକୁ ଯାଇ ଜଳ ନିଷ୍କାସନ, ସଡ଼କ ନିର୍ମାଣ, ପଟ୍ଟା ପ୍ରକାଶନ ଏବଂ ଗୋପ ମେଗା ପାନୀୟ ଜଳ ପ୍ରକଳ୍ପର ଉଦାହରଣ ଦେଇଥିଲେ। ୮ ଗୋଟି ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ଅନୁମୋଦନ ହୋଇଥିବା କହିଥିଲେ। ସେହିଭଳି ପ୍ରାଣୀ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗାଇଦିଆଯାଇଛି। ସାଧାରଣ ଜୀବନର ଶେଷଯାତ୍ରାକୁ ସମ୍ମାନ ପାଇଁ ୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗ ରଥ ମଧ୍ୟ ପ୍ରଦାନ କରାଯାଇଛି। ଶିକ୍ଷା ପାଇଁ ୨୨ କୋଟି ୪୪ ଲକ୍ଷ ଟଙ୍କା, ଗମନାଗମନ କ୍ଷେତ୍ରରେ ୧୪୬ କୋଟି ଟଙ୍କା ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୨୧୩ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି କୃଷି, ସାମାଜିକ ସୁରକ୍ଷା ଏବଂ କ୍ରୀଡ଼ା ଆଦିରେ କରାଯାଇଥିବା ବ୍ୟୟ ଏବଂ ବିଭିନ୍ନ ଯୋଜନାରେ ଲାଭବାନ ହୋଇଥିବା ହିତାଧିକାରୀଙ୍କ ବାବଦରେ ସେ ଉଲ୍ଲେଖ କରିଥିଲେ।

ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅଧିବେଶନ ରଖାଯାଇଥିଲା। ଆଜି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ସଶକ୍ତିକରଣ, ଶିଳ୍ପ ଅଭିବୃଦ୍ଧି, ଦକ୍ଷତା ବିକାଶ ଓ ଉଦ୍ୟୋଗିତା, ବିପର୍ଯ୍ୟୟ ପ୍ରତିରୋଧୀ ନିମାପଡ଼ା, ପର୍ଯ୍ୟଟନ, କଳା ଓ ସଂସ୍କୃତି ଏବଂ ଉତ୍କର୍ଷ ନିମାପଡ଼ା ୨୦୩୬ ପାଇଁ ରୋଡ୍‌ମ୍ୟାପ୍‌ ଆଦି ପ୍ରସଙ୍ଗରେ ଆଲୋଚନା ରଖାଯାଇଥିଲା। ଏଥିରେ ଲୋକେ ନିଜ ସମସ୍ୟା ବିଷୟରେ କହିବା ସହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଅଧିକାରୀ ଓ ବିଶେଷଜ୍ଞ ନିଜ ମତ ରଖିବା ସହ ଏହି ସବୁ ପ୍ରସ୍ତାବ ଆଧାରରେ ଉତ୍କର୍ଷ ନିମାପଡ଼ାର ନିର୍ମାଣ ହେବ ବୋଲି କହିଥିଲେ।

ଅନ୍ତିମ ଅଧିବେଶନରେ ପୁରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ପୁରୀ ସାଂସଦ ସମ୍ବିତ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଅନ୍ତିମ ଦିନର ଅନ୍ତିମ ଭାଗରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ଅନ୍ୟ କଳାକାରଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking