ଭୁବନେଶ୍ୱର: ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱରସ୍ଥିତ ଓସିସିଏଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ନିଗମ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତର ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ସମୀକ୍ଷା ବୈଠକରେ ଓସିସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଇଂ. ବିଘ୍ନରାଜ ପୁରୋହିତଙ୍କ ସମେତ ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ପ୍ରକଳ୍ପ ସ୍ଥଳର ମୁଖ୍ୟମାନେ ଆଭାସୀ ମାଧ୍ୟମରେ ଯୋଗଦେଇ କ୍ଷେତ୍ରସ୍ତରୀୟ ରିପୋର୍ଟ ଓ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ନିୟମିତ ମୂଲ୍ୟାୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହାବ୍ୟତୀତ, ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ ସମାପ୍ତି ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ସଘନ କ୍ଷେତ୍ର ପରିଦର୍ଶନ କରିବାକୁ ଏବଂ କାର୍ଯ୍ୟର ଅଗ୍ରଗତି ଉପରେ କଠୋର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମାପ୍ତ ହୋଇଥିବା ଏବଂ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ବଜେଟ୍ ଅନୁଦାନ ଏବଂ ବ୍ୟୟ ଅଟକଳର ଏକ ବ୍ୟାପକ ସମୀକ୍ଷା କରାଯାଇଥିଲା। ବିଶେଷ କରି ରାଜ୍ୟର ବିଭିନ୍ନ ନଦୀରେ ନିର୍ମାଣାଧୀନ ‘ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍’ ଗୁଡ଼ିକର ଅଗ୍ରଗତିର ମୂଲ୍ୟାୟନ କରାଯାଇଥିଲା। ମୌସୁମୀ ପୂର୍ବରୁ କାନପୁର ଏବଂ ସୁକତେଲ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜଳ ସଂରକ୍ଷଣ ନିଶ୍ଚିତ କରିବା ପାଇଁ କଠୋର ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗ ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର ବନ୍ଧରେ ଗେଟ୍ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।










