ଲକ୍ଷ୍ନୌ: ଉତ୍ତରପ୍ରଦେଶ ବରେଲୀରେ ୪ ବର୍ଷର ପିଲାଙ୍କୁ ହତ୍ୟା କରିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପିଲାଟି ଖେଳୁ ଖେଳୁ କେଉଁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ପିଲାଟି ପଡୋଶୀରେ ରହୁଥିବା ଜଣକ ଘରେ ଅଖାରେ ମିଳିଥିଲା । ପୋଲିସ ଏହି ଘଟଣାରେ ପଡୋଶୀଙ୍କ ସହିତ ଅନ୍ୟ ଜଣକୁ ଗିରଫ କରିଛି । ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ଖବର ମୁତାବକ, ବରେଲୀ ଇଜ୍ଜତ ନଗର ଥାନା ଶିକାରପୁର ଚୌଧୁରୀ ଗାଁରେ ରହୁଥିବା ରାଜୁଙ୍କ ୪ ବର୍ଷର ଝିଅ ମିଷ୍ଟି ଶନିବାର ଅପରାହ୍ନରେ ଘର ବାହାରେ ଖେଳୁଥିଲା ।
ପରିବାରର ଲୋକ ଖେତରେ କାମ କରୁଥିବା ବେଳେ ପିଲାଟି ହଠାତ୍ କେଉଁଆଡେ ଗାଏବ ହୋଇଯାଇଥିଲା । ପିଲାକୁ ବହୁତ ଖୋଜାଖୋଜି କରିବା ପରେ ନ ମିଳିବାରୁ ଅନ୍ୟ ଲୋକଙ୍କୁ ସୂଚନା ଦିଆଯାଇଥିଲା । ପରିବାର ସହିତ ଗାଁ ଲୋକଙ୍କ ମଧ୍ୟ ପିଲାଟିକୁ ବହୁତ ଖୋଜାଖୋଜି କରିଥିଲେ । ଏହାପରେ ମଧ୍ୟ ପିଲାଟିକୁ ପାଇନଥିଲେ । ପରିବାର ଲୋକ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଛାନଭିନ୍ ଆରମ୍ଭ ହୋଇଥିଲା । ପୋଲିସର ଏକ ଟିମ୍ ଘରର ଆଖପାଖ ଘରେ ଖୋଜିବା ବେଳେ ରାତି ୧୧ରେ ଏକ ରୁମରେ କପଡା ତଳେ ଅଖାରେ ଭର୍ତ୍ତି ହୋଇଥିବା ପିଲାର ମୃତଦେହ ପାଇଥିଲା । ପିଲାର ମୃତଦେହ ପାଇବା ପରେ ପୋଲିସ ସେହି ଘରର ମହିଳା ସାବିତ୍ରୀଙ୍କୁ ଗିରଫ କରିଥିଲା ।
ମୃତ ପିଲାର ଜେଜେଙ୍କ କହିବା ମୁତାବକ, ନାତୁଣୀ ଘର ବାହାରେ ଖେଳୁଥିଲା । ସେମାନେ ଧାନ କାଟିବାରେ ବ୍ୟସ୍ତ ଥିବା ବେଳେ ପିଲାଟି ନିଖୋଜ ହୋଇଥିଲା । ତେବେ ଗିରଫ ହୋଇଥିବା ମହିଳା ସାବିତ୍ରୀ ମୃତ ପିଲାର ବଡବୋଉ ବୋଲି ଜଣାପଡିଛି । ମୃତ ମିଷ୍ଟି ସବୁବେଳେ ତାଙ୍କ ଘରକୁ ଖେଳିବାକୁ ଯାଏ । ତେଣୁ ପିଲାକୁ ତଣ୍ଟି ଚିପି ହତ୍ୟା କରିବା ପରେ ଅଖାରେ ଭରିଦେଇଥିଲେ ମହିଳା । ମୃତଦେହକୁ ଲୁଚାଇବା ପାଇଁ ଏହା ଉପରେ କପଡା ଗଦାଇ ଦେଇଥିଲେ । ପୋଲିସ ଘଟଣା ସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କ’ଣ ପାଇଁ ସାବିତ୍ରୀ ମିଷ୍ଟିକୁ ହତ୍ୟା କରିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ମାମଲାରେ ଅଧିକ ଛାନଭିନ୍ କରୁଛି ।