26.1 C
Bhubaneswar
Wednesday, March 18, 2026
Homeଓଡିଶା‘ଲୀଳାବତୀଙ୍କ ଶତେକ କନ୍ୟା’ ପୁସ୍ତକ ଉନ୍ମୋଚିତ

‘ଲୀଳାବତୀଙ୍କ ଶତେକ କନ୍ୟା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଭାରତୀୟ ବିଜ୍ଞାନ ଏକାଡେମି, ବେଙ୍ଗାଲୁରୁ ଦ୍ୱାରା ପ୍ରକାଶିତ ‘ଲୀଳାବତୀଙ୍କ ଶତେକ କନ୍ୟା: ଭାରତର ମହିଳା ବୈଜ୍ଞାନିକ’ ପୁସ୍ତକ ବୁଧବାର ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପ୍ରଖ୍ୟାତ ବୈଜ୍ଞାନିକ ପଦ୍ମଶ୍ରୀ ରୋହିଣୀ ଗଡବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ସଂପାଦିତ ଇଂରାଜୀ ପୁସ୍ତକ “ଲୀଳାବତୀଜ ଡଟର୍ସ” (ଏଲ୍‌ଡି)ର ପୁସ୍ତକକୁ ଓଡିଆରେ ଅନୁବାଦ କରିଛନ୍ତି ସୋଆରେ କାର୍ଯ୍ୟରତ ପ୍ରଫେସର ନଚିକେତା ଖମାରୀ ଶର୍ମା ଓ ଡ. ଦୀପକ କୁମାର ପଟ୍ଟନାୟକ। ଉନ୍ମୋଚନ ସମୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଡିସ୍‌ନାଲ ରେଜିଷ୍ଟ୍ରାର ଡ. ଶଶାଙ୍କ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ଶର୍ମା ପୁସ୍ତକ ବିଷୟରେ ଟିପ୍ପଣୀ ଦେଇ କହିଥିଲେ ଯେ ଏହି ପୁସ୍ତକରେ ଶହେ ଜଣ ଭାରତୀୟ ନାରୀ ବିଜ୍ଞାନୀମାନଙ୍କ ଜୀବନୀକୁ ସତ୍ୟନିଷ୍ଠ ଭାବେ ସ୍ଥାନୀତ କରାଯାଇଛି। ଏହି ଶହେଟି ପ୍ରବନ୍ଧ (କିଛି ଜୀବନୀ ଆଧାରିତ)ରେ ଭାରତରେ ଜଣେ ନାରୀ ବିଜ୍ଞାନୀ ହେବା ପାଇଁ କିପରି ସମପର୍ଣ ଓ ଶକ୍ତି ଆବଶ୍ୟକ କରେ ତାହା ଦର୍ଶାଇଛି। ସଂସ୍କୃତିଗତ ବିବିଧତା, ଆଂଚଳିକ ପାଥର୍କ୍ୟ, ଭାଷା ଓ ପାରମ୍ପରିକତାକୁ ଏଡ଼ାଇବା ସହିତ ବିଜ୍ଞାନରେ କ୍ୟାରିୟର ଗଢ଼ିବା ଏକ ଜଟିଳ ପ୍ରକ୍ରିୟା। ଏହି କାହାଣୀରୁ ଏହି ଶିକ୍ଷା ମିଳେ ଯେ ପରିବାର ଓ କ୍ୟାରିୟର ମଧ୍ୟରେ ସମନ୍ୱୟ ରଖିବା ଅନେକ ଆହ୍ୱାନ ଭିତରୁ ଗୋଟିଏ ହେଲେ ମଧ୍ୟ ତାହା ଅନେକ ନାରୀ ବିଜ୍ଞାନୀଙ୍କ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବରୋଧ ସାଜିଥିଲା। ‘ଲୀଳାବତୀସ ଡଟର୍ସ’ ପ୍ରଚଳିତ ସଂସ୍କୃତିରେ କିପରି ପ୍ରବେଶ କରିଛି ତାହା ଏକ ଅପ୍ରତ୍ୟାଶିତ ସ୍ରୋତରୁ ସୂଚିତ ହୁଏ। ସୁପ୍ରସିଦ୍ଧ ଟେଲିଭିଜନ୍ ଗେମ୍ ଶୋ, ‘କୌନ୍ ବନେଗା କରୋଡ୍‌ପତି’ର ଦ୍ୱାଦଶତମ ସଂସ୍କରଣରେ (ହୁ ୱାଂଟସ୍ ଟୁ ବି ଏ ମିଲିଅନାୟାର? ର ଭାରତୀୟ ରୁପାନ୍ତର) ୪୩ତମ ଅଧ୍ୟାୟର ଶେଷ ପ୍ରଶ୍ନ (ଡିସେମ୍ବର ୨୦୨୦) ଥିଲା “ଭାରତୀୟ ବିଜ୍ଞାନ ଏକାଡେମି, ବେଙ୍ଗାଲୁରୁ ଦ୍ୱାରା ପ୍ରକାଶିତ ଶହେଟି ପ୍ରବନ୍ଧ ଥିବା ଏକ ପୁସ୍ତକ ଲୀଳାବତୀସ ଡଟର୍ସ କେଉଁ ବର୍ଗସମୂହ ଉପରେ ଆଧାରିତ?” ବିକଳ୍ପ ଉତର ଗୁଡ଼ିକ ଥିଲା: ଭାରତୀୟ ନାରୀ ବିଜ୍ଞାନୀ, ଇତିହାସକାର, କବି ଓ ସ୍ଥପତି। ପ୍ରତିଯୋଗୀ ଯିଏ ଜଣେ ନାରୀ ସେ ଏହି ପ୍ରଶ୍ନଟିର ସଠିକ୍ ଉତର ଦେଇ ସଂପୂର୍ଣ୍ଣ ପ୍ରତିଯୋଗିତା ଜିତିଥିଲେ।

କାହିଁକି ଏହି ପୁସ୍ତକ ଭାରତର ଅଗଣିତ ସ୍କୁଲଛାତ୍ରୀଙ୍କ ଭବିଷ୍ୟତ ଜୀବନ ପାଇଁ ମାଗର୍ଦର୍ଶିକାର କାମ କରିବ ଏହାର ମୁଖବନ୍ଧରେ ତାହା ବିସ୍ତୃତ ଭାବରେ ବର୍ଣ୍ଣିତ ଅଟେ। ଏହି ବହି ଅନୁବାଦକଙ୍କୁ ଏତେ ମାତ୍ରାରେ ଅନୁପ୍ରାଣିତ କରିଥିଲା ଯେ ଲୀଳାବତୀଙ୍କ କନ୍ୟାମାନଙ୍କ କାହାଣୀକୁ ବ୍ୟାପକ ସ୍ତରରେ ପ୍ରଚାର-ପ୍ରସାର ପାଇଁ ସେ ସୋଫଲ (ଶିକ୍ଷା ଓ ଅନୁସନ୍ଧାନ ଫେର୍ଟନାଇଟଲୀ ଏକାଡେମିକ ଲେକ୍‌ଚର) ପାକ୍ଷିକ ବକ୍ତୃତାମାଳା ଜରିଆରେ ଜୀବନ୍ତ ଲୀଳାବତୀଙ୍କ କନ୍ୟାମାନଙ୍କୁ ଅନ୍ତତଃପକ୍ଷେ ଏମ୍‌ଏସ ଟିମ୍‌ସ ଭଳି ଆଭାସୀ ପ୍ଲାଟ୍‌ଫର୍ମରେ ସେମାନଙ୍କ ଚିତାକର୍ଷକ ଯାତ୍ରା ସଂର୍ପକରେ ଅନ୍ୟମାନଙ୍କୁ କହିବା ପାଇଁ ପ୍ରତି ପନ୍ଦର ଦିନରେ ଏକାଠି କରିପାରିଛନ୍ତି। ଏପ୍ରିଲ-୨୦, ୨୦୨୪ରୁ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ଏପର୍ଯ୍ୟନ୍ତ ୪୨ ଜଣ ବିଖ୍ୟାତ ଲୀଳାବତୀ କନ୍ୟା ସେମାନଙ୍କର ସଦୟ ସ୍ୱୀକୃତି ପ୍ରଦାନପୂର୍ବକ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ଜରିଆରେ ଅଗଣିତ ଶ୍ରୋତାଙ୍କୁ ବିମୁଗ୍ଧ କରିଛନ୍ତି। ଏହି ପୁସ୍ତକଟି ସାହସ, ସମର୍ପଣ ଓ ଆକାଂକ୍ଷାର ଏକ ଅଭିବ୍ୟକ୍ତି, ଯାହା ବ୍ୟକ୍ତିଗତ ଭାବେ ପାଠକଙ୍କ ହୃଦୟ ଓ ମନକୁ ଛୁଇଁବ। ଏହି ପୁସ୍ତକରେ ଓଡିଶାର ବା ଓଡିଶାକୁ କର୍ମକ୍ଷେତ୍ର ଭାବେ ବାଛିଥିବା ବୈଜ୍ଞାନିକମାନେ ହେଲେ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି, ପ୍ରଫେସର ପୁଷ୍ପା ଖାରେ ଏବଂ ପ୍ରଫେସର ଶିଖା ବର୍ମା। ଅନ୍ୟ ପ୍ରଖ୍ୟାତ ଚରିତ୍ରଙ୍କ ମଧ୍ୟରେ ଅଛନ୍ତି ୧୯୯୪ରେ ଆଇସିଏମ୍‌ଆରର ମହାନିର୍ଦ୍ଦେଶକ (ପ୍ରଥମ “ମହିଳା ଡିଜି”) ଭାବେ ନିଯୁକ୍ତି ପାଇଥିବା ବୈଜ୍ଞାନିକ ଜି. ଭି. ସତ୍ୟବତୀ। ସେମାନଙ୍କ ମଧ୍ୟରୁ ପଚିଶ ଜଣ ଇହଲୀଳା ସମ୍ବରଣ କରିସାରିଛନ୍ତି। ଏହି ପୁସ୍ତକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଭପଲବ୍ଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking