26.1 C
Bhubaneswar
Wednesday, March 25, 2026
Homeଓଡିଶାବିଲୁପ୍ତ ହେଲାଣି ଘୁମୁରା ନାଚ

ବିଲୁପ୍ତ ହେଲାଣି ଘୁମୁରା ନାଚ

ଭୁବନେଶ୍ୱର: ପ୍ର‌ାଚୀନ ପରମ୍ପରା କଳା ସଙ୍କୃତି ଢଗ ଢଗା ଳି ହାଲୁଆ ଗୀତ ବିଭିନ୍ନ ନାଚ ଗୀତା ପ୍ରଭୃତି ଆଧୁନିକ ଯୁଗରେ ଲୋପ ପାଇବାକୁ ବସିଲାଣି l କେନ୍ଦ୍ର ଓ ରାଜ୍ୟ ପ୍ରାଚୀନ କଳା ସଂସ୍କୃତି କୁ ଉଦ୍ ଜୀବିତ କରିବା ପାଇଁ ଧ୍ୟାନ ଦେଉ ନାହାନ୍ତି ଏହାର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଘୁମୁରା ନୃତ୍ୟ ନାଚକୁ ନେଇ ଶବର ସଂସ୍କୃତି ପରିପୁଷ୍ଟ। ସୁକିନ୍ଦା ଓ ଦାନଗଦୀ ବ୍ଲକର ପଲ୍ଲୀ ‌ସୌରିକ ସୂର୍ଯ୍ୟବଂଶୀ ଶବର ସମାଜ ଓ ନବପଲ୍ଲୀ ଗଣ୍ଡିବର ସୂର୍ଯ୍ୟବଂଶୀ ଶବର ସମାଜରେ ଆଉ ପାରମ୍ପରିକ ଘୁମୁରା ନାଚ ଦେଖିବାକୁ ମିଳୁନି। ଟାଟାଷ୍ଟିଲ ଫାଉଣ୍ଡେସନ(ଟିଏସ୍‌ଏଫ୍‌) ପକ୍ଷରୁ ଏହି ବିଲୁପ୍ତ ଲୋକକଳାକୁ କିଛିକାଂଶରେ ଉତ୍ସାହିତ କରାଯାଇଥିଲେ ହେଁ ଆଧୁନିକ ଯୁବ ସମାଜ ଏହାପ୍ରତି ସାମାନ୍ୟତମ ଆଗ୍ରହ ଦେଖାଉନଥିବା କୁହାଯାଉଛି। କିଛି ପୃଷ୍ଠପୋଷକଙ୍କ ସହାୟତାରେ କାଁଭାଁ ଘୁମୁରା ନୃତ୍ୟଗୀତ ପରି‌ବେଷଣ ହେଉଥିଲେ ହେଁ ଯୁବ ଘୁମୁରା ନୃତ୍ୟଶିଳ୍ପୀଙ୍କୁ ଦେଖିବାକୁ ମିଳେନି। ପ୍ରସଙ୍ଗକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ଗୋଖତ ଗାଁର ବର୍ଷିଆନ ଆଞ୍ଚଳିକ ଘୁମୁରା ନୃତ୍ୟ ଗୁରୁ ପୀତବାସ ଦେହୁରୀ।

୮୫ ବର୍ଷ ବୟସରେ ନିଜେ ମଞ୍ଚରେ ଘୁମୁରା ବଜାଇ ନାଚୁଛନ୍ତି ଓ ଗାଉଛନ୍ତି ଗୁରୁ ପୀତବାସ। ତିନି ଦିଗରୁ ଏହି ଲୋକକଳାରେ ତାଙ୍କ ପ୍ରଦର୍ଶନ ଓ ତାଳମେଳ ଅତୁଳନୀୟ ବୋଲି ତାଙ୍କ ସହକଳାକାର ଆତ୍ମା ଦେହୁରୀ, ସାନନ୍ଦ ଦେହୁରୀ, ଚକ୍ରଧର ଦେହୁରୀ, ଗୋବିନ୍ଦ ଦେହୁରୀ, କାଠିଆ ଦେହୁରୀ, ଯାଦବ ଦେହୁରୀ, କରମା ଦେହୁରୀ ପ୍ରମୁଖ କହନ୍ତି। ବାପା ସ୍ବର୍ଗତ କୁମର ଦେହୁରୀ, ଦାଦା ସ୍ବର୍ଗତ ନଟବର ଦେହୁରୀ, ସ୍ବର୍ଗତ ନାୟା ଦେହୁରୀ, ସ୍ବର୍ଗତ କୈବଲ୍ୟ ଦେହୁରୀ, ସ୍ବର୍ଗତ ପଦନ ଦେହୁରୀ, ସ୍ବର୍ଗତ ପଦନ ଦେହୁରୀ ଓ ସ୍ବର୍ଗତ ଅଇଁଠୁ ଦେହୁରୀଙ୍କ ଠାରୁ ସେ ଏହି ଲୋକକଳା ଶିଖିଥିବା କହନ୍ତି ପୀତବାସ। ପିଲାଦିନେ ପଲ୍ଲୀ ସୌରିକର କିଆଝର, ଟୁଙ୍ଗେଇଶୁଣି, ନାତୋର, ଦେଓଗାଁ, ରଗଦା, ଚିଙ୍ଗୁଡ଼ିପାଳ, ଅରଡ଼ାପାଳ, ପାଟଣା, ଧ’ବାହାଳି, ବଣସାହି, ଗୋଖତ, ବେଣାଗାଡ଼ିଆ, ରଙ୍ଗମାଟିଆ, ଗୁରୁଜଙ୍ଗ, କାଳିଆପାଣି, କଅଁସ, ଓସ୍ତପାଳ, ତଳଙ୍ଗି, ସାରୁଆବିଲ, ସୁକ୍ରଙ୍ଗି ଓ କଲରଙ୍ଗି ଏବଂ ଗଣ୍ଡିବରର କୁସୁମୁଣ୍ଡିଆ, କାକୁଡ଼ିଆ, ଭାଲୁକିପାତଳା, ଗରାମିଆଁ, ଗନ୍ତାୟତ କାଟେଣି, ଗିରିଙ୍ଗାମାଳି, କରଡ଼ାଗାଡ଼ିଆ, ପିମ୍ପୁଡ଼ିଆ ଓ ରାଙ୍କିଆ ଗାଁରେ ସଂଧ୍ୟାରେ ଘୁମୁରା ଆଖଡ଼ା ଚାଲୁଥିଲା। ବହୁ କିଶୋରକିଶୋରୀ ଓ ଯୁବକଯୁବତୀ ଘୁମୁରା ପ୍ରତି ଆକର୍ଷିତ ହେଉଥିଲେ। ଗହ୍ମା ପୂର୍ଣ୍ଣିମା ଓ ଶ୍ରୀରାମ ନବମୀରେ ଆମେ ନିଶ୍ଚିତ ଭାବେ ଗାଁଗାଁ ବୁଲି ୩ ରୁ ୭ ଦିନ ଘୁମୁରା ନାଚ ପରିବେଷଣ କରାଯାଉଥିଲା ବୋଲି କହନ୍ତି ପୀତବାସ। ଗୋଖତ ଓ ପାଟଣା ଗାଁର କିଛି ବରିଷ୍ଠ କଳାକାରଙ୍କ ବ୍ୟତୀତ ଏବେ ଅନ୍ୟ ସବୁ ଗାଁରେ ଘୁମୁରା ନିଶ୍ଚିହ୍ନ ପ୍ରାୟ। ସେହିପରି ମହିଳା ନୃତ୍ୟଶିଳ୍ପୀଙ୍କ ଅଭାବରୁ କଳାକୁ ବଞ୍ଚାଇ ରଖିବ‌ା ପ୍ରୟାସରେ ପୁରୁଷ ସହକଳାକାରମାନଙ୍କୁ ମହିଳା ବେଶରେ ନୃତ୍ୟ କରାଇବାକୁ ପଡ଼ୁଥିବା ସେ କହନ୍ତି।

କୁମ୍ଭାର ପାଖକୁ ଯାଇ ନିଜ ପସନ୍ଦ ଆଧାରରେ ଘୁମୁରା ଆକୃତିର ସ୍ବତନ୍ତ୍ର ମାଟିହାଣ୍ଡି ତିଆରି ପରେ ଏହାକୁ ଭଲଭା‌ବେ ପୋଡ଼ ଦିଆଯାଏ। ଏହାର ମୁହଁରେ ଗୋଧିଛାଲରେ ଆଚ୍ଛାଦିତ କରି ଶିଆଳି ଲଇରେ ମୁହଁକୁ ଭଲଭାବେ ବାନ୍ଧି ଦିଆଯାଏ। ଏହାପରେ ବିଭିନ୍ନ ଚିତ୍ରକଳା ଓ କପଡ଼ାରେ ସଜାଯାଇ ଘୁମୁରା ବାଦ୍ୟଯନ୍ତ୍ର ପ୍ରସ୍ତୁତ କରାଯାଇଥାଏ। ସାଧାରଣତଃ ପୁରାଣ ବର୍ଣ୍ଣିତ ରାମାୟଣ ଓ ପ୍ରଭୁ ନୀଳମାଧବଙ୍କ ଲୀଳାଖେଳା ଆଧାରିତ ସ୍ବତନ୍ତ୍ର କବିତା ଓ ଗୀତ ସଂକଳନକୁ ନେଇ ଘୁମୁରା ଗୀତ ଲେଖାଯାଇଥିବା କହନ୍ତି ଗୁରୁ ପୀତବାସ। ସେ ବିନା ପାରିଶ୍ରମିକରେ ଏହି ଲୋକକଳା ଶିଖାଇବାକୁ ଆଗ୍ରହୀ ଥିଲେ ହେଁ ଆଗ୍ରହୀ ଶିଷ୍ୟ ନାହାନ୍ତି। ଡାକିହାକି ଘୁମୁରା ଦେଖାଇଲେ ପିଲାଏ ଲୁଚୁଛନ୍ତି। ଶୈଶବରୁ ୭୫ ବର୍ଷ ଧରି ଘୁମୁରାକୁ ଧରି ନାଚୁଥିଲେ ହେଁ ତାଙ୍କ ଜୀବଦଶାରେ ଏହି ଲୋକକଳା ଏମିତି ବୁଡ଼ିଯିବ ବୋଲି ‌ସେ କେବେ ବି କଳ୍ପନା କରିନଥିଲେ ବୋଲି ମନ୍ତବ୍ୟ ଦେଇ କ୍ଷୋଭ ପ୍ରକାଶ କରନ୍ତି ଏହି ବରିଷ୍ଠ ନୃତ୍ୟଗୁରୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking