ଭୁବନେଶ୍ୱର: ବାଲେଶ୍ୱରରେ ଭୁଶୁଡିଛି ବିଜେଡି ଗଡ । ଜଣଙ୍କ ପରେ ଜଣେ ଛାଡୁଛନ୍ତି ଦଳ । ଗତକାଲି ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ ଲେଖିଛନ୍ତି । କହିଛନ୍ତି, ଦଳ ସହିତ ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ । ଦଳର ସମସ୍ତ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ବାଲେଶ୍ୱର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା । ଚର୍ଚ୍ଚା ହେଉଛି ଯେ କାଲି ସେ ବିଜେପିରେ ମିଶିପାରନ୍ତି ।ସେହିପରି ବିଜେଡି ଛାଡିଛନ୍ତି ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡିଛନ୍ତି । ଅନ୍ୟପଟେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ ମଧ୍ୟ ବିଜେଡି ଛାଡିଛନ୍ତି ।










