କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ଓଡିଶାର ମହାମହିମ ରାଜ୍ୟପାଳଙ୍କ କରକମଳରେ ଉଦଯାପିତ ହୋଇଯାଇଅଛି । ଆଜି ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ । ସେମାନଙ୍କର ପ୍ରଥମ ଉପସ୍ଥାପନଟି ଥିଲା ତ୍ରିପଥଗା, ତ୍ରିପଥଗା ପବିତ୍ର ଗଙ୍ଗା ନଦୀକୁ ବୁଝାଏ ଯାହା ତିନୋଟି ଲୋକରେ ପ୍ରବାହିତ ହୁଏ । ପବିତ୍ର ସ୍ନାନ ଜୀବନ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ମଧ୍ୟ ପ୍ରଦାନ କରେ ଏବଂ ଏହାର ଅନେକ ନାମ ଅଛି । ଗଙ୍ଗା ନଦୀ ସମସ୍ତ ଭାରତୀୟଙ୍କ ପାଇଁ ଧାର୍ମିକ ଜୀବନରେଖା ସାଦୃଶ୍ୟ । ଏହି ନୃତ୍ୟାଭିନୟଟିର ନୃତ୍ୟ: ସଂରଚନା କରିଥିଲେ ଗୁରୁ ଶ୍ରୀ ରମେଶ ଚନ୍ଦ୍ର ଜେନା ଓ ଗୁରୁ ଶ୍ରୀମତୀ ଆରତୀ କର । ସଂଗୀତ ସଂଯୋଜନା କରିଥିଲେ ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାସ, ତାଳ ସଂଯୋଜନା କରିଥିଲେ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ନିୟତି, ନିୟତି ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା ଆଶ୍ୱାସନା ଦିଏ ଯେ ଯାହା ପ୍ରକୃତରେ ବୁଝାଯାଏ, ସମସ୍ତ ବାଧାବିଘ୍ନ ସତ୍ତ୍ୱେ ନିଶ୍ଚିତ ଭାବରେ ଆସିବ । ବିଭିନ୍ନ ଯୁଗରେ ପବିତ୍ର ଅବତାର ମଧ୍ୟ ନିୟତି ଅନୁସାରେ ପରୀକ୍ଷା ଏବଂ କ୍ଲେଶ ଦେଇ ଗତି କରିଛନ୍ତି ଯାହାର ନୃତ୍ୟ ନିର୍ଦ୍ଦେଶନା ଗୁରୁ ଶ୍ରୀମତୀ ଆରତୀ କର ଏବଂ ଗୁରୁ ଶ୍ରୀ ଯୁଧିଷ୍ଠିର ନାୟକ, ସଂଗୀତ ସଂଯୋଜନା ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାସ ଓ ତାଳ ସଂଯୋଜନା ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ କରିଥିଲେ ।
ଦ୍ୱିତୀୟରେ ତଥା କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଓ ତାଙ୍କ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା । ସେମାନଙ୍କ ପ୍ରସ୍ତୁତିରେ ଥିଲା ଆଦି ଅନନ୍ତ । ଏହି ପ୍ରଯୋଜନାଟି ଶିବ ଏବଂ କୃଷ୍ଣଙ୍କ ଦିବ୍ୟ ଶକ୍ତିକୁ ଅନୁସନ୍ଧାନ ଏବଂ ମୂର୍ତ୍ତିମନ୍ତ କରିଥିଲା । ଦୁଇଟି ମହାଜାଗତିକ ଶକ୍ତି – ଯାହା ଏକତ୍ର ସୃଷ୍ଟି, ସଂରକ୍ଷଣ ଏବଂ ବିଲୟନର ଅନନ୍ତ ଚକ୍ରକୁ ସମାପ୍ତ କରି ତାଳ, ଗତି ଏବଂ ଭାବନା ମାଧ୍ୟମରେ, ପ୍ରଦର୍ଶନ ସ୍ଥିରତାରୁ ଆନନ୍ଦକୁ, ତପସ୍ୟାରୁ ପରମାନନ୍ଦକୁ ଯାତ୍ରା କରେ । ଆଦି ଅନନ୍ତ, ଶିବଙ୍କ ପାଇଁ ଅସୀମ ଏବଂ ଅନନ୍ତ । ଏହା କଥକର ବିବିଧତା ଏବଂ ସମନ୍ୱୟକୁ ମଧ୍ୟ ସମ୍ମାନ କରିଥିଲା । ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ଲୀଳା ଯାହା ଆକାଶୀୟ ଆନନ୍ଦର ନୃତ୍ୟ, କୃଷ୍ଣଙ୍କ ଦିବ୍ୟ ଖେଳକୁ ପାଳନ କରେ – ଯେଉଁଠାରେ ଭକ୍ତି ପରିତ୍ୟଜନା ସହିତ ମିଳେ, ଏବଂ ଆନନ୍ଦ ସମସ୍ତ ରୂପକୁ ଅତିକ୍ରମ କରେ । ଏକାଠି, ଆଦି ଅନନ୍ତ ଏବଂ ଲୀଳା ଶିବଙ୍କ ଅନନ୍ତ ନୀରବତାରୁ କୃଷ୍ଣଙ୍କ ପରମାନନ୍ଦ ଖେଳ ପର୍ଯ୍ୟନ୍ତ – ଏକ ଆଧ୍ୟାତ୍ମିକ ଯାତ୍ରା ବୁଣନ୍ତି ଯାହା କଥକର ଅସୀମ ସମ୍ଭାବନା ଏବଂ ନୃତ୍ୟର କାଳଜୟୀ ସାରକୁ ଭକ୍ତି ଭାବରେ ପ୍ରତିଫଳିତ କରିଥିଲା ।
ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ଆତ୍ମନିର୍ଭର ଭାରତ ଏବଂ ମହିଳାମାନଙ୍କ ପାଇଁ ଥିଲା ବିକଶିତ ଭାରତ । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ କୂଳଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା । କୋଣାର୍କ ଉତ୍ସବର ଆଜି ଉଦଯାପନି ଦିବସର ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ଓଡିଶାର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ହୀରାଲାଲ ନାଗର ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ ।









