ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଚେନ୍ନାଇରେ ଅନୁଷ୍ଠିତ ମିଳିତ କାର୍ଯ୍ୟକାରୀ କମିଟି (ଜେଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ୍ ୭ ରାଜନେତା ସାମିଲ ହୋଇଛନ୍ତି। ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ଆଗାମୀ ୨୫ ବର୍ଷ ପାଇଁ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ (ପରିସୀମନ) ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିସହ କେନ୍ଦ୍ର ସରକାରଙ୍କ ନିକଟରେ ଏନେଇ ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା। ମିଳିତ କମିଟି ବୈଠକରେ କେନ୍ଦ୍ର ସରକାର ଏହାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ସାମ୍ବିଧାନିକ ସଂଶୋଧନ କରିବା ଉଚିତ୍ ବୋଲି ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଥିଲେ ଯେ ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ଯୋଜନାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିଛନ୍ତି ଏବଂ ସଫଳ ହୋଇଛନ୍ତି, ସେମାନଙ୍କ ପାଇଁ ସୀମା ନିର୍ଦ୍ଧାରଣ ଅତ୍ୟନ୍ତ ବିପର୍ଯ୍ୟୟକାରୀ ପ୍ରମାଣିତ ହେବ। ଆମେ ସୀମା ନିର୍ଦ୍ଧାରଣ ବିରୋଧରେ ନାହୁଁ। ଆମେ ନିରପେକ୍ଷ ସୀମା ନିର୍ଦ୍ଧାରଣର ସପକ୍ଷରେ ଅଛୁ। ଯଦି ଜନସଂଖ୍ୟା ଅନୁସାରେ ସୀମା ନିର୍ଦ୍ଧାରଣ କରାଯାଏ, ତେବେ ସଂସଦରେ ଆମର ପ୍ରତିନିଧିତ୍ୱ କମ୍ ହେବ। ଯଦି ଏହା ହୁଏ, ତେବେ ଆମକୁ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ପାଇବା ପାଇଁ ସଂଘର୍ଷ କରିବାକୁ ପଡିବ, ଚାଷୀମାନେ ପ୍ରଭାବିତ ହେବେ, ଆମର ସଂସ୍କୃତି ଏବଂ ବିକାଶ ବିପଦରେ ପଡ଼ିବ। ଆମର ନାଗରିକମାନେ ନିଜ ଦେଶରେ କ୍ଷମତା ହରାଇବେ। ତାଙ୍କ କଥା ଶୁଣାଯିବ ନାହିଁ। ନିର୍ବାଚନମଣ୍ଡଳୀ ପୁନର୍ଗଠନ ଉପରେ ଆଲୋଚନା ପାଇଁ ଜେଏସି ବୈଠକ ଶନିବାର ସକାଳ ୧୦ଟାରେ ଗିଣ୍ଡିର ଏକ ହୋଟେଲରେ ଆରମ୍ଭ ହୋଇଥିଲା।
ଏହି ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଯୋଗଦେଇଥିବା ବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ୍ରେ ଯୋଗଦେଇଥିଲେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରୁ ଦୂରେଇ ରହିବା ଦେଖିବାକୁ ମିଳିଥିଲା। ସେହିପରି ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳ ୱାଇଏସଆର-କଂଗ୍ରେସର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ତେବେ ସମସ୍ତେ ନିଜ ନିଜ ତଥ୍ୟ ସହିତ ସୀମା ନିର୍ଦ୍ଧାରଣକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଆଗାମୀ ସୀମା ନିର୍ଦ୍ଧାରଣ ଯୋଗୁଁ ଦକ୍ଷିଣ ଭାରତୀୟ ରାଜ୍ୟ ସଂସଦୀୟ ଆସନ ହରାଇବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ସନ୍ଦେହ ପ୍ରକାଶ କରିବା ପରେ ବିରୋଧୀ ଦଳଙ୍କୁ ଏକଜୁଟ୍ କରିବାରେ ଲାଗିଛନ୍ତି।