କେନ୍ଦୁଝର : ଘଟଗାଁ ମା ତାରିଣୀ ମନ୍ଦିରରେ ଆଳତୀ ଚାଲିଥିବା ବେଳେ ନିଜ ଜିଭକୁ ନିଜେ ଏକ ବ୍ଲେଡ୍ ସାହାଯ୍ୟରେ କାଟି ଦେଇଛନ୍ତି ଜଣେ ଭକ୍ତ । ଭକ୍ତଙ୍କର ନାମ ବିଜୟ ପ୍ରଧାନ ଏବଂ ଘର ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ଘଟିବା ପରେ ତୁରନ୍ତ ମନ୍ଦିର କର୍ମଚାରୀମାନେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ଅନେକ ସମୟରେ ମାଙ୍କ ପାଖରେ ଜିଭ କାଟିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଗୁଜବ ପ୍ରଚାରିତ ହୋଇଥାଏ । ମନ୍ଦିର ପ୍ରଶାସନ ତରଫରୁ ବାରମ୍ବାର ଏପରି ଗୁଜବର କିଛି ସତ୍ୟତା ନଥିବା କୁହାଯାଉଥିବା ବେଳେ କିଛି ଭକ୍ତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବାରମ୍ବାର ଏପରି ଘଟାଉଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ପୀଠରେ ମଙ୍ଗଳବାର ସନ୍ଧ୍ୟାରେ ଆଳତି ସମୟରେ ଦର୍ଶନ ପାଇଁ ଆସିଥିବା ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେଇଥିଲେ । ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବିଜୟ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ତାକୁ ଉଦ୍ଧାର କରି ମନ୍ଦିର କର୍ମଚାରୀମାନେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ସେ ମନ୍ଦିରକୁ ଏକା ଆସିଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟାଇଲେ ତାହା ଜଣାପଡ଼ିନାହିଁ । ଖବର ପାଇ ଘଟଗାଁ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ଏହି ଘଟଣା ପରେ ମନ୍ଦିର ରୀତିନୀତି ଅନୁଯାୟୀ ମନ୍ଦିର ମାର୍ଜନା ହୋଇ ପୂଜାର୍ଚ୍ଚନା କରାଯାଇଛି ।