ଚିତ୍ରଦୁର୍ଗ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ହିରିୟୁର ତାଲୁକ୍ ଠାରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨:୦୦ ଟାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ଜଣେ ଟ୍ରକ୍ ଡ୍ରାଇଭର ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୫ ବସ୍ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଟ୍ରକ୍ ଡ୍ରାଇଭରଜଣକ ଅନ୍ୟ ଏକ ଘଟଣାକ୍ରମେ ମୃତ୍ୟୁବରଣ କରିଛନ୍ତି। ତେବେ ୫ ମୃତ ବସ୍ଯାତ୍ରୀଙ୍କ ମଧ୍ୟରେ ଜଣେ ୫ ବର୍ଷୀୟ ଶିଶୁ କନ୍ୟା ସାମିଲ ଥିବା ଜଣାପଡିଛି। ମୃତକମାନେ ହେଲେ ବିନ୍ଦୁ ଭି, ତାଙ୍କ ଝିଅ ଗ୍ରେମା, ମନସା, ନଭ୍ୟା ଏବଂ ରଶ୍ମି ମହାଲେ। ସେମାନେ ସମସ୍ତେ ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଅଭିମୁଖେ ଯାଉଥିଲେ। ଦୁର୍ଘଟଣା ସମୟରେ ବସ୍ରେ ଥିବା ଯାତ୍ରୀମାନେ ଶୋଇଥିବାରୁ ଦୁର୍ଘଟଣା କିପରି ଘଟିଲା ଜାଣିପାରିନଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବସ୍ଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଫଳରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ହିରିୟୁର୍ ତାଲୁ୍କ୍ ଦେଇ ଯାଇଥିବା ବେଙ୍ଗାଲୁରୁ-ପୁଣେ ଜାତୀୟ ରାଜପଥ ନଂ ୪୮ରେ ଏହି ଦୁର୍ଘଟଣା ଘଟିଛି। ପୁଲିସ୍ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ପୂର୍ବକ ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଡ୍ରାଇଭରଜଣକ ଗାଡି ଚଲାଉଥିବାବେଳେ ଆଖି ଲାଗିଯିବାରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ, ଏସ୍ଡିଆରଏଫ୍ ଏବଂ ସ୍ଥାନୀୟ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଏକ ଘରୋଇ ସ୍ଲିପର କୋଚ୍ ବସ୍ଟି ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଯାଉଥିବା ବେଳେ ଏହାକୁ ସାମ୍ନା ପଟୁ ଆସୁଥିବା ଏକ ଲୋଡେଡ୍ କଣ୍ଟେନର ଟ୍ରକ୍ ମୁହାଁମୁହିଁ ଧକ୍କା ଦେଇଥିଲା। ଏହି ଟ୍ରକ୍ଟି ମହାରାଷ୍ଟ୍ରରୁ ବେଙ୍ଗାଲୁରୁ ନିକଟ ନେଲାମଙ୍ଗଳା ଅଭିମୁଖେ ଯାଉଥିବା ବେଳେ ଏଥିରେ ଏକ କମ୍ପାନୀର ମୃଦୁପାନୀୟ ପ୍ୟାକେଟ୍ ସବୁ ଲୋଡ୍ ଥିଲା। ବାସ୍ତବରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ଉପରୁ ଭାରସାମ୍ୟ ହରାଇବା ପରେ ନିଜ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଟ୍ରକ୍କୁ ଛାଡି ତଳକୁ ଡେଇଁପଡିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ତଳକୁ ଡେଇଁବା ସମୟରେ ରାସ୍ତାରେ ଥିବା ଏକ ସିମେଣ୍ଟ ନିର୍ମିତ ଡିଭାଇଡରରେ ପିଟି ହୋଇଯାଇଥିଲେ ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷେ ଟ୍ରକ୍କୁ ନିୟନ୍ତ୍ରଣ କରିବାକୁ କେହି ନଥିବାରୁ ଟ୍ରକ୍ଟି ସିଧାସଳଖ ଯାଇ ବସ୍କୁ ସାମ୍ନା ପଟୁ ଜୋରଦାର ଧକ୍କା ଦେଇଥିଲା। ଏଥିରେ ଜଣେ ୫ ବର୍ଷୀୟା ଶିଶୁକନ୍ୟା ସମେତ ୫ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ପ୍ରାୟ ୨୮ ଜଣ ଯାତ୍ରୀ ଆହତ ହୋଇଥିଲେ। ଅନ୍ୟପକ୍ଷେ ଧକ୍କା ହେବାର କିଛି କ୍ଷଣ ମଧ୍ୟରେ ହିଁ ବସ୍ଟିରେ ନିଆଁ ଲାଗିଯିବାରୁ ମୃତକମାନେ ବସ୍ ଭିତରେ ହିଁ ରହିଯାଇଥିଲେ ଏବଂ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେହିପରି ଆହତଙ୍କ ମଧ୍ୟରୁ କିଛି ଯାତ୍ରୀ କିଛି ମାତ୍ରାରେ ନିଆଁରେ ପୋଡି ହୋଇଯିବା ସତ୍ତ୍ୱେ ସୁରକ୍ଷିତ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିଲେ। ଯଦିଓ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏମାନଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି।
ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ୱିଟ୍ କରି ମୋଦୀ ଲେଖିଛନ୍ତି, “କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି। ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।” ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ରୁ ପ୍ରଦାନ କରାଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ସମେତ ଦେଶର ଅନେକ ବରିଷ୍ଠ ନେତା, ମନ୍ତ୍ରୀମାନେ ମଧ୍ୟ ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି।










