ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟି ଅନୁମୋଦନ ଦେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ହେବ। ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ବୃଦ୍ଧବୃଦ୍ଧା ଓ ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ନିଜସ୍ୱ ଏଫ୍ଏମ୍ ଚ୍ୟାନେଲ୍ ପ୍ରତିଷ୍ଠା ପାଇଁ ପରିଚାଳନା କମିଟି ନିତିଗତ ଭାବେ ଅନୁମୋଦ ମିଳିଛି। ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଡିଜିଟାଇଜେସନ ହେବ ମହାପ୍ରଭୁଙ୍କ ଜମି। ଡିଜିଟାଇଜେଳସନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଛି। ଓରସାକ ସହାୟତାରେ ସମସ୍ତ ଜମି ରେକର୍ଡ ଡିଜିଟାଇଜେସନ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନାଟ ମଣ୍ଡପରେ ଥିବା ଅଦରକାରି ସିନ୍ଦୁକ ଓ ଆଲ୍ମିରା ଗୁଡ଼ିକୁ ବାହାର କରିଦିଆଯିବ। ପରବର୍ତ୍ତୀ ସମୟରେ ସେବାୟତଙ୍କ ସହିତ କଥା ହେଲା ପରେ ଶୃଙ୍ଖଳିତ ବ୍ୟବସ୍ଥା କରାଯିବ। ବୃଦ୍ଧ/ବୃଦ୍ଧା, ମହିଳା ଓ ଛୋଟ ପିଲାଙ୍କ ପାଇଁ ଅଲଗା ଗୋଟିଏ ଧାଡ଼ି ବ୍ୟବସ୍ଥା କରାଯିବ। ପୁରୁଷମାନଙ୍କ ପାଇଁ ମଧ୍ୟ ଅଲଗା ଗୋଟିଏ ଧାଡ଼ି ବ୍ୟବସ୍ଥା କରାଯିବ। ଧାଡ଼ି କେମିତି ରହିବ ଓ ଶ୍ରଦ୍ଧାଳୁମାନେ କେମିତି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ତାହା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାଛଡ଼ା ନାଟ୍ୟ ମଣ୍ଡପକୁ ଏୟାରକଣ୍ଡିସନିଂ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ମିଳିଛି। ଏଏସ୍ଆଇ ସହିତ କଥା ହେଲା ପରେ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଓ ବୃଦ୍ଧ/ବୃଦ୍ଧାଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ସେମାନଙ୍କ ପାଇଁ ଅଲଗା କ’ଣ କିଛି କରିହେବ ସେ ଉପରେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।










