ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ପ୍ରସିଦ୍ଧ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଉଦୟଗିରି ଠାରେ ଆର୍ନ୍ତଜାତିକ ବୌଦ୍ଧ ସମ୍ମିଳନୀ ଉପଲକ୍ଷେ ମଝିପଡ଼ା ପାହାଡ ଅଞ୍ଚଳରେ ଅସ୍ଥାୟୀ ଶିବିର ତିଆରି କରିବାପାଇଁ ସେଠାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ଘର ବୁଲଡୋଜର ମାଧ୍ୟମରେ ଭଙ୍ଗାଯିବାକୁ ନେଇ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ପୂର୍ବତନ ସାଂସଦ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଯଶୋବନ୍ତ ସିଂ ଲାଗୁରି କହିଛନ୍ତି ଯେ ଗତ କିଛି ମାସ ହେଲାଣି ବିଜେପି ସରକାର ଆସିବାପରେ ଆଦିବାସୀଙ୍କ ଜମି ଉପରେ ଲୋଲୁପଦୃଷ୍ଟି ପକାଇଛନ୍ତି । ରାଜଗାଙ୍ଗପୁରର ଏୟାରଷ୍ଟ୍ରିପ, ସୁନ୍ଦରଗଡ଼ ଲାଞ୍ଜିବେର୍ଣ୍ଣା ଜମି ଅଧିଗ୍ରହଣ, କେନ୍ଦୁଝରରେ ପସ୍କୋ, ଟିକରପଡ଼ାରେ ଷ୍ଟାରାଲାଇଟ ପାଇଁ ଆଦିବାସୀଙ୍କ ଜମି ଅଧିଗ୍ରହଣ ବେନିୟମ ହିିସାବରେ ସରକାର କରୁଛନ୍ତି । ଏବେ ଯାଜପୁର ଜିଲ୍ଲାର ଉଦୟଗିରି ଠାରେ ହେବାକୁଥିବା ବୌଦ୍ଧ ସମ୍ମିଳନୀ ପାଇଁ ମଝିପଡ଼ା ଗ୍ରାମାଞ୍ଚଳରେ ପ୍ରଶାସନ ଆଦିବାସୀଙ୍କ ଘରଭଙ୍ଗା ସହିତ ଗଛକାଟିଛନ୍ତି । ଯଦି ସମ୍ମିଳନୀର ଅସ୍ଥାୟୀ ଶିବିର ପାଇଁ ଜମି ଦରକାର ଥିଲା ଅନ୍ୟ ସ୍ଥାନରେ ମଧ୍ୟ ସରକାରୀ ଜମି ଅଛି କିନ୍ତୁ ଆଦିବାସୀ ବିରୋଧି ସରକାର ଆଦିବାସୀଙ୍କ ଘର ଭାଙ୍ଗି ଗଛ କାଟି ଶିବିର ସ୍ଥାପନ କରିବା କେତେ ନ୍ୟାୟ ସଂଗତ ଚିନ୍ତା କରନ୍ତୁ । ନୂଆବର୍ଷ ଦିନ ସେମାନଙ୍ଗ ଘର ଭାଙ୍ଗିଦିଆଗଲା । କିନ୍ତୁ ନିରୀହ ଗରିବ ଆଦିବାସୀ କେଉଁଠି ରହିବେ ସରକାର ଚିନ୍ତା କରୁ ନାହାନ୍ତି । କିନ୍ତୁ କଂଗ୍ରେସ ସବୁବେଳେ ଆଦିବାସୀଙ୍କ ଦୁଃଖରେ ଛିଡ଼ା ହୋଇଛି ଏବଂ ରହିବ ।
ଉପସ୍ଥିତ ଥିବା ବିଶିଷ୍ଟ କଂଗ୍ରେସ ନେତା ତଥା ବିସ୍ଥାପନ ଓ ପରିବେଶ ଆବାହକ ସୁଧାଂଶୁ ସେଖର ଦେଓ, କେବଳ ଓଡ଼ିଶା ନୁହଁ ସାରା ଦେଶରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଗଭିର ଉଦବେଗ ପ୍ରକାଶ କରି କହିଛନ୍ତି, ଓଡ଼ିଶା ଜଗନ୍ନାଥଙ୍କ ଦେଶ, ସବର ଜନଜାତି ହେଉଛନ୍ତି ଜଗନ୍ନାଥଙ୍କ ନିଜ ଲୋକ । କିନ୍ତୁ ଓଡ଼ିଶା ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ନୂଆବର୍ଷ ଦିନ ଆଦିବାସୀ ଶବରଙ୍କ ଘର ମଝିପଡ଼ାରେ ନିର୍ମମ ଭାବରେ ଭାଙ୍ଗିଦେଲା । ଏ ବିଷୟରେ ଯାଜପୁର ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି । ଆଦିବାସୀଙ୍କ ଥଇଥାନ ବିଷୟରେ ମଧ୍ୟ ପାଟି ଖୋଲିପାରୁ ନାହାନ୍ତି । ଅସ୍ଥାୟୀ ଶିବିର ସ୍ଥାପନ ପାଇଁ ବିଜେପି ଗୁଣ୍ଡାଗିରି କରୁଛି । ବିଜେପିର ଗୁଣ୍ଡାମାନେ ଘର ଭାଙ୍ଗୁଛନ୍ତି । ଏହା ସଂପୂର୍ଣ୍ଣରୂପେ ଏକ ଆଦିବାସୀ ଦଳିତ ବିରୋଧି ସରକାର । ଉତ୍ତର ପ୍ରଦେଶରେ ଯାହା ଘଟୁଛି ତାହା ଏବେ ଓଡ଼ିଶାରେ ଘଟୁଛି । ଓଡ଼ିଶାରେ ମଧ୍ୟ ବୁଲଡୋଜାର ଶାସନ ଆରମ୍ଭ ହୋଇଛି । ଆଦିବାସୀ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ କେବଳ ଲୋକଦେଖାଣିଆ ଭାବରେ ପ୍ରତୀକ ହିସାବରେ ସ୍ଥାପନ କରାଯାଇଛି ଏବଂ ଆଦିବାସୀ ଉତ୍ପୀଡ଼ନ ଚାଲିଛି । ଜଙ୍ଗଲ ଅଧିକାର ଆଇନ ଅନୁସାରେ କାହିଁକି ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯାଉ ନାହିଁ? କାହିଁକି ମଝିପଡ଼ା, ବାରିପଦା ଓ ଅନୁଗୋଳରେ ଆମ୍ବ, ପଣସ ତଥା ଅନ୍ୟ ଲକ୍ଷ ଲକ୍ଷ ଗଛ କଟାଯାଉଛି । ଏ ସମସ୍ତ ବିଷୟରେ ସରକାରଙ୍କ ତତ୍ପରତା ନାହିଁ । କଂଗ୍ରେସ ନିରବ ରହିବ ନାହିଁ । ଦଳିତ, ଆଦିବାସୀ ଓ ପଛୁଆବର୍ଗ (ବିଏପି) ଙ୍କ ହିତପାଇଁ ଘୋର ସଂଗ୍ରାମ କରିବ । ବିଜେପି ସରକାରଙ୍କ ଚିନ୍ତାଧାରା ହେଉଛି ମନୁସଂହିତା କିନ୍ତୁ କଂଗ୍ରେସର ସମ୍ବିଧାନ । ତାଙ୍କ ହିନ୍ଦୁତ୍ୱରେ ଦଳିତଙ୍କ ସ୍ଥାନ ନାହିଁ । ଗାନ୍ଧୀ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣୀତ ନୁହଁନ୍ତି, ସେମାନେ ଗଡସେଙ୍କୁ ବିଶ୍ୱାସ କରନ୍ତି । ସମ୍ବିଧାନରେ ବିଶ୍ୱାସ କରନ୍ତି ନାହିଁ । ମନୁବାଦକୁ ବିଶ୍ୱାସ କରନ୍ତି । ଆମ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଏବଂ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳିତ ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ଆଗାମୀ ଦିନରେ କଂଗ୍ରେସ ଭୟଙ୍କର ଏବଂ ନିରନ୍ତର ସଂଗ୍ରାମ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ପକ୍ଷରୁ ଘରଭଙ୍ଗା ଯାଇ ପ୍ରତାଡନାର ଶିକାର ହୋଇଥିବା ମଝିପଡ଼ାଗ୍ରାମର ଅନେକ ଆଦିବାସୀ ବାସିନ୍ଦା ପୁରୁଷ ଓ ମହିଳା ଯୋଗଦେଇଥିଲେ ।










