20.1 C
Bhubaneswar
Saturday, December 21, 2024
Homeଓଡିଶାଖଣି ରାଜସ୍ବ ସମ୍ପର୍କିତ ଅଡିଟ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଖଣି ରାଜସ୍ବ ସମ୍ପର୍କିତ ଅଡିଟ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ବର : ଖଣି କ୍ଷେତ୍ରରେ ରୟାଲ୍‌ଟି ଓ ପ୍ରିମିୟମ୍ ଏଡ଼ାଇବାକୁ ଖଣି ଲିଜ୍‌ଧାରୀମାନେ ଯେଉଁ ସବୁ କାରସାଦି କରିଛନ୍ତି, ତାହାକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କରିଥିବା ଖଣି ରାଜସ୍ବ ସମ୍ପର୍କିତ ଅଡିଟ୍ ରିପୋର୍ଟରେ ଏ ସଂକ୍ରାନ୍ତରେ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଉଚ୍ଚ ମାନର ଖଣିଜ ପଦାର୍ଥକୁ ନିମ୍ନ ମାନ ଓ ଲୁହାପଥର ଗୁଣ୍ଡକୁ ସ୍କ୍ରିନ୍ ଫାଇନ୍ ଦର୍ଶାଇ କୋଟି କୋଟି ଟଙ୍କା ହରିଲୁଟ୍ କରାଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ଉପାୟରେ ରୟାଲ୍‌ଟି ଓ ପ୍ରିମିୟମ୍ ଏଡ଼ାଇବାକୁ ଖଣି ଲିଜ୍‌ଧାରୀମାନେ ଉଦ୍ୟମ କରିଛନ୍ତି। ଏସବୁ କାରଣରୁ ରାଜ୍ୟ ସରକାର ୧୪୪୫୭ କୋଟି ଟଙ୍କାର ଖଣି ରାଜସ୍ବ ପାଇବାରୁ ବଞ୍ଚିତ ହୋଇଛନ୍ତି। ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଇଥିବାରୁ ୪୧୬୨.୭୭ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ବେଳେ ଲୁହାପଥର ଗୁଣ୍ଡକୁ ସ୍କ୍ରିନ୍ ଫାଇନ୍ ଦର୍ଶାଯାଇଥିବାରୁ ୧୦,୨୯୪.୨୪ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ସିଏଜି କହିଛନ୍ତି। ଅଡିଟ୍‌ ବେଳେ ସିଏଜି ଜାଣିବାକୁ ପାଇଥିଲେ ଯେ ରାଜ୍ୟରେ ନିଲାମ ହୋଇଥିବା ଖଣିରୁ ଉତ୍ତୋଳନ କରାଯାଉଥିବା ଖଣିଜ ମାନରେ ନୂତନ ଲିଜ୍‌ଧାରୀମାନେ ବ୍ୟାପକ ହେରଫେର କରୁଛନ୍ତି। ନିଲାମ ପୂର୍ବରୁ ଓ ପରବର୍ତ୍ତୀ ଉତ୍ତୋଳନରେ ଖଣିଜ ମାନରେ ବଡ଼ ଧରଣର ହ୍ରାସ ଦର୍ଶାଯାଇଛି। ଏହା ଅତ୍ୟନ୍ତ ଅସମ୍ଭବ ମନେ ହେଉଥିଲେ ମଧ୍ୟ ନୂତନ ଲିଜ୍‌ଧାରୀମାନେ ସେଭଳି କାରସାଦି କରିଛନ୍ତି। ଉଚ୍ଚ ଗ୍ରେଡ୍‌ ଉପରେ ଅଧିକ ରୟାଲ୍‌ଟି ଓ ପ୍ରିମିୟମ୍ ଦେବାକୁ ପଡ଼ୁଥିବାରୁ ଲିଜ୍‌ଧାରୀମାନେ ଜାଣିଶୁଣି ଖଣିଜର ମାନ ହ୍ରାସ କରିଛନ୍ତି। ରିପୋର୍ଟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ନିଲାମ ପରେ ଲିଜ୍‌ଧାରୀମାନେ ଲୁହାପଥର ଗ୍ରେଡ୍‌ ଓ ତାହାର ବର୍ଗୀକରଣରେ ଯେଉଁ ହ୍ରାସ କରିଛନ୍ତି ତାହା ଆକସ୍ମିକ ଓ ଅସ୍ବାଭାବିକ ମନେ ହେଉଛି। ଯେଉଁ ଖଣିରେ ନିଲାମ ପୂର୍ବରୁ ୬୨-୬୫% ଲୌହ ଶ୍ରେଣୀର ଉତ୍ତୋଳନ ୮୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା, ନିଲାମର ଦୁଇ ବର୍ଷ ଭିତରେ ତାହା ୧୬ ପ୍ରତିଶତକୁ ହ୍ରାସ ପାଇଛି। ୬୦% ଲୌହ ଶ୍ରେଣୀ କିମ୍ବା ତା’ଠାରୁ ନିମ୍ନ ମାନର ଲ‌ୌହ ଶ୍ରେଣୀ ଉତ୍ତୋଳନ ପୂର୍ବରୁ ୧୧ ପ୍ରତିଶତ ଥିବା ବେଳେ ତାହା ୬୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଲିଜ୍‌ଧାରୀମାନେ ରୟାଲ୍‌ଟି ଓ ପ୍ରିମିୟମ୍ ଏଡ଼ାଇବା ଲାଗି ଏଭଳି କରିଥିବା ସନ୍ଦେହ କରାଯାଉଛି। ଯୋଡ଼ା ଅଞ୍ଚଳରେ ଏକ ଖଣିରେ ନିଲାମ ପୂର୍ବରୁ ୬୦% ଲୌହ ଶ୍ରେଣୀର ଉତ୍ତୋଳନ ହାର ୭୭ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ଦୁଇ ବର୍ଷ ମଧ୍ୟରେ ତାହାକୁ ଶୂନ କରିଦିଆଯାଇଥିଲା। ଲୁହାଖଣ୍ଡ ଓ ଚୂର୍ଣ୍ଣ ଗୁଣ୍ଡ ଉପରେ ସମାନ ଟିକସ ଆଦାୟ କରିବା ବ୍ୟବସ୍ଥା ଥିବା ବେଳେ ସ୍କ୍ରିନ୍‌ଡ ଫାଇନାନ୍ସ ପାଇଁ ଟିକସ କମ୍ ରହିଛି। ତେଣୁ ଲିଜ୍‌ଧାରୀମାନେ ଟିକସ ଏଡ଼ାଇବା ଲାଗି ହଠାତ୍‌ ସ୍କ୍ରିନ୍‌ଡ ଫାଇନ୍ ଉତ୍ତୋଳନ ବହୁତ ବଢ଼ିଥିବା ଓ ଚୂର୍ଣ୍ଣ ଗୁଣ୍ଡ ଉତ୍ତୋଳନ କମ୍ ହୋଇଥିବା ଦର୍ଶାଇଥିଲେ। କ୍ରସର୍‌ ମେସିନ୍‌ରୁ ବାହାରୁ ଥିବା ଚୂର୍ଣ୍ଣ ଗୁଣ୍ଡର ଭୁଲ୍‌ ତଥ୍ୟ ମଧ୍ୟ ଦେଉଥିଲେ। ଯୋଡ଼ା ଅଞ୍ଚଳର ଏକ ଖଣିରେ ୨୦୦୭-୧୦ରେ ସ୍କ୍ରିନ୍‌ଡ ଫାଇନ୍ ଉତ୍ତୋଳନ ହାର ୭ ପ୍ରତିଶତ ଥିଲା। ରୟାଲ୍‌ଟି ଓ ପ୍ରିମିୟମ୍ ଏଡ଼ାଇବା ଲାଗି ୨୦୧୦-୨୧ ମଧ୍ୟରେ ତାହା ୮୬ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା। ଖଣି ଲିଜ୍‌ଧାରୀମାନଙ୍କ ଏହି କାରସାଦି ପାଇଁ ରାଜ୍ୟ ସରକାର ରୟାଲ୍‌ଟି ବାବଦରେ ୫୮୪୧.୮୦ କୋଟି ଟଙ୍କା ଓ ପ୍ରିମିୟମ୍ ବାବଦରେ ୪୪୫୨.୪୪ କୋଟି ଟଙ୍କା ହରାଇଥିବା ସିଏଜି ଜଣାଇଛନ୍ତି। କେବଳ ସେତିକି ନୁହେଁ, କମ୍ ରୟାଲ୍‌ଟି ଦେବା ପାଇଁ ଲିଜ୍‌ଧାରୀମାନେ ବାଣିଜ୍ୟ କର ଓ ଖଣି ମଣ୍ଡଳକୁ ବିକ୍ରିର ଭୁଲ୍‌ ତଥ୍ୟ ଦେଉଛନ୍ତି। ସେଥିପାଇଁ ୯୦୫.୬୬ କୋଟି ଟଙ୍କାର ରୟାଲ୍‌ଟି ଆଦାୟ ହୋଇପାରିନାହିଁ। ଜିଲ୍ଲା ଖଣିଜ ପାଣ୍ଠି ପାଇଁ ଆଦାୟ ହେବାର ଥିବା ୨୭୧.୭୦ କୋଟି ଟଙ୍କା ଓ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟର ୧୮.୧୧ କୋଟି ଟଙ୍କା ଆଦାୟ ହୋଇପାରିନଥିଲା।

ଅଡିଟ୍ ବେଳେ ଏହା ମଧ୍ୟ ଦେଖାଯାଇଥିଲା ଯେ କେତେକ ଖଣି, ପରିବେଶ ସୁରକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଥିବା ବେଳେ ଆଉ କିଛି ଲିଜ୍‌ଧାରୀ ଅନୁମୋଦିତ ଯୋଜନାଠାରୁ ଯଥେଷ୍ଟ ଅଧିକ ଖଣିଜ ଉତ୍ତୋଳନ କରିଛନ୍ତି। ଦୁଇଟି ଲୁହାପଥର ଖଣି ଓ ଗୋଟିଏ କୋଲଲା ଖଣି ପରିବେଶ ମଞ୍ଜୁରିରେ ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ଅଧିକ ଖଣିଜ ଉତ୍ତୋଳନ କରିଥିଲେ। ଉତ୍ତୋଳନ ହୋଇଥିବା ଖଣିଜର ମୂଲ୍ୟ ୧୬୯୯.୦୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଟିଏ କ୍ରୋମାଇଟ୍‌ ଖଣିରେ ପରିବେଶ ମଞ୍ଜୁରି ନଥାଇ ଜଙ୍ଗଲ ଜମିରୁ ଖଣିଜ ଉତ୍ତୋଳନ କରାଯାଇଛି ଯାହାର ମୂଲ୍ୟ ୧୫୦.୧୦ କୋଟି ଟଙ୍କା। ଅଡିଟ୍ ପାଇଁ ବିଚାରକୁ ନିଆଯାଇଥିବା ଆଠଟି ଖଣି ଅନୁମୋଦିତ ଖଣି ଯୋଜନାଠାରୁ ଅଧିକ ଖଣିଜ ଉତ୍ତୋଳନ କରିଥିଲେ ଯାହାର ମୂଲ୍ୟ ହେଉଛି ୩୬୧୮.୫୦ କୋଟି ଟଙ୍କା।

ଖଣିଜ ପଦାର୍ଥର ‌‌ଗ୍ରେଡ୍‌ ସୁନିଶ୍ଚିତ କରିବା ଲାଗି ସରକାରୀ ପରୀକ୍ଷାଗାରଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁନଥିବା ସିଏଜି ଜଣାଇଛନ୍ତି। ୨୦୧୫-୨୨ ମଧ୍ୟରେ ୩୧୬୭୭ ମାମଲା ମଧ୍ୟରୁ ୩୧୩୪୦ଟି ନମୁନା ଆବଶ୍ୟକୀୟ ରାସାୟନିକ ପଦାର୍ଥ ବିନା ବି‌ଶ୍ଳେଷଣ କରାଯାଇଥିଲା। ଖଣିଜ ପଦାର୍ଥ ପରିବହନ ଲାଗି ଟ୍ରାଞ୍ଜିଟ୍ ପାସ୍ ପ୍ରଦାନ ଓ ଚେକ୍‌ ଗେଟ୍‌ଗୁଡ଼ିକରେ ମଧ୍ୟ ବ୍ୟାପକ ହେରଫେର ହୋଇଛି। ୧୦ଟି ଚେକ୍‌ଗେଟ୍‌ ଦେଇ ଖଣିଜ ପରିବହନ ଲାଗି ପ୍ରଦାନ କରାଯାଇଥିବା ୧,୧୮,୪୪,୮୬୪ ଇ-ପାସ୍ ମଧ୍ୟରୁ ୧୬,୭୯,୨୨୦ ଇ-ପାସ୍ ସମ୍ପର୍କରେ ଆଇ୩ଏମ୍‌ଏସ୍‌ରେ କୌଣସି ସୂଚନା ନଥିଲା। ଫଳରେ ୧୪୭୩.୨୬ କୋଟି ଟଙ୍କାର ଲୁହାପଥର ପରିବହନ ବିଷୟରେ ତଥ୍ୟ ମିଳିନଥିଲା। ଚେକ୍‌ଗେଟ୍‌ଗୁଡ଼ିକରେ ମାନବ ସମ୍ବଳର ଅଭାବ, ଇଣ୍ଟରନେଟ୍‌ ସଂଯୋଗ ନଥିବା, ବାର୍‌କୋଡ୍‌ ସ୍କାନର୍‌ ଭଳି ଅତ୍ୟାବଶ୍ୟକ ଜିନିଷ ନଥିବା ଭଳି ତ୍ରୁଟିକୁ ମଧ୍ୟ ସିଏଜି ଧରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଖଣିଜ ପରିବହନ ଲାଗି ଯୋଗ୍ୟ ନଥିବା ୩୬୯୭ଟି ଗାଡ଼ି ପାଇଁ ଇ-ପାସ୍ ଜାରି କରାଯାଇଥିଲା। ଅଡିଟ୍‌ ବେଳେ ସେହି ଗାଡ଼ିଗୁଡ଼ିକ ମୋଟରସାଇକଲ୍, ତିନିଚକିଆ ଓ କାର୍ ବୋଲି ଜଣାପଡ଼ିଥିଲା। ସେହିଗାଡ଼ିଗୁଡ଼ିକରେ ୬୭,୨୭୧ ଟନ୍ ଖଣିଜ ପରିବହନ କରାଯାଇଥିଲା। ଫଳରେ ଧରପଗଡ଼ ସ୍କ୍ବାଡ୍‌ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁନଥିବା ଜଣାପଡ଼ିଛି। ସେମାନେ ଯେତିକି ସଂଖ୍ୟକ ନିରୀକ୍ଷଣ ଓ ଚଢ଼ଉ କରିବା କଥା ତାହା କରୁନାହାନ୍ତି ବୋଲି ସିଏଜି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking