ଜୟପୁର: ଆମ ଦେଶରେ କେବଳ ଧନୀ ବର୍ଗର ପିଲାମାନେ ହିଁ ବଡ଼ ବଡ଼ ସ୍କୁଲରେ ପାଠ ପଢ଼ିପାରିବେ, ନିଜ ସ୍ୱପ୍ନକୁ ସାକାର କରିପାରିବେ। ମଧ୍ୟମବର୍ଗ କିମ୍ବା ଗରିବ ବର୍ଗର ପିଲାମାନେ ଏସମ୍ପର୍କରେ ଚିନ୍ତା ମଧ୍ୟ କରିପାରିବେନି। ଦେଶର ଶିକ୍ଷା ବ୍ୟବସ୍ଥାରେ ରହିଥିବା ଏଭଳି ଏକ ନିଚ୍ଛକ ବାସ୍ତବତା ପୁଣିଥରେ ସାମ୍ନାକୁ ଆସିଛି। ଜୟପୁରର ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆରେ ଏକ ସ୍କୁଲର ସ୍କୁଲ୍ ଫି’ ରିସିପ୍ଟକୁ ସେୟାର କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ ଜୟପୁରର ଋଷଭ ଜୈନ୍ ନାମକ ଜଣେ ବ୍ୟକ୍ତି ନିଜ ୪ ବର୍ଷିୟା ଝିଅର ଷ୍ଟାଣ୍ଡାଡ୍ର୍ ୧ ଆଡମିସନ୍ ପାଇଁ ବାର୍ଷିକ ସ୍କୁଲ ଫି’ ବାବଦ ୪.୨୭ ଲକ୍ଷ ଦେଇଥିବା ବେଳେ ଏହାର ରିସିପ୍ଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ଉପରେ ସେ ‘ଏହା ହିଁ ଭାରତରେ କ୍ୱାଲିଟି ଏଜୁକେସନ୍ର ମୂଲ୍ୟ’ ବୋଲି ଏକ କମେଣ୍ଟ ମଧ୍ୟ ଲେଖିଛନ୍ତି। ଋଷଭ୍ଙ୍କ କହିବାନୁସାରେ ଯଦି ଜଣେ ବ୍ୟକ୍ତି ବାର୍ଷିକ ୨୦ ଲକ୍ଷ ଟଙ୍କା ମଧ୍ୟ ଆୟ କରୁଥା’ନ୍ତି ତେବେ ସେ କ’ଣ ନିଜ ପିଲାର ବାର୍ଷିକ ୪ ଲକ୍ଷ ଟଙ୍କା ସ୍କୁଲ ଫି’ ଆକାରରେ ଦେଇପାରିବେ କି? ଏହି ଅର୍ଥ ପୈଠ କରିବା ପାଇଁ ହୁଏତ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ସମସ୍ତେ ନିଜ ପିଲାଙ୍କୁ ସର୍ବୋତ୍ତମ ଶିକ୍ଷା ଦେବା ପାଇଁ ବଡ଼ ସ୍କୁଲରେ ପାଠ ପଢ଼ାଇବାକୁ ଇଚ୍ଛା ରଖିଥାନ୍ତି। କିନ୍ତୁ ଏହା ଆମ ଦେଶରେ ସମ୍ଭବ ନୁହେଁ। ମଧ୍ୟବିତ୍ତ ନିଜ ପିଲାମାନଙ୍କ ଏପ୍ରକାର ପାଠପଢ଼ା ଖର୍ଚ୍ଚକୁ ବହନ କରିବାରେ ଅସମର୍ଥ। ଏହି ପରିପ୍ରେକ୍ଷୀରେ ଋଷଭ ଲେଖିଛନ୍ତି ଯେ, ଜଣେ ବ୍ୟକ୍ତି ବାର୍ଷିକ ଯଦି ୨୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ତେବେ ପ୍ରଥମତଃ ଜିଏସ୍ଟି, ଆୟକର, ଭ୍ୟାଟ୍, ପେଟ୍ରୋଲ, ଡିଜେଲ, ରୋଡ୍ ଟ୍ୟାକ୍ସ, ପ୍ରଫେସନାଲ ଟ୍ୟାକ୍ସ , କ୍ୟାପିଟାଲ ଗେନ୍, ଜମି ରେଜିଷ୍ଟ୍ରେସନ୍ ଏହି ପ୍ରକାର ଅନେକ ଉପାୟରେ ସରକାର ବ୍ୟକ୍ତିର ଆୟରୁ ନିଜ ଭାଗ (ଟିକସ ଆକାରରେ) କାଢ଼ି ନେଇଥାନ୍ତି। ଏହାପରେ ଯାହା କିଛି ବି ବଳେ ସେଥିରେ ଟର୍ମ ଇନ୍ସ୍ୟୁରାନ୍ସ, ହେଲ୍ଥ ଇନ୍ସୁରାନ୍ସ, ପିଏଫ୍, ଏନ୍ପିଏସ୍ ତଥା ପିଲାମାନଙ୍କ ପାଇଁ କିଛି ଯୋଜନା ଭଳି ସ୍କିମ୍ରେ ଅର୍ଥ ଲଗାଇବାକୁ ପଡିଥାଏ। ଏହାପରେ ଆଉ ଯାହା କିଛି ବି ବଳକା ରହିଥାଏ ସେଥିରୁ ପୁଣି ବାର୍ଦ୍ଧକ୍ୟ ସମୟ ପାଇଁ ପେନ୍ସନ୍ ମିଳିବା ଲକ୍ଷ୍ୟରେ କିଛି ନିବେଶ କରିବାକୁ ହୋଇଥାଏ। ଏସବୁ ପରେ ୨୦ ଲକ୍ଷ ଟଙ୍କା ବାର୍ଷିକ ରୋଜଗାର କରୁଥିବାରୁ ସମସ୍ତ ସରକାରୀ ଯୋଜନା ତଥା ସୁବିଧାରୁ ମଧ୍ୟ ବଞ୍ôଚତ ରହିବାକୁ ପଡିଥାଏ। ଏପରିକି ସେମାନଙ୍କ ଋଣ ଛାଡର ମଧ୍ୟ ସୁବିଧା ଦିଆଯାଇନଥାଏ। ଏସବୁ ପରେ ଖାଇବା, ରହିବା, ପିନ୍ଧିବା, ଘର ଭଡ଼ା ଦେବା, ଇଏମ୍ଆଇ ଶୁଝିବାକୁ ମଧ୍ୟ ପଡିଥାଏ। ଏମିତି ସ୍ଥିିତିରେ ଜଣେ ବ୍ୟକ୍ତି ନିଜ ପିଲାଙ୍କୁ ଭଲ୍ ସ୍କୁଲରେ ପଢ଼ାଇବାର ସ୍ୱପ୍ନ ଯଦି ବି ଦେଖେ ତେବେ ସ୍କୁଲ ପକ୍ଷରୁ ବାର୍ଷିକ ୪ ଲକ୍ଷ ଟଙ୍କାର ସ୍କୁଲ ଫି’ ରସିଦ୍ ଧରାଇ ଦିଆଯାଇଥାଏ। ଯଦି ଗୋଟିଏ ପିଲା ପାଇଁ ଏଭଳି ସ୍ଥିତି ଉପୁଜେ ତେବେ ନିଜର ଦ୍ୱିତୀୟ ସନ୍ତାନ ପାଇଁ ଜଣେ ବ୍ୟକ୍ତି ଭଲ୍ ସ୍କୁଲରେ ପାଠ ପଢ଼ାଇବା କଥା ଭାବିବାକୁ ମଧ୍ୟ ଭୟ କରିବ। ଋଷଭ୍ କହିଛନ୍ତି, ଏହି ସ୍କୁଲ୍ ଫି’ କେବଳ ଗୋଟିଏ ସ୍କୁଲର ନୁହେଁ ବରଂ ଜୟପୁର ସହରରେ ଥିବା ଏକାଧିକ ଭଲ ସ୍କୁଲ ବିବେଚିତ ହେଉଥିବା ପ୍ରାୟ ଅଧିକାଂଶ ସ୍କୁଲରେ ମଧ୍ୟ ଏହି ଧରଣର ସ୍କୁଲ ଫି’ ଅଭିଭାବକଙ୍କ ଠାରୁ ନିଆଯାଉଛି। କ୍ୱାଲିଟି ଏଜୁକେସନ୍ ନାମରେ ଏହା ଶୋଷଣ ନୁହେଁ ତ ଆଉ କ’ଣ? ରେଜିଷ୍ଟ୍ରେସନ୍ ଚାର୍ଜେସ ନାମରେ ୨୦୦୦ ଟଙ୍କା, ଆଡମିଶନ୍ ଫିସ୍ ବାବଦ ୪୦,୦୦୦ ଟଙ୍କା, ବାର୍ଷିକ ସ୍କୁଲ ଫିସ୍ ବାବଦ ୨,୫୨,୦୦୦ ଟଙ୍କା, ବସ୍ ଚାର୍ଜେସ୍ ବାବଦ ୧,୦୮,୦୦୦ ଟଙ୍କା, ବହି ଏବଂ ୟୁନିଫର୍ମ ବାବଦ ୨୦୦୦୦ ଟଙ୍କା ଆକାରରେ ସ୍କୁଲ୍ ପ୍ରତି ଷ୍ଟାଣ୍ଡାଣ୍ଡ୍ ୧ ପିଲା ପାଇଁ ବାର୍ଷିକ ୪,୨୭,୦୦୦ ଟଙ୍କା ନେଉଛନ୍ତି ବୋଲି ଋଷଭ୍ ଜୈନ୍ ଉଲ୍ଳେଖ କରିଛନ୍ତି। ଋଷଭ୍ ଜୈନ୍ଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି। ଅନେକ ଅଭିଭାବକ ଏବେ ଋଷଭଙ୍କ ସହ ସହମତ ହେବା ପୂର୍ବକ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।










