28.1 C
Bhubaneswar
Tuesday, June 24, 2025
Homeଓଡିଶା୧୧ ବର୍ଷର ମୋଦି ସରକାର କେବଳ ଦେଶବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି :...

୧୧ ବର୍ଷର ମୋଦି ସରକାର କେବଳ ଦେଶବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି : କଂଗ୍ରେସ

ଭୁବନେଶ୍ୱର: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷର ଯେଉଁ ସଫଳତାର ଗୋଲାପୀ ଚିତ୍ର ଦେଶବାସୀଙ୍କ ସାମନାରେ ରଖିଛନ୍ତି ତାହା ସଂପୂର୍ଣ୍ଣ ମିଛ ଓ ଦେଶବାସୀଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୧୪ ମସିହା ପାଖରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଜନସାଧାରଣଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପ୍ରତାରଣା ଥିଲା ଏବଂ ଜନସାଧାରଣଙ୍କୁ ଲୁଣ୍ଠନ କରିବାହିଁ ତାଙ୍କର ଏକମାତ୍ର ଅନୁଚିନ୍ତା ଥିଲା ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦଶେ କଂଗ୍ରେସର ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ ମୋଦି ସରକାର ପ୍ରତିବର୍ଷ ୨ କୋଟି ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ । ଏହି ୧୧ ବର୍ଷ ମଧ୍ୟରେ ୨୨ କୋଟି ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବା କଥା କିନ୍ତୁ ୧୧ ବର୍ଷ ମଧ୍ୟରେ ୪ କୋଟି ଯୁବକ ଯୁବତୀ ମଧ୍ୟ ନିଯୁକ୍ତି ପାଇଲେ ନାହିଁ ।

ଯେଉଁମାନଙ୍କ କାନ୍ଧରେ ଭାରତବର୍ଷର ଭବିଷ୍ୟତ ଛିଡ଼ା ହେବାକୁ ଯାଉଛି ସେମାନଙ୍କ ସ୍ୱପ୍ନକୁ ଚୁରମାର କରିଦିଆଯାଉଛି । ୧୧ ବର୍ଷର ଶାସନ ମଧ୍ୟରେ ଦେଶର ୨୭ କୋଟି ଗରିବ ଲୋକଙ୍କୁ ଗରିବୀ ସୀମାରେଖାର ଉପରକୁ ଉଠାଯାଇଛି ବୋଲି ମୋଦି ସରକାର ଦାବି କରୁଛନ୍ତି । ଯଦି ଏହା ସତ୍ୟ ତାହାହେଲେ କାହିଁକି ଭାରତ ବର୍ଷର ୮୦ କୋଟି ଗରିବ ଲୋକଙ୍କୁ ଦିର୍ଘ ୫ବର୍ଷ ଧରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ୫ କେଜି ଚାଉଳ ବା ଗହମ ବଂଟନ କରାଯାଉଛି । ଯଦି ଦେଶରେ ଗରିବ ହଟିଛି ତାହାଲେ ଏହି ୧୧ ବର୍ଷ ମଧ୍ୟରେ ଅପପୃଷ୍ଟି ଆଜି ଏକ ଜାତୀୟ ସମସ୍ୟା ହୋଇ ଉଭାହୋଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଅପପୃଷ୍ଟିର ଶିକାର ହୋଇଥିବା ପିଲାମାନଙ୍କ ମଧ୍ୟରେ ୩୫.୫ ହେଉଛନ୍ତି ଷ୍ଟଟିଂ, ୧୯.୩ ପ୍ରତିଶତ ୱେଷ୍ଟିଂ ଏବଂ ୩୨.୧ ପ୍ରତିଶତ ପିଲାମାନଙ୍କର ଓଜନ ହ୍ରାସ ।

ବିକଶିତ ଭାରତର ସ୍ୱପ୍ନ ବାଣ୍ଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ଆଗାମୀ ଭବିଷ୍ୟତକୁ କେତେ ସୁରକ୍ଷିତ ରଖିଛନ୍ତି ଏଥିରୁ ବାରିହୋଇ ପଡ଼ୁଛି । ପ୍ରଧାନମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି କଂଗ୍ରେସ ଆଶା କରୁଛି । ଭାରତ ବର୍ଷର ମହିଳାମାନଙ୍କ ଆଖିରୁ ଲୁହ ଗଡ଼ିବ ନାହିଁ ଗୋବର ଓ କାଠ ଜାଳି ରୋଷେଇ କରିବେ ନାହିଁ ବୋଲି ୨୦୧୯ ମସିହାରେ ପ୍ରତିଶ୍ରୁତି ଦେଇଥିଲେ । ୯ କୋଟିର ଅଧିକ ଲୋକଙ୍କୁ ଉଜ୍ଜଳା ଯୋନନାର ହିତାଧିକାରୀ ବୋଲି ଦର୍ଶାଗଲା । କିନ୍ତୁ ପରିବାରର ଆର୍ଥିକ ବୋଝ ଏତେ ବେଶିଯେ ଯୋଜନା ଆରମ୍ଭର ପ୍ରଥମ ଗ୍ୟାସ ସିଲିଣ୍ଡର ନେବାପରେ ୫ କୋଟିର ଅଧିକ ମହିଳା ଦ୍ୱିତୀୟଥର ପାଇଁ ସିଲିଣ୍ଡର ଆଉ ବୁକ କରିନାହାନ୍ତି । ଦ୍ୱିତୀୟ ସିଲିଣ୍ଡର ବୁକିଂପରେ ପରେ ଆଉ ତୃତୀୟ ସିଲିଣ୍ଡର ୮୦ ପ୍ରତିଶତରୁ ଅଧିକ ଲୋକ ବୁକିଂ କରିନାହାନ୍ତି । ଦିନ କେଇଟାପରେ ପୁଣି ମହିଳାମାନେ କାଠ ଚୁଲିକୁ ଫେରିଗଲେ । ଆଖିର ଲୁହ ବେଶ ଅଧିକ ଗଡ଼ିଲା । କୋଟି କୋଟି ଟଙ୍କା ଉଜ୍ଜଳା ଯୋଜନା ନାରେ ପ୍ରଚାର ପ୍ରସାର ଓ ବିଜେପି କର୍ମୀ ଓ ନେତାମାନେ ହଡ଼ପ କଲେ ।

ସମସ୍ତ ବାସହୀନଙ୍କୁ ୨୦୨୦ ମସିହା ସୁଦ୍ଧା ପକ୍କାଘର ଯୋଗାଇ ଦେବାପାଇଁ ଖୋଦ ପ୍ରଧାନମନ୍ତ୍ରୀ ବୁଲି ବୁଲି ସାରା ଦେଶରେ ପ୍ରତିଶ୍ରୁତି ଦେଇଥିଲେ ଏବଂ ପୂର୍ବ ସରକାରଙ୍କୁ ଅତ୍ୟନ୍ତ ନିମ୍ନସ୍ତରକୁ ଯାଇ ଅତ୍ୟନ୍ତ କଟୁ ସମାଲୋଚନା କରୁଥିଲେ । ୨୦୨୦ ମସିହା ଶେଷ ସୁଦ୍ଧା ଏ ପ୍ରତିଶ୍ରୁତି ମଧ୍ୟ ପୂରଣ ହେଲା ନାହିଁ । ଭାରତ ବର୍ଷର କୋଟି କୋଟି ଲୋକ ଘର ପାଇଲେ ନାହିଁ । ପୁର୍ନବାର ପ୍ରଧାନମନ୍ତ୍ରୀ ଏ ପ୍ରତିଶ୍ରୁତିକୁ ୨୦୨୫ ମସିହା ସୁଦ୍ଧା ପୂରଣ କରିବାପାଇଁ ଭାରତ ବର୍ଷର କୋଟି କୋଟି ବାସହୀନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ । ୨୫ ମସିହା ସରିବାକୁ ବସିଲାଣି ଆଜି ମଧ୍ୟ ସାରା ଦେଶରେ କୋଟି କୋଟି ଲୋକ ଘର ପାଇବାକୁ ଅପେକ୍ଷା କରିଛନ୍ତି । ଆମ ଓଡ଼ିଶାରେ ପାଖାପାଖି ୧୫ଲକ୍ଷ ଲୋକ ବାସଗୃହ ଅପେକ୍ଷାରେ ଅଛନ୍ତି । ୧୧ ବର୍ଷ ଭିତରେ ଗ୍ରାମାଞ୍ଚଳରେ ୪ କୋଟିର ଅଧିକ ପକ୍କା ଘର କରିଛନ୍ତି ବୋଲି କହୁଥିଲେ । କିନ୍ତୁ ସତ୍ୟ ହେଉଛି ମାତ୍ର ୨କୋଟି ୭୭ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମଞ୍ଚଳ) ଯାହାକି ମାତ୍ର ୬୮ ପ୍ରତିଶତ । ଠିକ ସେହିଭଳି ଭାବରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ମାତ୍ର ୪୭ ପ୍ରତିଶତ ଘର କରାଯାଇଛି । ଭାରତବର୍ଷର ପ୍ରତ୍ୟେକ ପରିବାରକୁ ୨୦୨୨ ମସିହା ସୁଦ୍ଧା ସ୍ୱଚ୍ଛ ପାଇପପାଣି ଯୋଗାଇ ଦେବାପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ୨୦୨୫ ମସିହା ମେ ମାସ ସୁଦ୍ଧା ୭୦ ପ୍ରତିଶତରୁ ଅଧିକ ପରିବାରକୁ ପାଇପପାଣି ଯୋଗାଇ ଦିଆଯାଇ ପାରିନାହିଁ । ଭାରତ ବର୍ଷର ଅର୍ଥନୀତିକୁ ଏକ ସ୍ୱଚ୍ଛ ଅର୍ଥନୀତି ରୂପେ ପରିଣତ କରିବାପାଇଁ ବିମୁଦ୍ରୀକରଣ କରାଯାଇଥିଲା କିନ୍ତୁ ଦେଶବାହାରେ ଏବଂ ଦେଶଭିତରେ ଥିବା ସମସ୍ତ କଳାଧନକୁ ସରକାର ଫେରାଇ ଆଣିବାପାଇଁ ପ୍ରତିଶ୍ରୁତି ଦେବା ସହିତ କଳାଧନ ଠୁଳ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଆଜକୁ ୯ ବର୍ଷ ଭିତରେ ଦେଶକୁ କେତେ ପରିମାଣରେ କଳାଧନ ଆସିଲା ଏବଂ ମହଜୁତକାରୀ ମାନଙ୍କ ନାମ ମଧ୍ୟ ପ୍ରକାଶ କରାଯାଉ ନାହିଁ । ଏଥିରୁ ମୋଦି ଯାହା କୁହନ୍ତି ତାହା କରନ୍ତି ନାହିଁ ବୋଲି ଭଲ ଭାବରେ ବୁଝାପଡ଼ୁଛି । ମୋଦି ସରକାରଙ୍କର ବିମୁଦ୍ରି କରଣ ଏବଂ ମନଇଛା ଜିଏଷ୍ଟି ଲାଗୁ କରାଯିବା ନିଷ୍ପତ୍ତି ଯୋଗୁଁ ଭାରତବର୍ଷର ୬୪ ମିଲିୟନ ଅଣସଂଗଠିତ କ୍ଷେତ୍ରରେ ଚାଲୁଥିବା ବ୍ୟବସାୟ ପ୍ରତିଷ୍ଠାନ ସବୁଦିନ ପାଇଁ ବନ୍ଦ ହୋଇଗଲା । ଭାରତ ବର୍ଷରେ ୬ କୋଟିର ଅଧିକ ଲୋକ ନିଜର ରୋଜଗାର ହରାଇଲେ ।

ଆଜି ମଧ୍ୟ ନଗଦ କାରବାର ବିମୁଦ୍ରୀକରଣ ସମୟରେ ଚାଲିଥିବା ନଗଦ କାରବାର ଠାରୁ ଢ଼େର ଅଧିକ । ତେଣୁ ବିମୁଦ୍ରୀକରଣର ସୁଫଳ କାହାକୁ ମିଳିଲା? ସରକାରଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ ଏବଂ ଅର୍ଥନୀତିକୁ ପରିଚାଳନ କରିବା ଦକ୍ଷତାର ଅଭାବ ହେତୁ ଏହି ଦୀର୍ଘ ୧୧ ବର୍ଷ ଭିତରେ ଭାରତବର୍ଷର ଜିଡିପିର ବୃଦ୍ଧି ୫ ପ୍ରତିଶତରୁ ୬.୫ ପ୍ରତିଶତ ମଧ୍ୟରେ ସୀମିତ ରହିଛି । କିନ୍ତୁ ଉପାସରକାର ସମୟରେ ଭାରତବର୍ଷର ଜିଡିପିର ବୃଦ୍ଧି ୮.୫ ପ୍ରତିଶତରୁ ଅଧିକ ଥିଲା । ଖାଲି ସେତିକି ନୁହେଁ ନରେନ୍ଦ୍ର ମୋଦି ସରକାର ମାନୁଫେକଚରିଂ କ୍ଷେତ୍ରରେ ୧୫ ପ୍ରତିଶତର ଅଭିବୃଦ୍ଧିର ନାରା ଦେଉଥିଲେ । ମେକଇନ ଇଣ୍ଡିଆ, ଷ୍ଟାଟଅଫ ଇଣ୍ଡିଆର ନାରାଦେଇ ବିଭ୍ରାନ୍ତ ସୃଷ୍ଟି କରୁଥିଲେ । କିନ୍ତୁ ପ୍ରକୃତ କଥା ହେଲା ମାନୁଫେକଚରିଂ କ୍ଷେତ୍ରରେ ୪ ରୁ ୫ ପ୍ରତିଶତ ମାତ୍ର ଅଭିବୃଦ୍ଧି ଏହି ୧୧ ବର୍ଷ ମଧ୍ୟରେ ହେଉଛି । ଯଦି ଅର୍ଥନୀତିର ବଡ଼ ବୃଦ୍ଧି ଘଟୁନାହିଁ, ଉତ୍ପାଦନ କ୍ଷେତ୍ରରେ କୌଣସି ବୃଦ୍ଧି ଘଟୁନାହିଁ ତାହେଲେ କିଭଳି ଭାବରେ ଆମେ ଅଧିକ ନିଯୁକ୍ତି ସୃଷ୍ଟି କରିଛୁ ବୋଲି କହୁଛୁ ସତ କ’ଣ । କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବାପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ । ସତରେ ଯେମିତି ଅନ୍ନଦାତାଙ୍କ ପାଇଁ ମୋଦି ସରକା ଦିନରାତି କାନ୍ଦୁଛନ୍ତି ବୋଲି ଲାଗୁଥିଲା ।

କିନ୍ତୁ ବାସ୍ତବ କ୍ଷେତ୍ରରେ କୃଷକ ମାନଙ୍କର ଆୟ ଦ୍ୱିଗୁଣିତ ହେବା ଦୁରେ ଥାଉ କୃଷକମାନଙ୍କୁ ସବୁଦିନ ପାଇଁ ଶେଷ କରିଦେବା ପାଇଁ କଳା କୃଷି ଆଇନ ଆଣିଥିଲେ । କିନ୍ତୁ ବହୁ ଆନ୍ଦୋଳନ ଏବଂ ୫୦ ରୁ ଅଧିକ କୃଷକଙ୍କ ମୃତ୍ୟୁପରେ ଏ ଆଇନକୁ ଫେରାଇ ନେଲେ କିନ୍ତୁ କୃଷକମାନଙ୍କୁ ଏମଏସପିକୁ ଆଇନଗତ ମାନ୍ୟତା ଦେବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ କଲେ ନାହିଁ । ଭାରତ ବର୍ଷର ୧୯ କୋଟି କୃଷକ ୩୩ ଲକ୍ଷ ଟଙ୍କାର ଅଧିକ ଋଣକରି ଚାପରେ ଷଡ଼ୁଛନ୍ତି । ୫୫ ପ୍ରତିଶତ କୃଷକଙ୍କ ପରିବାର ଆଜି ଋଣଗ୍ରସ୍ତ । ୧୪.୪୩ କୋଟି ଭାଗଚାଷୀ ମାନେ ପିଏମ କିଷାନ ଯୋଜନାରୁ ଆଜି ବାଦ ପଡ଼ିଛନ୍ତି । ୨୦୨୨-୨୩ ମଧ୍ୟରେ ଦୁଇକୋଟି ୩୮ ଲକ୍ଷ କୃଷକ ଯୋଜନାର ବାଦ ପଡ଼ିଛନ୍ତି । ତୃତୀୟପାଳିର ପ୍ରଥମ ୧୦୦ ଦିନରେ ୨୫ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ଇବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରକୃତରେ ୧୩ଲକ୍ଷ ଚାଷୀଙ୍କୁ ଯୋଡ଼ିଛନ୍ତି । ମା ଗଙ୍ଗା ତାଙ୍କୁ ବନାରସକୁ ଭିଡ଼ି ଆଣିଛନ୍ତି ବୋଲି ଆଖିରୁ ମିଛ ଲୁହ ବୁହାଇ ଗଙ୍ଗା ପରିସ୍କାର କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ୧୧ ବର୍ଷ ମଧ୍ୟରେ ୫ କିଲୋମିଟର ଗଙ୍ଗା ଜଳକୁ ପରିଷ୍କାର କରାଯାଇପାରିନାହିଁ । ପେଟ୍ରୋଲ, ଡିଜେଲ ଓ ଜାଲେଣି ଗ୍ୟାସର ମୂଲ୍ୟ ବୃଦ୍ଧିର ପ୍ରତିବାଦ କରି ୨୦୧୩ ମସିହାରେ ଉପା ସରକାରକୁ ଖୋଦ ନରେନ୍ଦ୍ର ମୋଦି ଦୃଢ଼ ସମାଲୋଚନା କରୁଥିଲେ କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଆଜକୁ ୩୯ ମାସ ଧରି ପେଟ୍ରୋଲ ଓ ଡିଜେଲର ଦାମ କମିଲା ନାହିଁ ୧୦୦ କୁ ସବୁ ପାର ହୋଇଗଲା ।

କେନ୍ଦ୍ର ସରକାର ଏହି ୧୧ ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲରୁ ୩୮.୫୯ ଟ୍ରିଲିୟନ ଅର୍ଥ ରୋଜଗାର କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ମୋଦି ସରକାର ସମୟରେ କର୍ପୋରେଟ ଟ୍ୟାକ୍ସରୁ ଆୟ କମ କିନ୍ତୁ ଜିଏଷ୍ଟିରୁ ଆୟ ଅଧିକ କରୁଛନ୍ତି । ଏ ସରକାରଙ୍କ ସମୟରେ ଗରିବଙ୍କ ତଂଟିରୁ ବାଡ଼ି ପକାଇ କର ଆଦାୟ କରାଯାଉଛି । ନରେନ୍ଦ୍ର ମୋଦି ସରକାର ସମୟରେ ୧୬ଲକ୍ଷ ୩୫ ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ରାଇଟଅଫ କରାଯାଇଛି । ଏହି ଅନାଦେୟ ଋଣ ମଧ୍ୟରୁ ବଡ଼ ବଡ଼ ଶିଳ୍ପପତିମାନେ ୯ଲକ୍ଷ ୨୮ ହଜାର କୋଟି ଟଙ୍କା ଋଣ କରି ଦେଶ ଛାଡ଼ି ପଳାଇଛନ୍ତି । ଭାରତୀୟ ବ୍ୟାଙ୍କ ମାନଙ୍କୁ ଠକିଥିବା ଏହି ବଡ଼ ବ୍ୟବସାୟୀ ମାନଙ୍କୁ ଏପର୍ଯ୍ୟନ୍ତ ମୋଦି ସରକାର ଫେରାଇ ଆଣିପାରିଲେ ନାହିଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୦ଲକ୍ଷରୁ ଅଧିକ ପଦବୀ ଫାଙ୍କା ପଡ଼ିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏ ପଦବୀ ପୂରଣ କରାଯାଉ ନାହିଁ । ଏହା ଆମ ଯୁବଶକ୍ତିଙ୍କ ପାଇଁ ପ୍ରତାରଣାକି ନୁହେଁ? ଭାରତୀୟ ସୈନ୍ୟବାହିନୀର ସ୍ଥିତି ଆଜି ଅତ୍ୟନ୍ତ ସଂଗୀନ ୧ଲକ୍ଷ ୫୦ ହଜାରରୁ ଅଧିକ ବିଭିନ୍ନ ବର୍ଗର ପଦବୀ ଫାଙ୍କା ପଡ଼ିଥିଲେ ମଧ୍ୟ ବର୍ଷ ବର୍ଷ ଧରି ପୂରଣ କରାଯାଉନାହିଁ କାହିଁକି? ଆମ ସୈନ୍ୟବାହିନୀଙ୍କୁ ଜାଣିସୁଣି ଦୁର୍ବଳ କରିଦିଆଯାଉଛି । ସୈନ୍ୟବାହିନୀ ମାନେ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଲଢ଼ୁଥିବା ବେଳେ ତାଙ୍କର ଜାତି ଓ ଧର୍ମକୁ ନେଇ ମୋଦି ସରକାରର ମନ୍ତ୍ରୀ ଓ ନେତୃବୃନ୍ଦ କଟୁ ସମାଲୋଚନା କରୁଛନ୍ତି । ଏହା କଣ ଆମ ସୈନ୍ୟବାହିୀନଙ୍କ ପ୍ରତି ତାଙ୍କର ନିଷ୍ଠାକି ।

ବେଟି ପଢ଼ାଓ ବେଟି ବଚାଅ ର ନାରା ଦେଇଥିବା ମୋଦି ସରକାର ୧୧ ବର୍ଷ ମଧ୍ୟରେ ଭାରତ ବର୍ଷର ମହିଳାମାନେ ଅତ୍ୟନ୍ତ ନିର୍ଯ୍ୟାତିତ । ୨୦୧୪ ମସିହା ଉପାସରକାର ସମୟରେ ବିଭିନ୍ନ ସଂଗୀନ ଅପରାଧରେ ୨ଲକ୍ଷ ୨୬ ହଜାର ମାମଲା ଦାୟର ହୋଇଥିଲା ବେଳେ ୨୦୨୨ ମସିହା ସୁଦ୍ଧା ୪ଲକ୍ଷ ୪୫ ହଜାର ୨୫୬ ଧର୍ତ୍ତବ୍ୟ ଓ ସଂଗଠିତ ଅପରାଧ ମହିଳାମାନଙ୍କ କ୍ଷେତ୍ରରେ ଘଟିଛି । ମହିଳା ମାନଙ୍କ କ୍ଷେତ୍ରରେ ଅପରାଧ ଦୁଇଗୁଣାରୁ ଅଧିକ ହୋଇସାରିଛି । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଏହି ୧୧ ବର୍ଷ ଶାସନ ମଧ୍ୟରେ ମୋଦି ସରକାର ୭ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ଖୋଦ ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି । ଦ୍ୱାରକା ଏକ୍ସପ୍ରେସ ନୂଆ ରାସ୍ତା ତିଆରି କରିବା ଠାରୁ ଆରମ୍ଭ କରି ଦିଲ୍ଲୀ ଭାଦୋଦୋରା ନୂଆରାସ୍ତା ତିଆରିରେ ଲକ୍ଷ ଲକ୍ଷ କୋଟି ଟଙ୍କା ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଉଦ୍ୟୋଗକୁ ଭୁଲ ଭାବରେ ପରିଚାଳିତ କରିବା ହେତୁ ୧୬ ହଜାର କୋଟି ଟଙ୍କା କ୍ଷତି ଘଟିଛି । ଭାରତୀୟ ରେଳବିଭାଗ ୩୨ ହଜାର ୧୨ କୋଟି ଟଙ୍କା ୨୦୨୧-୨୨ ମଧ୍ୟରେ କୌଣସି କାରଣ ନଥାଇ ଖର୍ଚ୍ଚ କରିଛନ୍ତି ଏହା ହଡ଼ପ କରାଯାଇଛି । ସତ୍ୟ କ’ଣ ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ମନୋରଞ୍ଜନ ଦାଶ, ଅରୋବିନ୍ଦ ଦାସ, ସୁଦର୍ଶନ ଦାସ, ମନିଶା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking