ଭୁବନେଶ୍ୱର : ଆଜି ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସଙ୍କଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍। ତେଣୁ ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ଆଣିପାରନ୍ତି ସରକାର। ପୂର୍ବ ସରକାର ଫେବୃଆରୀ ମାସରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଣିଥିଲେ। ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କଣ ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି ।ଆଜି ବିଧାନସଭାରେ ବଜେଟ ଉପସ୍ଥାପିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଗତକାଲି ପ୍ରକାଶିତ ହୋଇଛି ୨୦୨୩-୨୪ ମସିହାର ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ।ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ହାରାହାରି ୪.୬୪କୋଟି ଆକଳନ କରାଯାଇଛି । ଯାହାକି ଗତ ୨୦୨୨-୨୩ ମସିହା ତୁଳନାରେ ପ୍ରାୟ ୨୦ଲକ୍ଷ ଅଧିକ । ରାଜ୍ୟବାସୀଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୨୦୨୨-୨୩ରେ ୧ଲକ୍ଷ ୪୫ ୨୦୨ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୪୩୭ରେ ପହଂଚିଛି । ଅର୍ଥାତ୍ ବର୍ଷକରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟରେ ୧୬ହଜାର ୨୩୫ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ମୁଣ୍ଡପିଛା ବ୍ୟୟ ଗ୍ରାମାଂଚଳରେ ମାସିକ ୨୯୫୦ଟଙ୍କା ଓ ସହରାଂଚଳରେ ୫୧୮୭ଟଙ୍କା ରହିଛି । ଯାହାକି ଜାତୀୟ ହାର ତୁଳନାରେ ବେଶ୍ ପଛରେ ରହିଛି । ଜାତୀୟସ୍ତରରେ ଗ୍ରାମାଂଚଳରେ ହାରାହାରି ମାସିକ ମୁଣ୍ଡପିଛା ବ୍ୟୟ ୩୭୭୩ଟଙ୍କା ଓ ସହରାଞ୍ଚଳରେ ୬୪୫୯ଟଙ୍କା ରହିଛି ।
ରାଜ୍ୟର ଅର୍ଥନୀତି ୨୦୨୩-୨୪ ବର୍ଷରେ ୮.୫% ହାରରେ ଅଭିବୃଦ୍ଧି କରିବ ବୋଲି ଅଗ୍ରୀମ ଆକଳନ ହୋଇଛି । ୨୦୨୧-୨୨ରେ ରାଜ୍ୟର ଅର୍ଥନୀତି ୧୦.୬% ଓ ୨୦୨୨-୨୩ରେ ୭.୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା ।










