25.1 C
Bhubaneswar
Monday, February 16, 2026
Homeଓଡିଶା୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ହେବ: ମୁଖ୍ୟମନ୍ତ୍ରୀ

୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ । ଆଜି ଦିନରେ ସମସ୍ତ ଶ୍ରଦ୍ଧାଳୁଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଶିବ ଶକ୍ତିଙ୍କ ସାନିଧ୍ୟ ଓ ଆଶୀର୍ବାଦ ପାଇବା । ତେଣୁ ଆଜିର ଦିନରେ ଭକ୍ତି ଭାବ ସହ ମହାଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କ ପାଖରେ ନିଜକୁ ସମର୍ପି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ କହିଛନ୍ତି ।

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ସାଂସ୍କୃତିକ ମଞ୍ଚରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଆ ସଂସ୍କୃତିର ମୂଳ ଧାରା ହେଉଛି ଜଗନ୍ନାଥ ଉପାସନା, ଶୈବ ଉପାସନା ଓ ଶକ୍ତି ଉପାସନା। ଏକ ପଟେ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ପଟେ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଆଧ୍ୟାତ୍ମିକତାର ଦୁଇଟି ମୁଖ୍ୟ କେନ୍ଦ୍ରବିନ୍ଦୁ। ଲିଙ୍ଗରାଜ ମନ୍ଦିରର ପିନାକ ଚିହ୍ନ ଏହାର ବିଶିଷ୍ଟ ପରମ୍ପରାର ପ୍ରତୀକ ବୋଲି ସେ କହିଥିଲେ ଏବଂ ମହାଦୀପ ଦର୍ଶନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।

ସେ ଆହୁରି କହିଥିଲେ ଯେ ଶ୍ରୀ କ୍ଷେତ୍ର ପୁରୀ, ଅର୍କ କ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି।ଏକାମ୍ର କ୍ଷେତ୍ରର ବିକାଶ ଓ ସୋନ୍ଦର୍ଯ୍ୟକରଣ ପାଇ ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଚି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ବିକ ବିକାଶ କାମ ସହିତ ଏକ interpretation ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ । ସମୁଦାୟ ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ ।ମହାଶିବରାତ୍ରୀ ଅବସରରେ ସେ ସମସ୍ତଙ୍କୁ ମହାଦେବଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତିଭାବର ସହ ଆରାଧନା କରିବାକୁ ନିବେଦନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନିତିକାନ୍ତି ସୁରୁଖୁରୁରେ ସମାପନ କରିଥିବାରୁ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ ପବିତ୍ର ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ସମସ୍ତଙ୍କ ଜୀବନରେ ଉନ୍ନତିର ପଥ ଉନ୍ମୁକ୍ତ କରୁ ।ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିବାରୁ ସେବାୟତ ଓ ପ୍ରଶାସନକୁ ଧନ୍ୟବାଦ୍ ଦେଇଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କଣ୍ଠଶିଳ୍ପୀ ନୀତିନ ମୁକେଶ ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ପୂର୍ବତନ ମନ୍ତ୍ରୀ ତଥା ଏକାମ୍ର ସାଂସ୍କୃତିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ , ଏକାମ୍ର-ଭୁବନେଶ୍ୱର ବିଧାୟକ ତଥା ଏକାମ୍ର ସାଂସ୍କୃତିକ ମଞ୍ଚର ଉପ-ସଭାପତି ଶ୍ରୀଯୁକ୍ତ ବାବୁ ସିଂ ,ବରିଷ୍ଠ ରାଜନେତା ତଥା ଏକାମ୍ର ସାଂସ୍କୃତିକ ମଞ୍ଚର ଉପ-ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଓ ଏକାମ୍ର ସାଂସ୍କୃତିକ ମଞ୍ଚର ସମ୍ପାଦକ ଶ୍ରୀଯୁକ୍ତ ସନତ୍ ମିଶ୍ର ଏବଂ ଏକାମ୍ର ସାଂସ୍କୃତିକ ମଞ୍ଚର ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking