18.1 C
Bhubaneswar
Friday, December 27, 2024
Homeଓଡିଶାବାର୍ଷିକ ବଜେଟ୍ ପାଇଁ ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ

ବାର୍ଷିକ ବଜେଟ୍ ପାଇଁ ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ

ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ଉପସ୍ଥାପନ ନିମନ୍ତେ ଆଜିଠୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଶନିବାର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ୨୦୨୫ ଫେବୃୟାରୀ ତୃତୀୟ ସପ୍ତାହରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ । ତେଣୁ ୨୦୨୪-୨୫ ପାଇଁ ସଂଶୋଧିତ ଆକଳନ ଓ ୨୦୨୫-୨୬ ନିମନ୍ତେ ବଜେଟ୍ ଆକଳନର ପ୍ରକ୍ରିୟା ଶୀଘ୍ର ଶେଷ ହେବା ଆବଶ୍ୟକ ବୋଲି କହିଛନ୍ତି ।

ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ଗ୍ରହଣ କରିଥିବା ନୀତି ଆଧାରରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆକଳନ ପ୍ରସ୍ତୁତ ହେବ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିବା ସହ ରାଜ୍ୟ ସରକାର ବିକାଶର ୧୦ଟି ସ୍ତମ୍ଭ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି । ବିଜେପି ସରକାରଙ୍କ ବିକାଶର ୧୦ଟି ସ୍ତମ୍ଭ ହେଲା- ଅନ୍ନଦାତା(କୃଷକ), ନାରୀ ଶକ୍ତି(ମହିଳା), ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ସାବଲୀଳ ଜୀବନଶୈଳୀ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ-ବିକଶିତ ସହର-ବିକଶିତ ଓଡ଼ିଶା, ଶିଳ୍ପ, ରୋଜଗାର ଓ କର୍ମନିଯୁକ୍ତି, ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ଏବଂ ଲୋକଙ୍କ ସରକାର । ଲୋକଙ୍କ ସାମଗ୍ରିକ ଅଭିବୃଦ୍ଧି ଓ ଉନ୍ନତ ଜୀବନଧାରଣର ମାନକୁ ଧ୍ୟାନରେ ରଖି ଉତ୍ତର ଜନସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥ ବିଭାଗ କହିଛି ।

ଅର୍ଥ ବିଭାଗ ମଧ୍ୟ ରାଜ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ଆଦାୟ ଚଳିତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରିଛି । ସାମଗ୍ରିକ ଘରୋଇ ଉତ୍ପାଦ ବୃଦ୍ଧି, ମୁଦ୍ରାସ୍ପୀତି ଓ ଜାତୀୟ ତଥା ରାଜ୍ୟସ୍ତରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବୃଦ୍ଧିକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ଏହି ଆକଳନ କରିଥିଲେ ମଧ୍ୟ ଆନ୍ତର୍ଜାତିକସ୍ତରରେ ଖଣିଜ ମୂଲ୍ୟର ପରିବର୍ତ୍ତନ ହେତୁ ରାଜ୍ୟର ସମ୍ବଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି । ତଥାପି ପ୍ରାକୃତିକ ଓ ଆର୍ଥିକ ସମ୍ବଳ ସହ ମାନବ ସମ୍ବଳକୁ ବ୍ୟବହାର କରି ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ୮%ରୁ ସାଢ଼େ ୮ପ୍ରତିଶତକୁ ବୃଦ୍ଧି ପାଇବ ଏବଂ ୨୦୨୫-୨୬ରେ ମଧ୍ୟ ଏହି ଧାରା ସମାନ ଭାବେ ଜାରି ରହିବ ବୋଲି ଅର୍ଥ ବିଭାଗ ଆଶାବ୍ୟକ୍ତ କରିଛି । ତେବେ ପୂର୍ବ ଆର୍ଥିକ ବର୍ଷଗୁଡ଼ିକରେ କ୍ରମାଗତ ଭାବେ ଅବ୍ୟବହୃତ ଋଣ ସୀମାକୁ ପରବର୍ତ୍ତୀ ସମୟରେ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ବୋଲି ଅର୍ଥ ବିଭାଗ କହିଛି ।

ଏହାସହିତ ଏଫଆରବିଏମ୍ ଆକ୍ଟ-୨୦୦୫ ଅନୁଯାୟୀ ବଜେଟକୁ ରାଜସ୍ୱ ବଳକା ରଖିବା ସହ ବିତ୍ତୀୟ ନିଅଂଟ ପରିମାଣକୁ ଜିଏସଡିପିର ଅତିରିକ୍ତ ୦.୫% ଅର୍ଥାତ ୩.୫% ମଧ୍ୟରେ ସୀମିତ ରଖାଯିବ ବୋଲି ଅର୍ଥ ବିଭାଗ ସଙ୍କେତ ଦେଇଛି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ସାମଗ୍ରିକ ରାଜସ୍ୱ ଘରୋଇ ଉତ୍ପାଦ(ଜିଏସଡିପି)ର ୦.୫ପ୍ରତିଶତ ଅତିରିକ୍ତ ବାର୍ଷିକ ଋଣସୀମା ଉପଲବ୍ଧ ଅଛି, ଯାହାକି ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷେତ୍ରୀୟ ସଂସ୍କାର ଅନୁରୂପ । ତେଣୁ ବିତ୍ତୀୟ ନିଅଂଟ ପରିମାଣ ଜିଏସଡିପିର ସାଢ଼େ ୩ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଆକଳନ ହୋଇଛି । ପ୍ରସ୍ତାବିତ ବାର୍ଷିକ ବଜେଟରେ ରାଜ୍ୟର ପ୍ରାଥମିକତା ଅନୁରୂପ କ୍ଷେତ୍ରୀୟ ପ୍ରାଥମିକତା ଚିହ୍ନଟ କରାଯିବ ଓ ଇଏଫସି/ଏସଏଫସି ଦ୍ୱାରା ଅନୁମୋଦିତ ରାଜ୍ୟସ୍ତରୀୟ ଯୋଜନାଗୁଡ଼ିକ ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking