ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରିରହିଛି । ଆଗାମୀ ପାଞ୍ଚଦିନ ଯାଏ ଉପକୁଳ ଓଡ଼ିଶାରେ ହଟ୍ ଆଣ୍ଡ୍ ହିଟ୍ ହ୍ୟୁମିଡିଟି ଜାରି ରହିବ । ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଗାମୀ ପାଞ୍ଚ ଦିନ ଯାଏ ଅସହ୍ୟ ଗରମ ଓ ଗୁଳୁଗୁଳି ହେବ ବୋଲି ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଉପକୂଳର ୧୧ଟି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲାରେ ଗରମ ଗୁଳୁଗୁଳିରୁ ତ୍ରାହି ମିଳିବ । ଆଗାମୀ ସାତ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଲାଗିରହିବ । ଏନେଇ ପାଣିପାଗ ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି ଆଗାମୀ ସାତ ଦିନ ପାଇଁ ବର୍ଷା ଲାଗିରହିବା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ମଧ୍ୟ ୩୦ରୁ ୪୦କିମି ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ରହିଛି ।
ଆଗାମୀ ୨୪ଘଣ୍ଟା ପାଇଁ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ବହିବାର ସମ୍ଭାବନା ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ବିଜୁଳି ଘଡ଼ଘଡ଼ିର ଚେତାବନୀ ଥିବାବେଳେ ୯ ଓ ୧୦ତାରିଖ ପାଇଁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ପାଇଁ ସତର୍କତା ରହିଛି । ୧୧ ଓ ୧୨ତାରିଖରେ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସତର୍କତା ମଧ୍ୟ ରହିଛି । ଉପକୂଳ ଓଡ଼ିଶା ପାଇଁ ଆଗାମୀ ୫ଦିନ ସେଭଳି କିଛି କାଳବୈଶାଖୀ ସତର୍କତା ନଥିବାବେଳେ ବର୍ଷାର ପରିମାଣ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନେ ସ୍ଥାନେ ଅଧିକ ବର୍ଷାର ସମ୍ଭାବନା ରହିଛି । ଗତ ୨୪ଘଣ୍ଟାରେ ଉପକୂଳ ଓଡ଼ିଶାର ଚାରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ସର୍ବାଧିକ ୮୬.୮ମିମି ବର୍ଷା ରେକର୍ଡ ହୋଇଛି ।
ସେହିପରି ଗଜପତିରେ ୮୨ମିମି, ଭଦ୍ରକରେ ୭୯.୧ମିମି, ପୁରୀରେ ୬୯.୧ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୪୮.୨ମିମି, କେନ୍ଦ୍ରାପଡ଼ାରେ ୪୫ମିମି, ଖୋର୍ଦ୍ଧାରେ ୪୦ ମିମି ବର୍ଷା ସହ ଗଞ୍ଜାମରେ ୩୭.୪ମିମି, ବାଲେଶ୍ୱରରେ ୩୫ ମିମି ବର୍ଷା ରେକର୍ଡ ହୋଇଛି । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ । ପୂର୍ବପରି ୩୩ ଡିଗ୍ରୀ ଉପରେ ରହିଛି ପ୍ରାୟ ସମସ୍ତ ଜିଲ୍ଲା । କେବଳ ଫୁଲବାଣୀରେ ସର୍ବନିମ୍ନ ୨୨ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ସମ୍ବଲପୁରରେ ୩୯.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୩୬.୭ ଡିଗ୍ରୀ ଓ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତାକାଲିଠୁ ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିବ । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧିହେବ ବୋଲି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଭୁବନେଶ୍ୱରରେ ଆସନ୍ତାକାଲି ପାଇଁ ବର୍ଷା ଥିବାବେଳେ ଅଗାମା ୭ଦିନ ପାଇଁ ବର୍ଷାର ସମ୍ଭାବନା ନାହିଁ, କିନ୍ତୁ ପାଗ କୋହଲା ରହିବ । କଟକରେ ଆସନ୍ତାକାଲି ବର୍ଷା ରହିଥିବାବେଳେ ଆଗମୀ ଚାରିଦିନ ବର୍ଷା ନଥିବାବେଳେ ପରେ ବର୍ଷା ସମ୍ଭବନା ରହିଛି ।