29.1 C
Bhubaneswar
Monday, February 9, 2026
Homeଓଡିଶାଏକ ଆଧ୍ୟ୍ୟାତ୍ମିକ ଜାଗରଣର ମାର୍ଗରେ ଦେଶ ଏବେ ଅଗ୍ରସର ହେଉଛି : ମୁଖ୍ୟମନ୍ତ୍ରୀ

ଏକ ଆଧ୍ୟ୍ୟାତ୍ମିକ ଜାଗରଣର ମାର୍ଗରେ ଦେଶ ଏବେ ଅଗ୍ରସର ହେଉଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଆତ୍ମାର ଜାଗରଣରେ ଜାଗର ପର୍ବର ସୁଫଳ ମିଳି ପାରିବ। ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟିତ । କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ସମସ୍ତ ଆଧ୍ୟାତ୍ମିକ ସ୍ଥାନ ମାନଙ୍କର ଉନ୍ନତିକରଣ ହେବା ସହିତ ବିକାଶ କରିବା ପାଇଁ ଆମ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ଅବସରରେ ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଭଜନ ମଣ୍ଡପ ଠାରେ ଏକାମ୍ର ସାଂସ୍କୃତିକ ମଞ୍ଚ ଦ୍ୱାରା ଆୟୋଜିତ ଭଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇ  କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀ କ୍ଷେତ୍ର ପୁରୀ, ଅର୍କ କ୍ଷେତ୍ର କୋଣାର୍କ ଏବଂ ଏକାମ୍ର କ୍ଷେତ୍ର ଲିଙ୍ଗରାଜ ଭଳି ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ଉନ୍ନତି ସାଧନ ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏସବୁ କ୍ଷେତ୍ର ଗୁଡିକ ଆମର ଆଧ୍ୟାତ୍ମିକ ପରମ୍ପରାକୁ ବଜାୟ ରଖିବା ସହିତ ରାଜ୍ୟର ଅର୍ଥନୈତିକ ସମୃଦ୍ଧିରେ ମଧ୍ୟ ଯୋଗଦାନ କରେ। ଆମ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେବ ଦେବ ମହାଦେବ ହେଉଛନ୍ତି ସମଗ୍ର ବିଶ୍ୱର କଲ୍ୟାଣକାରୀ ରକ୍ଷକ। ସେ ଅକାଳ ମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ। ଭାରତବର୍ଷର ପ୍ରସିଦ୍ଧ ଶୈବ କ୍ଷେତ୍ର ମଧ୍ୟରୁ ପ୍ରଭୁ ଲିଙ୍ଗରାଜଙ୍କ ଏହି ଏକାମ୍ର କ୍ଷେତ୍ର ଅନ୍ୟତମ। ପ୍ରଭୁ ଲିଙ୍ଗରାଜ ଏଠାରେ ତ୍ରିଭୁବନେଶ୍ୱର ଦେବ ଭାବେ ପୂଜା ପାଇଥାନ୍ତି। ଏକାମ୍ର କ୍ଷେତ୍ର ରାଜଧାନୀ ଭୁବନେଶ୍ୱର କୁ ଭାରତର ଏକ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ପରିଗଣିତ କରିଛି। ସେ ପୁଣି କହିଥିଲେ, ଆଜିର ଏହି ଶିବରାତ୍ରିର ବିଶେଷତ୍ୱ ହେଉଛି ୧୪୪ ବର୍ଷ ଅନ୍ତରାଳରେ ଆସିଥିବା ମହାକୁମ୍ଭର ଆଜି ଅନ୍ତିମ ଦିବସ ଓ ଏହି ଦିବସରେ ମହାଶିବରାତ୍ରି ପାଳିତ ହେଉଛି। ଏ ସଂଯୋଗ ଏହି ଶିବାରାତ୍ରିକୁ ଭବ୍ୟ ଓ ଦିବ୍ୟ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ଆଧ୍ୟାତ୍ମିକ ଅନୁଭୂତି ଓ ସଂଯୋଗକୁ ବ୍ୟାଖ୍ୟା କରି କହିଥିଲେ ଯେ ଦୁଇ ଦିନ ତଳେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇ, ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ଦର୍ଶନ ଓ ବାରଣାସୀ ଠାରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିଥିଲେ ଓ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଉପସ୍ଥିତ ହୋଇଛନ୍ତି।

ଭାରତବର୍ଷର ଶକ୍ତି ହେଉଛି ଆଧ୍ୟାତ୍ମିକତା। ଭାରତ ଏକ ଆଧ୍ୟ୍ୟାତ୍ମିକ ଜାଗରଣର ମାର୍ଗରେ ଅଗ୍ରସର ହେଉଛି । ଆମ ବିକାଶର ଲକ୍ଷ୍ୟ ଆଧ୍ୟାତ୍ମିକତାର ବିନା ପୂରଣ ହୋଇ ପାରିବ ନାହିଁ । ଆମର ବିଶ୍ୱଗୁରୁ ହେବାର ଲକ୍ଷ୍ୟରେ ଆଧ୍ୟାତ୍ମିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦାୟିତ୍ୱ ଗ୍ରହଣ ପରେ ଦେଶକୁ ଆଧ୍ୟାତ୍ମିକତାର ଏକ ନୂଆ ପରିଚୟ ମିଳିଛି। ନିଜ ଧର୍ମ, ସଂସ୍କୃତି ପ୍ରତି ଆଜିର ଯୁବ ଶକ୍ତି ଆକର୍ଷିତ ହେଉଛନ୍ତି ଓ ଗର୍ବ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ଏଠାରେ ସ୍ଥାୟୀ ମଣ୍ଡପ ନିର୍ମାଣ ପାଇଁ ASI ଠାରୁ ଅନୁମତି ମିଳିଲା ପରେ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟre ଅର୍ଥ ବାଧକ ହେବ ନାହିଁ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁନାମଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ ଉଷା ଉଥପ ଙ୍କ ସମେତ ସମସ୍ତ କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଭୁ ଲିଙ୍ଗରାଜ ଓ ମହାଦୀପ ଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ସମସ୍ତଙ୍କ ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିବା ସହିତ ଚଳିତ ବର୍ଷର ଜାଗର ଯାତ୍ରା ଶୃଙ୍ଖଳିତର ସହିତ ଆୟୋଜନ କରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ମେୟର ଶ୍ରୀମତୀ ସୁଲୋଚନା ଦାସ, ବାବା ଲିଙ୍ଗରାଜଙ୍କ ପାଖରେ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ସାଂସ୍କୃତିକ ମଞ୍ଚର ସଭାପତି ଶ୍ରୀ ସୁରେଶ ରାଉତରାୟ, ଉପସଭାପତି ଶ୍ରୀ ସମୀର ମହାନ୍ତି, ସମ୍ପାଦକ ଶ୍ରୀ ସନତ ମିଶ୍ର, IMD ଡିଜି ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ସମାଜସେବୀ ତଥା ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନ ଓ କର୍ପୋରେଟର ବୃନ୍ଦ ନିଜ ବକ୍ତବ୍ୟ ରଖିଥିଲେ। ସଭା ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking