25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶରାହୁଲଙ୍କ ବୈଠକରେ ଥରୁର ପୁଣି ଅନୁପସ୍ଥିତ

ରାହୁଲଙ୍କ ବୈଠକରେ ଥରୁର ପୁଣି ଅନୁପସ୍ଥିତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଆଉ ଏକ କାର୍ଯ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳର ଲୋକସଭା ସାଂସଦଙ୍କ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶଶି ଥରୁର ଅନୁପସ୍ଥିତ ରହିବା ଦେଖିବାକୁ ମିଳିଛି। ତେବେ ସେ ବୈଠକରେ ସାମିଲ ନହେବା ପଛର ବାସ୍ତବ କାରଣ ଜଣାପଡିନଥିଲେ ମଧ୍ୟ ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନାନୁସାରେ ବହୁ ପୂର୍ବରୁ ହିଁ ଥରୁରଙ୍କ ଏକ କାର୍ଯ୍ୟକ୍ରମ (କୋଲକାତାରେ ପ୍ରଭା ଖୈତାନ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ) ସ୍ଥିରିକୃତ ହୋଇଥିଲା ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଥିଲା। ସୁତରାଂ ଥରୁର ଆଜିର ସାଂସଦଙ୍କ ବୈଠକରେ ସାମିଲ ହେବା ଅପେକ୍ଷା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାର ପ୍ରାଥମିକତା ରହିଥିଲା। ତେବେ ଥରୁର ଏପ୍ରକାର ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗନଦେବା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର ଏପ୍ରକାର ଘଟଣା ଦେଖିବାକୁ ମିଳିଛି। ତେବେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥରୁରଙ୍କ ବାରମ୍ବାର ଅନୁପସ୍ଥିତି ଦଳ ଭିତରେ ପ୍ରଶ୍ନ ଉଠାଇଛି। ଯଦିଓ ଥରୁର ତାଙ୍କ ଅନୁପସ୍ଥିତି ବିଷୟରେ ନେତୃତ୍ୱକୁ ପୂର୍ବରୁ ଅବଗତ କରାଇଥିବା ଦାବି କରୁଛନ୍ତି।

କେରଳର ଥିରୁଅନନ୍ତପୁରମ ଲୋକସଭା କ୍ଷେତ୍ରରୁ ସାଂସଦ ଥିବା ଶଶି ଥରୁର, ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ ପରଠାରୁ ନିୟମିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା ଦେଖିବାକୁ ମିଳୁଛି, ଯାହାକି କଂଗ୍ରେସ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇପଡୁଛି। ଦଳର ଅନେକ ବରିଷ୍ଠ ସାଂସଦ ତଥା ନେତା ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ ଦଳ ପ୍ରତି ଥରୁରଙ୍କ ବିଶ୍ୱାସନୀୟତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି। ଏସବୁ ମଧ୍ୟରେ ଥରୁରୁ ଏପ୍ରକାର ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ନହେବା ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି। ସୂଚନାଯୋଗ୍ୟ ଥରୁର ଏହା ମଧ୍ୟରେ ଅନେକ ଥର ସ୍ପଷ୍ଟ କରିସାରିଛନ୍ତି ଯେ, ସେ କଂଗ୍ରେସରେ ପୂର୍ବରୁ ଥିଲେ, ଏବେ ବି ଅଛନ୍ତି ଏବଂ ଯଦି ଦଳ ଚାହେଁ ତେବେ ଆଗକୁ ମଧ୍ୟ ସେ ଦଳ ପାଇଁ କାମ କରିବା ଜାରି ରଖିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ କିଛି କହିବା ତାଙ୍କର ବ୍ୟକ୍ତିଗତ ଅଭିବ୍ୟକ୍ତି, ଏହାକୁ ନେଇ ଦଳରେ ବିବାଦ ହେବା ଉଚିତ୍ ନୁହେଁ। ଆଜିର ଏହି କଂଗ୍ରେସ ସାଂସଦଙ୍କ ବୈଠକରେ କେବଳ ଶଶି ଥରୁର ଏକାକୀ ଅନୁପସ୍ଥିତ ନ ଥିଲେ, ବରଂ ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ ମଧ୍ୟ ଅନୁପସ୍ଥିତ ରହିବା ଜଣାପଡ଼ିଛି। ପ୍ରକାଶ, ଥରୁର ଏହା ପୂର୍ବରୁ ତାଙ୍କ ଅସୁସ୍ଥ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ ଏସ୍‌ଆଇଆର୍ ପ୍ରସଙ୍ଗରେ ଦଳର ଆଭ୍ୟନ୍ତରୀଣ ଆଲୋଚନାକୁ ଏଡ଼ାଇ ଦେଇଥିଲେ। ଏସବୁ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟଭୋଜିରେ ଥରୁର ଏକମାତ୍ର କଂଗ୍ରେସ ନେତା ଭାବେ ସାମିଲ ହୋଇଥିଲେ ଯେତେବେଳେ କି ରାହୁଲ କିମ୍ବା ଖର୍ଗେଙ୍କ ଭଳି କଂଗ୍ରେସର ଆଗଧାଡିର ନେତାଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking