– ନିଦ ହଜାଇଲା ଭାରତର ନାଗାସ୍ତ୍ର, ହାପୋର ଡ୍ରୋନ୍
– ଚେତାବନୀ ସତ୍ତ୍ୱେ ଶୁଣିଲାନି ପାକିସ୍ତାନ, ଆକ୍ରମଣ କଲା
– ଜବାବୀ ଆକ୍ରମଣ ଆରମ୍ଭ କଲା ଭାରତୀୟ ସେନା
– ପୁରା ପାକିସ୍ତାନ ବ୍ଲାକ୍ଆଉଟ, ଜରୁରି ବୈଠକ ଡାକିଲେ ଶେହବାଜ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଆକ୍ରମଣ-ପ୍ରତିଆକ୍ରମଣ ଗୁରୁବାର ରାତି ସୁଦ୍ଧା ପ୍ରଚଣ୍ଡ ଯୁଦ୍ଧର ରୂପ ନେଇସାରିଛି। ପାକିସ୍ତାନକୁ ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ୱେ ପାକିସ୍ତାନ ପକ୍ଷରୁ ଗୁରୁବାର ଜମ୍ମୁ କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରାଯିବା ପରେ ଭାରତ ମଧ୍ୟ ଏବେ ଆକ୍ସନ ମୋଡ୍କୁ ଆସିଯାଇଛି। ଭାରତୀୟ ସେନା ଏବେ ପାକିସ୍ତାନ ଉପରେ ପ୍ରଚଣ୍ଡତାର ସହ ଜବାବୀ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି। ରିପୋର୍ଟ ଅନୁସାରେ ଭାରତ ଏବେ ପାକିସ୍ତାନ ଲାହୋର, ଇସଲାମାବାଦ୍, ସିଆଲକୋଟ, କରାଚୀ, ଜାଲିୱାତ୍ ସମେତ ପିଓକେର ବାହାବଳନଗର ଅନେକ ସ୍ଥାନରେ ଭାରତୀୟ ସେନା ପ୍ରବେଶ କରିଛି। ଏସବୁ ସ୍ଥାନଗୁଡ଼ିକରେ ଭାରତ ଏବେ ଡ୍ରୋନ୍ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏସବୁ ଅଞ୍ଚଳକୁ ଭାରତୀୟ ସେନା ଏବେ ଟାର୍ଗେଟ୍କୁ ନେଇଛି।
ଭାରତୀୟ ସେନାର ଅପରେସନ୍ ସିନ୍ଦୂର’କୁ ନେଇ ଭୟଭୀତ ହୋଇପଡିଥିବା ପାକିସ୍ତାନ ବୁଧବାର ବିଳମ୍ବିତ ରାତିରେ ଭାରତୀୟ ସୀମାରେଖାରେ ଥିବା ଏକ ଗୁରୁଦ୍ୱାରା ଉପରେ ଆକ୍ରମଣ କରିଥିଲା। ଏହାର ଜବାବ ଦେବାକୁ ଯାଇ ଗୁରୁବାର ଭୋର ସମୟରେ ଭାରତ ପାକିସ୍ତାନ ଉପରେ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣ କରିଥିଲା। ଏହାକୁ ଅପରେସନ୍ ସିନ୍ଦୂର-୨.୦ ଭାବେ ଅଭିହିତ କରାଯାଉଥିଲା। ଭାରତର ଏହି ଆକ୍ରମଣରେ ଏଥିରେ ପାକିସ୍ତାନର ଅଧିକାଂଶ ସାମରିକ ପ୍ରତିଷ୍ଠାନଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଅନେକ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ତେବେ ପୂର୍ବ ଥର ଭଳି ଏଥର ମଧ୍ୟ ଭାରତ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯିବା ପୂର୍ବକ କୁହାଯାଇଥିଲା ଯେ, ପରିସ୍ଥିତିକୁ ପାକିସ୍ତାନ ଅଧିକ ନ ବିଗାଡିବା ଉଚିତ୍। ପହଲଗାମ ଘଟଣାର ପ୍ରତିଶୋଧ ଅପରେସନ୍ ସିନ୍ଦୂର’ରେ ନିଆଯାଇସାରିଛି। ପାକିସ୍ତାନ ଯଦି ଏହାକୁ ଆଗକୁ ନ ବଢ଼ାଏ ତେବେ ଏହା ପାକିସ୍ତାନ ପାଇଁ ମଙ୍ଗଳକାରୀ ହେବ। କିନ୍ତୁ ପାକିସ୍ତାନ ଏହାକୁ ଭୃକ୍ଷେପ କରି ଗୁରୁବାର ରାତିରେ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଥିଲା। ଜବାବରେ ଭାରତୀୟ ସେନା ଏବେ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ପାକିସ୍ତାନକୁ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ କଡା ତାଗିଦ୍ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ସହ ଏସମ୍ପର୍କରେ କଥା ହୋଇଛନ୍ତି। ଅନ୍ୟପକ୍ଷେ ଆମେରିକା ଏବଂ ୟୁରୋପୀୟ ସଂସଦ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିବା ମଧ୍ୟ ଜଣାପଡିଛି। ତେବେ ଜୟଶଙ୍କର ଏହି ଅବସରରେ ସମସ୍ତ ପକ୍ଷଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ, ଆକ୍ରମଣର ପ୍ରତିଶୋଧ ନିଆଯିବ, ଉଚିତ୍ ଜବାବ ଦିଆଯିବ।
ଅନ୍ୟପକ୍ଷେ ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣର ଭାରତୀୟ ସେନା ଦୃଢ଼ ଜବାବ ଦେଇଛି। ବିଶେଷକରି ଜମ୍ମୁ କାଶ୍ମୀରର ଆରଏସ୍ପୁରା ଓ ଆର୍ଣ୍ଣିଆ ସେକ୍ଟର ସତୱାରୀ, ସାମ୍ବ।। ସେକ୍ଟରରେ ପାକିସ୍ତାନ କରିଥିବା ଆକ୍ରମଣକୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଭାରତୀୟ ସେନା ବିଫଳ କରିଦେଇଛି। ଏସବୁ ପ୍ରାନ୍ତରେ ପାକିସ୍ତାନର ପ୍ରାୟ ୮ରୁ ଅଧିକ ରକେଟ୍/ମିସାଇଲଗୁଡ଼ିକୁ ଆକାଶମାର୍ଗରୁ ହିଁ ମାରି ଖସାଇବାରେ ସଫଳ ହୋଇଛି। ସେହିପରି ଭାରତୀୟ ବାୟୁସେନା, ପାକିସ୍ତାନର ଏକାଧିକ ଲଢ଼ୁଆ ଯୁଦ୍ଧ ଜାହାଜ ଏଫ୍-୧୬କୁ ମଧ୍ୟ ମାରି ଖସାଇଥିବା ଜଣାପଡିଛି। ଏସବୁ ମଧ୍ୟରେ ପାକିସ୍ତାନର ଆକ୍ରମଣକୁ ନେଇ ଭାରତୀୟ ସେନା ପକ୍ଷରୁ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଛି। ସେହିପରି ଭାରତୀୟ ଜମ୍ମୁ ସହ ଅଖନୁରରେ ବି ମଧ୍ୟ ଯୁଦ୍ଧ ସାଇରନ୍ ବଜାଇଛି ଭାରତୀୟ ସେନା।
ଭାରତର ଅପରେସନ୍ ସିନ୍ଦୁର’ ପରେ ପ୍ରତିଶୋଧରେ ଜର୍ଜରିତ ପାକିସ୍ତାନ ଏବେ ସୀମାରେଖାରେ ଥିବା ଭାରତୀୟ ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି। ପାକିସ୍ତାନ ପକ୍ଷରୁ ଜମ୍ମୁ କାଶ୍ମୀରର ପ୍ରାନ୍ତୀୟ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରାଯାଉଛି। ଭାରତୀୟ ସେନା ଏସବୁର ଜବାବ ଦେଉଛି। ରିପୋର୍ଟ ଲେଖାହେବା ସୁଦ୍ଧା ଭାରତ ବର୍ତ୍ତମାନ ସୁଦ୍ଧା ୫୬ରୁ ଅଧିକ ପାକିସ୍ତାନୀ ଡ୍ରୋନ୍କୁ ଖସାଇସାରିଛି। ସେହିପରି ଭାରତୀୟ ନୌସେନା ମଧ୍ୟ ଏବେ ପାକିସ୍ତାନ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛି। ଆରବ ସାଗରରୁ ଆଇଏନ୍ଏସ୍ ବିକ୍ରାନ୍ତ’ ପାକିସ୍ତାନ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ଭାରତର ଏପ୍ରକାର ପ୍ରଚଣ୍ଡ ଆକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ପାକିସ୍ତାନକୁ ବ୍ଲାକ୍ ଆଉଟ୍ କରିଦିଆଯାଇଛି। ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗତ ୨୪ ଘଣ୍ଟା ମଧ୍ୟରେ ୩ୟ ବୈଠକ କରିଛନ୍ତି। ପାକିସ୍ତାନ ମାଟିରେ ଭାରତର ଏପ୍ରକାର ସିଧାସଳଖ ଆକ୍ରମଣ ପରେ ଶେହବାଜ ଜରୁରି ବୈଠକ ଡକାଇ ନିଜ ସେନା ତଥା ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।
ପ୍ରକାଶ, ଗୁରୁବାର ପ୍ରାତଃ ସମୟରେ ଭାରତ ପଟୁ ହୋଇଥିବା ଆକ୍ରମଣରେ ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆତ୍ମଘାତୀ ଡ୍ରୋନ୍ ନାଗାସ୍ତ୍ର’କୁ ବ୍ୟବହାର କରିଥିଲା। ସେହିପରି ଇସ୍ରାଏଲ ନିର୍ମିତ ଦୁର୍ଦ୍ଦଷ ଡ୍ରୋନ୍ ହାପୋରକୁ ମଧ୍ୟ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ବ୍ୟବହାର କରିଥିଲା। ଏହା ପାକିସ୍ତାନରେ ବଡ଼ ବିପର୍ଯୟ ସୃଷ୍ଟି କରିଥିବା କୁହାଯାଉଛି। ପାକିସ୍ତାନର ଅନେକ ସାମରିକ ଘାଟିକୁ ଟାର୍ଗେଟ୍ କରି ଭାରତୀୟ ସେନା ଆଜି ଏହି ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ରାୱଲପିଣ୍ଡି ଷ୍ଟାଡିୟମ୍ରେ ମଧ୍ୟ ଏକ ଡ୍ରୋନ୍ ମାଡ଼ ହେବା ଯୋଗୁ ସମଗ୍ର ଷ୍ଟାଡିୟମ୍ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।