ବ୍ୟୁରୋ: ଅଫିସରେ କାମ ପ୍ରେସର ମଧ୍ୟରେ ନିଜକୁ ଓ ପ୍ରିୟଜନକୁ ସମୟ ଦେଇହୋଇ ନଥାଏ । ଅଫିସରେ ବହୁତ କମ ଛୁଟି ମିଳୁଥିବାରୁ ଜୀବନସାଥୀଙ୍କ ସହ ବୁଲାବୁଲି କରିବା ପାଇଁ ସମୟ ବାହାରି ପାରେ ନାହିଁ । ଯାହା ଫଳରେ ସମ୍ପର୍କରେ ଅନେକ ସମୟରେ ଫାଟ ସୃଷ୍ଟି ହୋଇଥାଏ । କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ, ଯଦି ଆପଣଙ୍କର ଗାଲଫ୍ରେଣ୍ଡ କି ବୟଫ୍ରେଣ୍ଡ ଅଛନ୍ତି ତେବେ ତାଙ୍କ ସହ ଡେଟିଂରେ ଯିବାକୁ ଛୁଟି ଦେବ କମ୍ପାନୀ । ଥାଇଲାଣ୍ଡର ଏକ କମ୍ପାନୀ କର୍ମଚାରୀଙ୍କ ଖୁସି ପାଇଁ ଟିଣ୍ଡର ଲିଭ ଆରମ୍ଭ କରିଛି । ଟିଣ୍ଡର ଲିଭରେ ଯେକେହିବି ଜୀବନସାଥୀଙ୍କ ସହ ଡେଟିଂରେ ଯାଇ ପାରିବେ । ଥାଇଲ୍ୟାଣ୍ଡର ମାର୍କେଟିଂ ଏଜେନ୍ସି ହ୍ୱାଇଟଲାଇନ ଗ୍ରୁପ ଏହାର କର୍ମଚାରୀଙ୍କ ପାଇଁ ‘ଟିଣ୍ଡର ଲିଭ୍’ ଘୋଷଣା କରିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସବୁଠାରୁ ବଡ କଥା ହେଉଛି ଟିଣ୍ଡର ଲିଭ୍ରେ ଯଦି ଛୁଟିରେ ଯାଆନ୍ତି ତେବେ ଆପଣଙ୍କ ଦରମା ମଧ୍ୟ କାଟ୍ ହେବନି । ପ୍ରିୟ କିମ୍ବା ପ୍ରିୟତମାଙ୍କ ସହ ଛୁଟିରେ ଯାଇ ମନ ଖୁସିରେ ବୁଲିପାରିବେ । ଏହି ଛୁଟିଦିନର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସୁସ୍ଥତା ଏବଂ ଖୁସି ରଖିବା । ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଟିଣ୍ଡର ଛୁଟି ମିଳିବ । କର୍ମଚାରୀମାନେ ଏହି ସମୟ ମଧ୍ୟରେ ଯେକୌଣସି ସମୟରେ ଡେଟିଂ ପାଇଁ ଛୁଟି ନେଇପାରିବେ । ତେବେ କର୍ମଚାରୀମାନେ କେତେ ଦିନ ଛୁଟିରେ ଯାଇପାରିବେ ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କର୍ମଚାରୀମାନେ ସେମାନଙ୍କ ଟିଣ୍ଡର ଛୁଟି ପାଇଁ ଆବେଦନ କରିବା ପୂର୍ବରୁ ଏକ ସପ୍ତାହର ନୋଟିସ୍ ଦେବା ଜରୁରୀ ।
ହ୍ୱାଇଟଲାଇନ୍ ଗ୍ରୁପ୍ ଏହାର ଏକ ଲିଙ୍କଡଇନ୍ ପୋଷ୍ଟରେ କହିଛି ଯେ, ଆମର କର୍ମଚାରୀମାନେ କାହାକୁ ଡେଟ୍ କରିବା ପାଇଁ ଟିଣ୍ଡର ଛୁଟି ବ୍ୟବହାର କରିପାରିବେ । କମ୍ପାନୀ ଏପରି ପଦକ୍ଷେପ ଆରମ୍ଭ କରିଥିଲା,ଯେତେବେଳେ ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ, କାମ ହେତୁ ସେ ଡେଟିଂ ପାଇଁ ସମୟ ପାଇପାରିନଥିଲେ । କମ୍ପାନୀ ମାଲିକ ଏହି ସମସ୍ୟା ସମାଧାନ ପାଇଁ ‘ଟିଣ୍ଡର ଲିଭ୍’ ଆରମ୍ଭ କରିଛନ୍ତି । କମ୍ପାନୀର ମ୍ୟାନେଜର କହିଛନ୍ତି ଯେ, ଯଦି ଆପଣ ପ୍ରେମରେ ପଡନ୍ତି ତେବେ ଜୀବନରେ ସୁଃଖ ବୃଦ୍ଧି ପାଇବ । ଯାହାର ପ୍ରଭାବରେ ଆପଣ ଯେଉଁବି କାମ କରୁଛନ୍ତି ତାହା ଖୁସିର ସହକାରେ କରିପାରିବେ । ଯେତେବେଳେ ଜଣେ କର୍ମଚାରୀ ଡେଟିଂ ପରେ କର୍ମକ୍ଷେତ୍ରକୁ ଆସନ୍ତି, ସେ ଦୁଇଗୁଣ ଉତ୍ସାହିତ ହୋଇ କାର୍ଯ୍ୟ କରିଥାନ୍ତି ।









