ଇସଲାମାବାଦ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ୍) ନାମକ ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିଜକୁ ଉତ୍ତରଦାୟୀ କରାଯାଇଥିଲା। ପରେ ଟିଆରଏଫ୍ ପଛରେ ଲସ୍କର ଏ ତୋଇବା ଭଳି କୁଖ୍ୟାତ ଆତଙ୍କବାଦୀ ସଂଗଠନର ହାତ ରହିଥିବା ସାମ୍ନାକୁ ଆସିଥିଲା। ଅର୍ଥାତ୍ ଲସ୍କର ନିଜର ଏକ ପ୍ରୋକ୍ସି (ଶାଖା) ଭାବେ ଟିଆରଏଫ୍କୁ ବ୍ୟବହାର କରିବା ପୂର୍ବକ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଏବଂ ମାଟିରେ ମିଶାଇଦିଆଯିବ ଭଳି ଧମକରେ ଟିଆରଏଫ୍ ଏବେ ଭୟଭୀତ ହୋଇପଡିଥିବା ପରି ପ୍ରତୀତ ହେଉଛି।
ରିପୋର୍ଟ ଅନୁସାରେ ପହଲଗାମ୍ ଘଟଣାରେ କୌଣସି ପ୍ରକାର ସମ୍ପୃକ୍ତିକୁ ଲସ୍କର ଅସ୍ୱୀକାର କରିଛି। ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀ ପହଲଗାମ ଆକ୍ରମଣକୁ ନିନ୍ଦା କରିବା ସହ ଏହି ଘଟଣାର ଦୋଷ ନେବାକୁ ମନା କରିଦେଇଛି। କସୁରୀ ଭାରତ ସରକାର ଏବଂ ଭାରତୀୟ ସେନା ଉପରେ ପାଲଟା ଅଭିଯୋଗ ଲଗାଇବାକୁ ହୀନ ଉଦ୍ୟମ କରିଥିବା ମଧ୍ୟ ଦେଖିବାକୁ ମିଳିଛି। କସୁରୀ କହିଛି ପହଲଗାମ ଘଟଣା ପାଇଁ ଭାରତ ସରକାର ଏବଂ ଭାରତୀୟ ଗଣମାଧ୍ୟମ କୌଣସି ପ୍ରମାଣ ବିନା ଆମକୁ ଏବଂ ପାକିସ୍ତାନକୁ ଦୋଷାରୋପ କରୁଛନ୍ତି। ଏହା ଭାରତର ଏକ ଷଡଯନ୍ତ୍ର। ଭାରତ ପାକିସ୍ତାନକୁ ଧ୍ୱଂସ କରିବାକୁ ଚାହୁଁଛି। ଭାରତ କାଶ୍ମୀରକୁ ୧୦ ଲକ୍ଷ ସୈନ୍ୟବଳ ପଠାଇ ଯୁଦ୍ଧର ପରିବେଶ ସୃଷ୍ଟି କରିଛନ୍ତି। ତେବେ କସୁରୀର ଏହି ବୟାନକୁ କ୍ଷତି ନିୟନ୍ତ୍ରଣର ଏକ ପ୍ରୟାସ ଭାବରେ ବିବେଚନା କରାଯାଉଛି, ଯାହାଦ୍ୱାରା ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ଅନ୍ତର୍ଜାତୀୟ ଚାପ ହ୍ରାସ କରାଯାଇପାରିବ। କସୁରୀ କହଛି ଯେ ଭାରତ ନିଜେ ପହଲଗାମରେ ଆକ୍ରମଣ କରିଛି। ଏହାର ଭାରତର ଏକ ବଡ଼ ଷଡ଼ଯନ୍ତ୍ର।
ଅନ୍ୟପକ୍ଷେ ଟିଆରଏଫ୍ ମଧ୍ୟ ଏକ ବିବୃତ୍ତି ଜାରି କରି ପହଲଗାମ ଆକ୍ରମଣରୁ ନିଜକୁ ଦୂରେଇ ରଖିଛି। ଏହି ଆତଙ୍କବାଦୀ ଗୋଷ୍ଠୀ ଏକ ପୋଷ୍ଟ ଜାରି କରି କହିଛି ଯେ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ପହଲଗାମ ଘଟଣାରେ କୌଣସି ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରୁଛି। ଆକ୍ରମଣ ପାଇଁ ଟିଆରଏଫ୍କୁ ଦାୟୀ କରିବା ଭୁଲ୍। ଏହି ଘଟଣାରେ ଟିଆରଏଫ୍ର ନାମ୍ ଆସିବା ପାଇଁ ସାଇବର ହ୍ୟାକିଂକୁ ଦାୟୀ କରାଯିବା ଉଚିତ୍। କାରଣ ପହଲଗାମରେ ଆକ୍ରମଣ ପରେ ଆମ ଡିଜିଟାଲ ପ୍ଲାଟଫର୍ମରୁ ଏକ ମିଥ୍ୟା ବାର୍ତ୍ତା ପୋଷ୍ଟ କରାଯାଇଥିବା ପରେ ଜାଣିବାକୁ ମିଳିଥିଲା। ଏହା କାଶ୍ମୀର ପ୍ରତିରୋଧକୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଅଭିଯାନର ଅଂଶ ତଥା ତରବରରେ ନିଆଯାଇଥିବା ଏକ ନିଷ୍ପତ୍ତି। ଟିଆରଏଫ୍ ଏବେ ଏହି ଭୁଲ୍ର ତଦନ୍ତ କରୁଛି। ତେବେ ସାଇବର ଆକ୍ରମଣ ପାଇଁ ଟିଆରଏଫ୍ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସନ୍ଦେହ କରୁଥିବା ଦର୍ଶାଇଛି।