ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଏବେ ଚାରିଆଡୁ ଝଟ୍କା ପରେ ଝଟ୍କା ମିଳିବାରେ ଲାଗିଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଟ୍ରମ୍ପ୍ଙ୍କ ଟାରିଫ୍ ପ୍ଲାନ୍ ଉପରେ ସ୍ଥଗିତାଦେଶ ଲାଗୁ କରିଥିବା ବେଳେ ଅନ୍ୟପଟେ ଟ୍ରମ୍ପ ପ୍ରଶାସନରୁ ନିଜକୁ ପୃଥକ୍ କରିନେଇଛନ୍ତି ଏଲନ୍ ମସ୍କ । ଟେସଲା ମୁଖ୍ୟ ଏଲନ୍ ମସ୍କ ନିଜ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ ନିଜ ସୋସିଆଲ ମିଡିଆ କମ୍ପାନୀ ଏକ୍ସ’ ଆକାଉଣ୍ଟ ଜରିଆରେ ଘୋଷଣା କରିଛନ୍ତି । ମସ୍କ, ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରେ ବା ଡିଓଜିଇ (ସରକାରୀ ଦକ୍ଷତା ବିଭାଗ) ମୁଖ୍ୟ ଭାବେ ନିୟୋଜିତ ଥିଲେ । ଇସ୍ତଫା ସମ୍ପକରେ ସୂଚନା ଦେଇ ମସ୍କ କହିଛନ୍ତି, “ଆମେରିକା ସରକାରରେ ଜଣେ ବିଶେଷ କର୍ମଚାରୀ ଭାବେ ମୋର ନିର୍ଦ୍ଧାରିତ ସମୟ ଶେଷ ହୋଇଛି । ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସମୟ ସହ ଡିଓଜିଇ ବିଭାଗ ଆହୁରି ଶକ୍ତିଶାଳୀ ହେବ, କାରଣ ଏହା ସରକାରଙ୍କ ସମସ୍ତ ବିଭାଗରେ ଜୀବନଶୈଳୀ ପାଲଟିଯିବ । ଟ୍ରମ୍ପ ଦ୍ୱିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ନୂଆ କରି ଡିଓଜିଇ ଭଳି ଏକ ବିଭାଗ ଗଠନ କରିଥିଲେ ଏବଂ ଏଲନ ମସ୍କଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ । ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା । ମସ୍କ ଏହି ବିଭାଗର ଦାୟିତ୍ୱ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିଲା । ସେହିପରି ଅନେକ ପ୍ରକ୍ରିୟାକ୍ରମେ ସରକାରୀ ଖର୍ଚ୍ଚ କାଟ ମଧ୍ୟ କରାଯାଇଥିଲା । ତେବେ ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଯୋଗୁ ମସ୍କ ନିଜ ପଦରୁ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି । କାରଣ ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ବେଶ୍ ବିବାଦୀୟ ହେଉଛି ।
ପ୍ରକାଶ କିଛି ଦିନ ପୂର୍ବେ ନିଜେ ଟ୍ରମ୍ପ୍ ସୂଚନା ଦେଇ କହିଥିଲେ ଯେ, ଏଲନ୍ ମସ୍କ ଖୁବ୍ ବୁଦ୍ଧିମାନ । କିନ୍ତୁ ତାଙ୍କ ଉପରେ ତାଙ୍କ ନିଜସ୍ୱ ଏକାଧିକ କମ୍ପାନୀର ଦାୟିତ୍ୱ ମଧ୍ୟ ରହିଛି । ସେ ହୁଏତ ଅଧିକ ଦିନ ପର୍ଯ୍ୟନ୍ତ ଡିଓଜିଇ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିନପାରନ୍ତି । ଟ୍ରମ୍ପଙ୍କ ଏପ୍ରକାର ବୟାନ୍ ଆସିବା ପରଠାରୁ ହିଁ ମସ୍କ ଡିଓଜିଇ ପଦରୁ ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା । ତେବେ ମସ୍କ, ନିଜ ପଦରୁ ଇସ୍ତଫା ଦେବା ପଛରେ ଆଉ ଏକ କାରଣ ରହିଥିôବା ମଧ୍ୟ ଅନୁମାନ କରାଯାଉଛି । କାରଣଟି ହେଉଛି, ଟ୍ରମ୍ପ୍ ଚାହୁଁଥିଲେ ମସ୍କ, ଭାରତରେ ନିଜ କମ୍ପାନୀ ଟେସଲାର କୌଣସି ପ୍ରକଳ୍ପକୁ କାର୍ଯ୍ୟକାରୀ ନକରନ୍ତୁ । କିନ୍ତୁ ମସ୍କ ନିଜ ବ୍ୟବସାୟିକ ଦୃଷ୍ଟିକୋଣ ଆଧାରରେ ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ଅଣଦେଖା କରିଥିଲେ । ଟ୍ରମ୍ପ୍ଙ୍କ ପରି ଆପ୍ଲ୍ କମ୍ପାନୀ ଉପରେ ମଧ୍ୟ ଟ୍ରମ୍ପ୍ ସମାନେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଭାରତରେ ନିଜ କମ୍ପାନୀର କୌଣସି ପ୍ଲାଣ୍ଟ ନଖୋଲିବାକୁ ପରାମର୍ଶ ଦେଇଥିଲେ । ଏପରିକି ଏଥିରେ ଖିଲାପି ହେଲେ ଅତିରିକ୍ତ ଶୁଳ୍କ ଦେବାକୁ ମଧ୍ୟ ଆପଲ୍ କମ୍ପାନୀକୁ ସେ ଚେତାବନୀ ଦେଇଥିଲେ । କିନ୍ତୁ ଆପଲ୍ ନିଜ ନିଷ୍ପତ୍ତିରେ ଅଟଳ ରହିଛି ।