26.1 C
Bhubaneswar
Sunday, March 1, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ଆରମ୍ଭ ହେଲା ମହାଯୁଦ୍ଧ

ମଧ୍ୟପ୍ରାଚ୍ୟରେ ଆରମ୍ଭ ହେଲା ମହାଯୁଦ୍ଧ

ୱାଶିଂଟନ: ଆଶଙ୍କା ସତ ସାବ୍ୟସ୍ତ ହୋଇଛି। ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆମେରିକା ଏବଂ ଇସ୍ରାଏଲ୍ ଇରାନ୍ ଉପରେ ଆକ୍ରମଣ କରିଛନ୍ତି। ଆମେରିକା ଏଥର ଏକାକୀ ନୁହେଁ ବରଂ ଇରାନ୍‌ର ପରମ ଶତ୍ରୁ ରାଷ୍ଟ୍ର ଇସ୍ରାଏଲ୍ ସହ ମିଳିତ ଭାବେ ଏହି ଆକ୍ରମଣ କରିଛି। ଶନିବାର ପୂର୍ବାହ୍ନ ପ୍ରାୟ ୧୧.୩୦ ମିନିଟ୍ ସମୟରେ ଇସ୍ରାଏଲ୍ ଓ ଆମେରିକା ଇରାନ୍‌ର ରାଜଧାନୀ ତେହରାନ୍ ସମେତ ପ୍ରାୟ ୧୦ଟି ସହର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଇସ୍ରାଏଲ୍ ଏବଂ ଆମେରିକୀୟ ବିମାନ ଇରାନ୍‌ର ସହରଗୁଡ଼ିକୁ ଟାର୍ଗେଟ୍ କରିଥିଲେ ଏବଂ ଏସବୁ ଅଞ୍ଚଳରେ ବୋମାମାଡ କରିଥିଲେ। ସେହିପରି ଇସ୍ରାଏଲ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ ମଧ୍ୟ ହୋଇଥିବା ଜଣାପଡିଛି। ଏଥିରେ ଇରାନ୍‌ର ଅନେକ କ୍ଷତି ହୋଇଥିବା କୁହାଯାଉଛି। ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଇରାନ୍ କହିଛି ଯେ, ଦକ୍ଷିଣ ଇରାନର ହର୍ମୋଜଗାନ୍ ପ୍ରଦେଶରେ କେବଳ ଇସ୍ରାଏଲୀ ଆକ୍ରମଣରେ ପ୍ରାୟ ୭୦ ନୀରିହ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି। ବିଶେଷକରି ମିନାବ ଏବଂ ଜାସ୍କ ସହରରେ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି ଯେଉଁଥିରେ ଏଠାରେ ଥିବା ଏକ ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ପ୍ରାଣ ହରାଇଛନ୍ତି ଏବଂ ୪୫ ଜଣ ଆହତ ହୋଇଛନ୍ତି। ସେହିପରି ଆମେରିକା ଏବଂ ଇସ୍ରାଏଲ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଜିର ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଆମିର ନାସିରଜାଦେହ ଏବଂ ରିଭୋଲ୍ୟୁସନାରୀ ଗାର୍ଡ (ଆଇଆର୍‌ଜିସି) କମାଣ୍ଡର ମହମ୍ମଦ ପାକପୋର୍‌ଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। କିନ୍ତୁ ଇରାନ୍ ଏପ୍ରକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ ସେନା ଖାମେନେଇ, ନାସିରଜାଦେହ ଏବଂ ପାକ୍‌ପୋର ଆଦି ସମସ୍ତ ନେତୃବୃନ୍ଦ ସୁରକ୍ଷିତ ଥିବା କହିଛି।

ଆକ୍ରମଣ ପରେ, ଟ୍ରମ୍ପ୍ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଇରାନ ଉପରେ ଆକ୍ରମଣ ଆମେରିକୀୟ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ଇସ୍ରାଏଲ୍ ମଧ୍ୟ ଇରାନ୍ ପକ୍ଷରୁ ବଢ଼ୁଥିବା ବିପଦ ଆଶଙ୍କା ଯୋଗୁ ଏହି ଆକ୍ରମଣ କରିଥିବା ଦର୍ଶାଇଛି। ଏସବୁ ମଧ୍ୟରେ ଇରାନ୍‌ର ସୁପ୍ରିମ୍ ଲିଡର ଆୟତୁଲ୍ଲାହ ଅଲି ଖାମେନେଇଙ୍କ ସରକାରୀ କାର୍ଯ୍ୟାଳୟ ଥିବା ବିଲ୍ଡିଂ ନିକଟରେ ମଧ୍ୟ ବୋମାମାଡ଼ ହୋଇଥିବା ଜଣାପଡିଛି। ଅବଶ୍ୟ ଇରାନୀ ସେନା, ଖାମେନେଇଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷେ ଏହି ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ୍ ମଧ୍ୟ ଇସ୍ରାଏଲ ଉପରେ ପ୍ରାୟ ୪୦୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାନ୍ ଇସ୍ରାଏଲ୍ ସହ କତାର, କୁଏତ୍‌, ଜୋର୍ଡାନ, ବାହାରିନ, ସାଉଦି ଆରବ ଏବଂ ୟୁଏଇରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରି ଆକ୍ରମଣ କରିଛି। ଏହା ବ୍ୟତୀତ, ଇରାନ ୟୁଏଇର ସର୍ବାଧିକ ଜନବହୁଳ ସହର ଦୁବାଇ ଉପରେ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି। ଇରାନ୍ ଆକ୍ରମଣ ଯୋଗୁ ବୁର୍ଜ ଖଲିଫାକୁ ଖାଲି କରାଯାଇଛି। ଅନେକ ଦେଶରେ ଯୁଦ୍ଧ ଆଲାରାମ୍ ବଜାଯାଇଛି। ଇସ୍ରାଏଲ୍ ମଧ୍ୟ ନିଜ ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବା ସହ ଆକାଶପଥକୁ ବନ୍ଦ କରିଛି। ଇରାନ୍ ବିରୁଦ୍ଧରେ ଇସ୍ରାଏଲ ଏହି ନୂଆ ସାମରିକ ଅଭିଯାନକୁ ‘ସେର କି ଦହାଡ୍ ଅର୍ଥାତ୍ ସିଂହର ଗର୍ଜନ’ ନାମ ଦେଇଛି। ସେହିପରି ଆମେରିକା ଏହି ସାମରିକ ଆକ୍ରମଣକୁ ‘ଅପରେସନ୍ ଏପିକ୍ ଫ୍ୟୁରି’ ଭାବେ ନାମିତ କରିଛି। ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପ୍ରସଙ୍ଗରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ଏହି ଆକ୍ରମଣ ହୋଇଛି। ଆମେରିକା ବାରମ୍ବାର ଇରାନ୍‌କୁ ଏପ୍ରକାର ଆଣବିକ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ତଥା ତୁରନ୍ତ ବନ୍ଦ କରିବାକୁ ଧମକ ତଥା ଚେତାବନୀ ଦେଇଆସୁଥିବା ବେଳେ ଇରାନ୍ କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରୁନଥିଲା ଏବଂ ନିଜ ଅନୁସାରେ କାର୍ଯ୍ୟକ୍ରମ ଜାରି ରଖିଥିଲା।

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ନେଇ ଭାରତ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରତିକ୍ରିୟା ପ୍ରକାଶ କରି ସମସ୍ତ ପକ୍ଷକୁ ସଂଯମ ରକ୍ଷା କରିବା, ଉତ୍ତେଜନା ବୃଦ୍ଧି ନ କରିବା ତଥା ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଉତ୍ତେଜନା ପ୍ରଶମିତ କରିବା ତଥା ଅନ୍ତର୍ନିହିତ ପ୍ରସଙ୍ଗଗୁଡ଼ିକୁ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ସମାଧାନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ସମଗ୍ର ଇରାନ ଓ ଆମେରିକାର ସାମରିକ ଘାଟି ନିକଟବର୍ତ୍ତୀ ସହରରେ ରହୁଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି। ତେବେ ଭାରତୀୟ ନାଗରିକଙ୍କ ସହିତ ଦୂତାବାସ ସମ୍ପର୍କରେ ଥିବାବେଳେ ସତର୍କ ରହିବାକୁ କୁହାଯାଇଛି। ସ୍ଥାନୀୟ ସୁରକ୍ଷା ନିର୍ଦ୍ଦେଶ ମାନିବା ସହିତ ଭାରତୀୟ ମିଶନ ସମ୍ପର୍କରେ ରହିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking