ପୁରୀ: ପୁରୀ ସମୁଦ୍ରରେ ସ୍ପିଡ ବୋଟ ଓଲଟିବା ଘଟଣାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ । ଅସ୍ଥାୟୀ ସ୍ପିଡ ବୋଟ ଅଫିସକୁ ହଟାଇଲା ପ୍ରଶାସନ । ଜେସିବି ମାଧ୍ୟମରେ ହଟାଇ ଦିଆଯାଇଛି । ସୂଚନାଥାଉ କି ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ । ବୋଟରେ ଥିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ସେହ୍ନାଶିଷ ଗାଙ୍ଗୁଲି, ଭାଉଜ ଅର୍ପିତା ଗାଙ୍ଗୁଲି । ତେବେ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ଗତ ଶନିବାର ସନ୍ଧ୍ୟା ସମୟରେ ପୁରୀ ଲାଇଟ୍ ହାଉସ୍ ନିକଟ ବେଳାଭୂମି ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ସ୍ପିଡ୍ ବୋଟରେ ପର୍ଯ୍ୟଟକଙ୍କୁ ବସାଇ ୱାଟର ସ୍ପୋର୍ଟସ ଆକ୍ଟିଭିଟି କରିବା ବେଳେ ସ୍ପିଡ୍ ବୋଟ୍ଟି ହଠାତ୍ ଓଲଟି ପଡିଥିଲା । ବୋଟରେ ଥିବା ପର୍ଯ୍ୟଟକ ବୋଟ୍ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ । ତେବେ ସେଠାରେ ଥିବା ଘରୋଇ ଲାଇଫ୍ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୋଟ୍ ତଳେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।










