ଶ୍ରୀନଗର: ସୋମବାର ଜମ୍ମୁ-କାଶ୍ମୀରର ଜମ୍ମୁ ଦରବାର ନିକଟରେ ଥିବା ସଞ୍ଜୱାନ୍ ସେନା ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଜଣେ ସେନା ଯବାନ୍ ଆହତ ମଧ୍ୟ ହୋଇଛନ୍ତି । ରିପୋର୍ଟ ଅନୁସାରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ସେଣ୍ଟ୍ରି ପୋଷ୍ଟ ପାଖରେ ଥିବା ଏହି ସେନା କ୍ୟାମ୍ପକୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ପାଖାପାଖି ୨୦୦ ମିଟର ଦୂରତାରୁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଗୁଳିମାଡ଼ କରିଥିଲେ ।
୩୬ ଇନ୍ଫାଣ୍ଟ୍ରି ବ୍ରିଗେଡ୍ ଏଠାରେ କ୍ୟାମ୍ପ୍ କରିଛନ୍ତି । ତେବେ ଏହାର ପାଲଟା ଯବାବରେ ସେନା ମଧ୍ୟ ଗୁଳିମାଡ କରିଛି । ତେବେ ସେନାର ପାଲଟା ଆକ୍ରମଣରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ସେସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚିରହିଥିବା ଅନୁମାନ କରାଯାଉଥିବା ବେଳେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରଖାଯାଇଛି । ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଅଗଷ୍ଟ ୩୧ ତାରିଖରେ ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିଲା । ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ।