18.1 C
Bhubaneswar
Saturday, December 20, 2025
Homeଓଡିଶାସରକାରୀ ବାବୁଙ୍କ ଟଙ୍କାର ପାହାଡ଼

ସରକାରୀ ବାବୁଙ୍କ ଟଙ୍କାର ପାହାଡ଼

ଜଗତସିଂହପୁର: ଆଉ ୬ ମାସ ପରେ ଅବସର ନେଇଥାନ୍ତେ। ତେବେ ତା’ ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ କରିଛି ଦୁର୍ନୀତି ନିବାରଣ ବିଭାଗ ଟିମ୍‌। ତିର୍ତ୍ତୋଲ ଥାନା ସାମନ୍ତରାୟପୁର ଗାଁ ସ୍ଥିତ ପୈତୃକ ବାସଭବନରେ ବି ଚଢ଼ଉ ହୋଇଛି। ତେବେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ, ସୁନା ଗହଣା ଓ ନଗଦ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚୱାରେଣ୍ଟ ଭଳରେ ଶନିବାର ଭିଜିଲାନ୍ସ ଚଢଉ କରାଯାଇଛି। ଶ୍ରୀ ସାମନ୍ତରାୟଙ୍କ ୪ଟି ସ୍ଥାନ ଯଥା ଜଗତସିଂହପୁର ସଦର ମହକୁମା ଚାଟ୍ରା ଗ୍ରାମ ସ୍ଥିତ ତାଙ୍କର ୩ମହଲ୍ଲା ବିଶିଷ୍ଟ ଲଗଜୋରୀ ଅବାସିକ ବାସଗୃହ, ନିଜ ଗ୍ରାମ ସାମନ୍ତରାୟପୁର ସ୍ଥିତ ୨ମହଲ୍ଲା ବିଶିଷ୍ଟ ଛାତ ଘର, ଜଗତସିଂହପୁର ସାଁପୁର ସ୍ଥିତ କଟକ ବନବିଭାଗ ଅଧୀନରେ ଥିବା ଫରେଷ୍ଟର କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର୍ସରେ ଏକ ସମୟରେ ଚଢ଼ଉ କରାଯାଇଛି।

ଏହି ଚଢ଼ଉରେ କୋଟି କୋଟି ଟଙ୍କା ମୂଲ୍ୟର ଗୋଟିଏ ୩ ମହଲା ବିଶିଷ୍ଟ କୋଠା ଘର(୫୫୦୦ ବର୍ଗଫୁଟ), ୫ଟି ମୂଲ୍ୟବାନ ପ୍ଲଟ( କଟକ ସହର ଉପକଣ୍ଠରେ ୨ଟି ଓ ଜଗତସିଂହପୁରରେ ୩ଟି), ନଗଦ ୩ଲକ୍ଷ ୬୯ହଜାର ଟଙ୍କା, ୨୫୦ଗ୍ରାମ ଓଜନର ସୁନା, ଜମା (ବ୍ୟାଙ୍କ, ଡାକ, ବୀମା ଇତ୍ୟାଦି) ରାଶି ୮୦ଲକ୍ଷ ୬୮ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ୨ଟି ଦୁଇ ଚକିଆ ଯାନ, ୧୧ଲକ୍ଷ ଟଙ୍କା ମୂଲ୍ୟର ଘର ଉପକରଣ ଇତ୍ୟାଦି ଠାବ କରାଯାଇଛି। ଖବର ଲେଖା ସୁଦ୍ଧା ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉକି ପ୍ରତିମାସ ୧୫୦୦ ଟଙ୍କା ଦରମା ସହିତ ଫରେଷ୍ଟର ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ରାଜେନ୍ଦ୍ର। ପରେ ପଦୋନ୍ନତି ପାଇ ୨୦୨୧ ଜୁନ ୧୫ରେ ଡେପୁଟି ରେଞ୍ଜର ଭାବେ ଅନୁଗୁଳୁରେ ଯୋଗ ଦେଇଥିଲେ। ପୁନର୍ବାର ୨୦୨୩ ଅଗଷ୍ଟ ୩୧ରେ ଶ୍ରୀ ସାମନ୍ତରାୟଙ୍କୁ ରେଞ୍ଜର ପଦବୀକୁ ପଦୋନ୍ନତି ଦିଆଯାଇଥିଲା, ଏବଂ ସେ ଜଗତସିଂପୁରର ରାହାମା ବନାଞ୍ଚଳରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଜଗତସିଂପୁରରେ ଏହି ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ଏହି ଚଢ଼ଉରେ ୪ଟି ସ୍ଥାନ ପାଇଁ ୪ଟି ଟିମ୍ କରାଯାଇଛି। ଏହି ଟିମ୍‌ରେ ୨ଜଣ ଅତିରିକ୍ତ ଏସ୍‌.ପି, ୫ଜଣ ଡିଏସ୍‌ପି, ୮ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟତାକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking