ଲକ୍ଷ୍ନୌ : ପରକିୟା ପ୍ରୀତି ନେଲା ସ୍ତ୍ରୀର ଜୀବନ । ଯୁବତୀଙ୍କ ପ୍ରେମରେ ପାଗଳ ହୋଇ ନିଜ ପତ୍ନୀଙ୍କୁ ମାରିଦେଲେ ନୃସଂଶ ସ୍ୱାମୀ । ବହୁ ଥର ଧରା ପଡ଼ିବା ସହ କ୍ଷମା ମାଗିଥିଲେ ବି ପ୍ରେମିକାକୁ ଭୁଲି ପାରୁ ନ ଥିଲେ । ପତ୍ନୀ ଏହାକୁ ବିରୋଧ କରିବାରୁ ଶେଷରେ ଉତ୍ତ୍ୟକ୍ତ ହୋଇ ନିଜ ହିତାହିତ ଜ୍ଞାନ ହରାଇ ବସିଲେ । ଏପରିକି ପଶୁ ପରି ପିଟିବା ପରେ ଅଚେତ ପତ୍ନୀଙ୍କୁ ଫିନାଇଲ ପିଆଇବାକୁ ପଛାଇଲେ ନାହିଁ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଲକ୍ଷ୍ନୌରେ ରହୁଥିବା ସନ୍ତୋଷ ଯାଦବ ନାମକ ବ୍ୟକ୍ତି ପୁରୁଣା ଗାଡ଼ି କିଣାବିକା ବ୍ୟବସାୟ କରିଥାନ୍ତି । ପ୍ରାୟ ୧୩ ବର୍ଷ ପୂର୍ବେ ସେ ବିବାହ କରିଥିବା ବେଳେ ତାଙ୍କର ୧୨ ବର୍ଷର ଏକ ଝିଅ ରହିଛି । ସନ୍ତୋଷଙ୍କ ସଂସାର ବେଶ ହସଖୁସିରେ ଚାଲିଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ଜୀବନରେ ଜଣେ ଯୁବତୀଙ୍କ ଏଣ୍ଟ୍ରି ହୋଇଛି ।
ଉକ୍ତ ଯୁବତୀଙ୍କ ପ୍ରେମରେ ପାଗଳ ସନ୍ତୋଷ ଏହାକୁ କେନ୍ଦ୍ର କରି ପତ୍ନୀଙ୍କୁ ମାରଧର କରିବାକୁ ବି ପଛାଉ ନାହାନ୍ତି ।ଏନେଇ ସନ୍ତୋଷଙ୍କ ପତ୍ନୀ ପୂର୍ବରୁ ବହୁ ଥର ଥାନାରେ ଅଭିଯୋଗ କରି ସାରିଛନ୍ତି । ପୁଲିସ ସମ୍ମୁଖରେ ସନ୍ତୋଷ ନିଜ ପତ୍ନୀଙ୍କୁ କ୍ଷମା ମାଗିବା ସହ ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କହି ଘଟଣାର ସମାଧାନ କରୁଥିଲେ । ମାତ୍ର ପରେ ପୁଣି ପୂର୍ବ ଆଚରଣ ଦୋହରାଉଥିଲେ । ଘଟଣା ଦିନ ଏହି କଥାକୁ କେନ୍ଦ୍ର କରି ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ସନ୍ତୋଷ ପତ୍ନୀଙ୍କୁ ପ୍ରବଳ ପିଟିଥିଲେ ।
ଫଳରେ ସେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ଏଥିରେ ରାଗ ଶାନ୍ତ ନ ହେବାରୁ ସନ୍ତୋଷ ପତ୍ନୀଙ୍କୁ ଜବରଦସ୍ତି ଫିନାଇଲ ପିଆଇ ଦେଇଥିଲେ । ନିଜ ମା’ଙ୍କ ପ୍ରତି ଏପରି ନ କରିବାକୁ ସନ୍ତୋଷଙ୍କୁ ଝିଅ ଗୁହାରି କରିଥିଲା । ମାତ୍ର ସେ ତା’ କଥା ଶୁଣିବା ପରିବର୍ତ୍ତେ ତାକୁ ବି ମାରଧର କରିବାକୁ ପଛାଇ ନ ଥିଲେ । ଏନେଇ ସନ୍ତୋଷଙ୍କ ଝିଅ ନିଜ ମାମୁ ଘର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ କହିଦେଇଥିଲେ । ସେମାନେ ତୁରନ୍ତ ପହଞ୍ଚି ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲେ ବି ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରି ସନ୍ତୋଷଙ୍କୁ ଗିରଫ କରିଛି ।