27.1 C
Bhubaneswar
Wednesday, April 1, 2026
Homeଓଡିଶା୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ; ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍‌କୁ...

୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ; ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍‌କୁ ମୋହର

– ଖର୍ଚ୍ଚ ପାଇଁ ଟ୍ରେଜେରୀକୁ ମିଳିଲା ଚାବିକାଠି
– ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୭% ଅଧିକ
– ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାର ଲକ୍ଷ୍ୟ
– ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ ୧୧.୦୭ ଲକ୍ଷ କୋଟି ହେବ
– ପୂରଣ ହେବ ଗରିବ, ଯୁବଶକ୍ତି, ଅନ୍ନଦାତା, ନାରୀଶକ୍ତିଙ୍କ ଆଶା ଆକାଂକ୍ଷା

ଭୁବନେଶ୍ୱର: ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଧେୟକ ହେଉଛି ବ୍ୟୟ ମଞ୍ଜୁରୀ ବିଲ୍‌। ଏହି ବିଲ୍ କେବଳ ଆଗାମୀ ଗୋଟିଏ ବର୍ଷ ପାଇଁ ନୁହେଁ, ଆଗାମୀ ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରଦାନ କରିଥାଏ। ଏହି ବ୍ୟୟ ମଞ୍ଜୁରୀ ବିଲ୍‌ରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଭବିଷ୍ୟତ ଯୋଡ଼ିହୋଇ ରହିଛି। ତେଣୁ, ରାଜ୍ୟବାସୀ ଆଶା କରନ୍ତି, ପ୍ରସ୍ତାବିତ ବଜେଟ୍‌ର ବିଭିନ୍ନ ଦିଗକୁ ଏହି ପବିତ୍ର ଗୃହରେ ତନ୍ନ ତନ୍ନ କରି ପରୀକ୍ଷା କରାଯାଉ। କିନ୍ତୁ, କ୍ଷୋଭର ବିଷୟ, ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଯେପରି ଗଭୀର ଭାବେ ଆଲୋଚନା କରାଯିବା କଥା, ତାହା ହୋଇ ନାହିଁ। ବିରୋଧୀଦଳ ଅନୁପସ୍ଥିତ ରହିଲେ। ଏହା ଉପରେ ବିରୋଧୀ ଦଳ ଆତ୍ମସମୀକ୍ଷା କରିବା ଉଚିତ୍‌। ମଙ୍ଗଳବାର ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ମୋଟ୍ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‌ର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରି ଏହି ମତ ପ୍ରକାଶ କରିଛନ୍ତି। ତାହା ବିଧାନସଭାର ମଞ୍ଜୁରୀଲାଭ କରିଛି। ଗତ ଫେବ୍ରୁଆରୀ ୨୦ରେ ଉକ୍ତ ବଜେଟ୍‌କୁ ସେ ଆଗତ କରିଥିଲେ। ଫଳରେ ଖର୍ଚ୍ଚ ପାଇଁ ଟେଜେରୀକୁ ମିଳିଛି ଚାବିକାଠି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬-୨୭ ବାର୍ଷିକ ବଜେଟ୍ ଗରିବ, ଯୁବଶକ୍ତି, ଅନ୍ନଦାତା ଏବଂ ନାରୀଶକ୍ତିଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ରାଜ୍ୟର ସାଢ଼େ ଚାରି କୋଟି ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ, ତଥା ସାମଗ୍ରିକ ଉନ୍ନତି ନିମନ୍ତେ ଏକ ଦୃଢ଼ ପଦକ୍ଷେପ। ୨୦୨୬-୨୭ ଆର୍ôଥକ ବର୍ଷର ବଜେଟ୍ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ କରିବାର ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ଉନ୍ନୟନ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ସର୍ବାଙ୍ଗୀନ ବିକାଶ ଏବଂ ମହିଳା ଓ ଶିଶୁ କଲ୍ୟାଣ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁଖପ୍ରଦ ବର୍ତ୍ତମାନ ଏବଂ ସମୃଦ୍ଧ ଭବିଷ୍ୟତ ଗଢିବା ନିମନ୍ତେ ଅନେକ ନୂତନ ଓ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି। ଏହି ବଜେଟ୍ ଅନେକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ୨୦ଜୁନ୍ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ୨୦୩୬ ଏବଂ ୨୦୪୭ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରକାଶ ପାଇବା ପରେ ଏହା ହେଉଛି, ଆମ ସମସ୍ତଙ୍କ ପାଇଁ ପ୍ରଥମ ବଜେଟ୍‌। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ବିଲିୟନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରହିଛି। ଏତଦ ବ୍ୟତୀତ ଭାରତର ଭିଜନ୍ ସହିତ ତାଳ ମିଳାଇ ରାଜ୍ୟ ସରକାର ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ଲକ୍ଷ ଟଙ୍କାରୁ ୩୨ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣର ମାନରେ ଉନ୍ନତି ଆଣିବା, ବହୁମୁଖୀ ଦାରିଦ୍ର‌୍ୟକୁ ୫ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମିକଙ୍କ ଅଂଶଗ୍ରହଣକୁ ୭୦ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬-୨୭ବଜେଟ ଆକଳନ ଅନୁଯାୟୀ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ ୧୧.୦୭ ଲକ୍ଷ କୋଟି ହେବ । ରାଜ୍ୟର ଅଭିବୃଦ୍ଧି ହାର ଆଗାମୀ ବର୍ଷରେ ହାରାହାରି ୮ପ୍ରତିଶତ କିମ୍ବା ତଦୁର୍ଦ୍ଧ ରହିବାର ଆଶା କରାଯାଉଛି। ରାଜ୍ୟର ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ କରିବାରେ ଆମ ସରକାର ସଫଳ ହୋଇଛନ୍ତି ଏବଂ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏହା ଯଥେଷ୍ଟ କମ ରହିଛି । ସରକାରଙ୍କ ସକ୍ରିୟ ନୀତି ଏବଂ ଶିଳ୍ପ ସମର୍ôଥତ ପଦକ୍ଷେପ ମାନଙ୍କ ଫଳରେ ରାଜ୍ୟରେ ଘରୋଇ ନିବେଶରେ ଅଭୂତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ଓଡ଼ିଶା ଦେଶର ପ୍ରସ୍ତାବିତ ମୋଟ୍ ଘରୋଇ ବିନିଯୋଗର ପ୍ରାୟ ୧୩.୧ପ୍ରତିଶତ ଅଂଶୀଦାର ହେବା ସହ ପୁଞ୍ଜି ବିନିଯୋଗ ଆକର୍ଷଣ ଦୃଷ୍ଟିରୁ ଦ୍ୱିତୀୟ ସର୍ବୋଚ୍ଚ ରାଜ୍ୟ ହୋଇପାରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ଏବଂ ଯୁବପିଢ଼ିଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ପାଇଁ ସରକାର ଏହି ବଜେଟ୍‌ରେ କେତେକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟର ଶିଳ୍ପ ଓ ଖଣି କ୍ଷେତ୍ରକୁ ଦୃଷ୍ଟିରେ ରଖି କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ଖଣି ଏବଂ ଧାତୁ ବିଜ୍ଞାନ ପାଇଁ ଏକ ଉରଦ୍ଭଗ୍ଧକ୍ସର କ୍ଟଲ ଋଙ୍ଘମରକ୍ଷକ୍ଷରଦ୍ଭମର ପ୍ରତିଷ୍ଠା କରାଯାଇ ଓଡ଼ିଶାରେ କୁଶଳୀ ଯୁବଶକ୍ତି ସୃଷ୍ଟି କରାଯିବ। ଏଥିସହିତ ପାରାଦୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍ ସ୍ଥାପନ କରାଯିବ। ସେହିଭଳି ଆମ ସରକାରଙ୍କ ସ୍ୱାସ୍ଥ୍ୟ ଶିକ୍ଷା ଓ ଆୟୁଷ ପଦ୍ଧତିର ପ୍ରଚାର ପ୍ରସାର ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାରେ ୩ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା କରିବାର ନିଷ୍ପତ୍ତି ହୋଇଛି। ୨୦୨୬-୨୭ ବଜେଟ୍‌ରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ନାଗରିକ ଓ ଅସହାୟ ବର୍ଗଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆମ ସରକାର ଅନବରତ ପ୍ରୟାସରତ । ରାଜ୍ୟର ପ୍ରାୟ ୬ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତି ସାମାଜିକ ସୁରକ୍ଷା ପେନ୍‌ସନ୍‌ରୁ ବଞ୍ଚିତ ହେବା ଏବଂ ଜଣେ ହିତାଧିକାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ୟ ଜଣଙ୍କୁ ଅପେକ୍ଷା କରିବାକୁ ପଡ଼ିବା ଭଳି ଦୁର୍ଭାଗ୍ୟଜନକ ସ୍ଥିତିକୁ ଆମ ସରକାର ସମାପ୍ତ କରିବାର ପ୍ରତିଜ୍ଞା ନେଇଛନ୍ତି। ଏହି ଅନ୍ୟାୟର ସ୍ଥାୟୀ ସମାଧାନ ପାଇଁ ‘ମଧୁବାବୁ ପେନ୍‌ସନ୍ ଯୋଜନା’କୁ ଏବେ ‘ସାଚୁରେସନ୍ ମୋଡ୍‌’ରେ କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଜେଟ୍‌ରେ ସହରାଞ୍ଚଳର ରୂପାନ୍ତରଣ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଆମେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡରକୁ ଏକ ପ୍ରମୁଖ ଦୀର୍ଘକାଳୀନ ଅଭିବୃଦ୍ଧିର ମାଧ୍ୟମ ଭାବରେ ଅନ୍ତର୍ଭୁକ୍ତ କରିଛୁ। ରାଜ୍ୟ ଅର୍ଥନୀତିରେ ଏହି ଅଞ୍ଚଳର ଅବଦାନ ବର୍ତ୍ତମାନ ପ୍ରାୟ ୨୨.୫ ବିଲିୟନ ଆମେରିକୀୟ ଡଲାର ଅଛି । ୨୦୪୭ସୁଦ୍ଧା ଏହାକୁ ପ୍ରାୟ ୫୦୦ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର,ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡ଼ାଠାରେ ପର୍ଯ୍ୟାୟକ୍ରମେ ନୂତନ କରିଡର ଗୁଡିକର ବିକାଶ କରାଯିବ। ‘ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ’ ନାମରେ ଏକ ନୂତନ ଯୋଜନା ପ୍ରଣୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମୁଦ୍ରିକ କ୍ଷେତ୍ରରେ କେନ୍ଦ୍ରାପଡ଼ା ଠାରେ ୨୪ ହଜାର ୭୦୦କୋଟି ଟଙ୍କା ବ୍ୟୟରେ ଜାତୀୟ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର, ଗଞ୍ଜାମର ବାହୁଦା ମୁହାଣଠାରେ ୨୧ ହଜାର ୫୦୦କୋଟି ଟଙ୍କା ବିନିଯୋଗରେ ସାଟେଲାଇଟ୍ ପୋର୍ଟ ଏବଂ ଜାତୀୟ ଜଳପଥ-୫ର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟର ସଡ଼କ ଭିତ୍ତିଭୂମିର କାୟାକଳ୍ପ ପରିବର୍ତ୍ତନ ଆଣିବା ସହ ଆଗାମୀ ପିଢ଼ି ପାଇଁ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୋଣ ଅନୁକୋଣକୁ ସଂଯୋଗ କରିବା ପାଇଁ ଏହି ବଜେଟରେ ତିନୋଟି ମହତ୍ୱାକାଂକ୍ଷୀ ସଡ଼କ ପ୍ରକଳ୍ପର ପ୍ରସ୍ତାବ ରଖାଯାଇଛି। ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଆମ ସରକାର ଏହି ବଜେଟରେ ଅତ୍ୟନ୍ତ ଦୂରଦର୍ଶୀ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ପୁରୀଠାରେ ପ୍ରାୟ ୧୫ଶହ ଏକର ଅଞ୍ଚଳରେ ପରିକଳ୍ପିତ ‘ଶାମୁକା ପ୍ରକଳ୍ପ’ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ୱୟରେ ଏକ ଅନନ୍ୟ ଉପକୂଳବର୍ତ୍ତୀ ପର୍ଯ୍ୟଟନ କେନ୍ଦ୍ର ପାଲଟିବ। ସେହିଭଳି ହୀରାକୁଦ ଜଳଭଣ୍ଡାର ଓ ଦେବ୍ରିଗଡ଼ ଅଭୟାରଣ୍ୟକୁ ନେଇ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏକ ସ୍ଥାୟୀ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରାଯିବ।

ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ ଅର୍ଥର ବିନିଯୋଗକୁ ନେଇ ଗୃହର କିଛି ସଦସ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଯେଉଁ ସନ୍ଦେହ ପ୍ରକଟ କରିଛନ୍ତି, ତାହା ବାସ୍ତବରେ ତଥ୍ୟ ଆଧାରିତ ନୁହେଁ । ଆଜି ସେହି କିଛି ମାନ୍ୟବର ସଦସ୍ୟ-ସଦସ୍ୟାମାନଙ୍କ ଭ୍ରମ ଦୂର କରିବା ପାଇଁ ମୁଁ ବାସ୍ତବ ପରିସଂଖ୍ୟାନ ଓ ସତ୍ୟନିଷ୍ଠ ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଛି ।ଗତ କିଛି ବର୍ଷ ଧରି ରାଜ୍ୟରେ ବନ୍ୟା ବାତ୍ୟା ଭଳି ଆସୁଥିବା ବିଭିନ୍ନ ବିପର୍ଯ୍ୟୟ ଯୋଗୁଁ ପ୍ରତି ବର୍ଷ ବଜେଟ୍‌ରେ ବିପର୍ଯ୍ୟୟ ପରିଚାଳନା ପାଇଁ ବହୁଳ ଅର୍ଥ ପ୍ରାବଧାନ କରି ବ୍ୟୟ କରାଯାଉଥିଲା । ପରନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଏବଂ ଆଶୀର୍ବାଦର ଫଳ ସ୍ୱରୂପ ଚଳିତ ବର୍ଷ ରାଜ୍ୟକୁ କୌଣସି ବଡ଼ ବିପର୍ଯ୍ୟୟ ବା ଦୁର୍ବିପାକ ଜନିତ ବ୍ୟୟ ବହନ କରିବାର ଅଦ୍ୟାବଧି ଆବଶ୍ୟକତା ସୃଷ୍ଟି ହୋଇ ନାହିଁ। ଏହି ସମ୍ବନ୍ଧିତ ବଜେଟ୍‌ରେ ଥିବା ପ୍ରସ୍ତାବିତ ରାଶି ଖର୍ଚ୍ଚ ନହୋଇପାରିବା ହେଉଛି ଆମ ପାଇଁ ବଳକା ଏବଂ ଏହାକୁ ନେଇ ଯଦି କିଛି ସଦସ୍ୟ ବଜେଟ୍‌ରେ ପ୍ରସ୍ତାବିତ ଅର୍ଥ ସରକାର ଖର୍ଚ୍ଚ କରି ପାରୁନାହାନ୍ତି ବୋଲି କହିବେ, ଏଥିରୁବଡ଼ ହାସ୍ୟାସ୍ପଦ କଥା ଆଉ କିଛି ହେଇ ନ ପାରେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶେଷରେ ବାଚନିକ ଭୋଟ୍‌ରେ ବ୍ୟୟ ମଞମଞ୍ଜରୀ ବିଲ୍‌କୁ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ପାରିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking