21.1 C
Bhubaneswar
Thursday, February 5, 2026
Homeଓଡିଶାସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: : ପିଆଇବି ତତ୍ତ୍ୱାବଧାନରେ ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତର ତୃତୀୟ ଦିନରେ ଆଜି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ସଂସ୍ଥାନ(ସିଫା) ପରିଦର୍ଶନ କରିଛନ୍ତି। ସଂସ୍ଥାର ନିର୍ଦ୍ଦେଶକ ଡା. ପ୍ରମୋଦ କୁମାର ସାହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ସିଫାର ଲକ୍ଷ୍ୟ, ଗବେଷଣା କାର୍ଯ୍ୟକଳାପ ଓ ଦେଶର ମଧୁର ପାଣି ମାଛଚାଷ କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ସିଫାର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ରୋଗ ପ୍ରତିରୋଧକ ମାଛ ପ୍ରଜନନ, ଜେନେଟିକ୍ ଉନ୍ନତିକରଣ ଏବଂ ସ୍ଥାୟୀ ମତ୍ସ୍ୟ ଚାଷ ପ୍ରଣାଳୀ କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ସମ୍ପର୍କରେ ବିଶେଷ ସୂଚନା ପାଇଥିଲେ। ପରେ ସେମାନେ ଏକ ମାର୍ଗଦର୍ଶିତ କ୍ଷେତ୍ର ପରିଦର୍ଶନ କରି, ସମଗ୍ର ପ୍ରଜନନ ଏବଂ ପାଳନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ଅଭିଜ୍ଞତା ହାସଲ କରିଥିଲେ। ଏହା ସହ ଗଣମାଧ୍ୟମ ପ୍ରତିନିଧି ଦଳ ଅନୁଷ୍ଠାନର ବାୟୋଫ୍ଲୋକ୍ ୟୁନିଟ୍, ଅର୍ଣ୍ଣାମେଣ୍ଟାଲ୍ ଫିସ୍ ହ୍ୟାଚେରୀ କମ୍ପ୍ଲେକ୍ସ ଏବଂ ଏୟାର୍-ବ୍ରିଦିଂ ଫିସ୍ ହ୍ୟାଚେରୀ କମ୍ପ୍ଲେକ୍ସ ବୁଲି ଦେଖିଥିଲେ ।

ଅନୁଷ୍ଠାନର ବୈଜ୍ଞାନିକମାନେ ଆଧୁନିକ ହ୍ୟାଚେରୀ ପରିଚାଳନା, ସ୍ୱଳ୍ପ ଜଳ ବ୍ୟବହାରକାରୀ ଚାଷ ପ୍ରଣାଳୀ ଏବଂ ଜୀବିକା ଭିତ୍ତିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ବାୟୋଫ୍ଲୋକ୍ ପଦ୍ଧତି କିପରି ମାଛର ସ୍ୱାସ୍ଥ୍ୟ ରକ୍ଷା କରିବା ସହ ଖାଦ୍ୟ ଖର୍ଚ୍ଚ କମାଇବାରେ ଏବଂ ଚାଷୀଙ୍କ ଉତ୍ପାଦନ ବଢ଼ାଇବାରେ ସହାୟକ ହେଉଛି, ସେ ସମ୍ପର୍କରେ ପ୍ରତିନିଧିମାନଙ୍କୁ ବୁଝାଇଥିଲେ। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ଅଧୀନରେ କାର୍ଯ୍ୟରତ ସିଫା, କ୍ଷମତା ବିକାଶ, କ୍ଷେତ୍ର ପ୍ରଦର୍ଶନ ଓ ପ୍ରଯୁକ୍ତି ହସ୍ତାନ୍ତର ମାଧ୍ୟମରେ ସ୍ଥାୟୀ ମତ୍ସ୍ୟଚାଷ ପ୍ରଚାରରେ ଅଗ୍ରଣୀ ଭୂମିକା ନେଇ କୃଷକମାନଙ୍କ ଆୟ ବୃଦ୍ଧି ଏବଂ ପୋଷଣ ସୁରକ୍ଷାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ଏଫଜିବି ବିଭାଗ ମୁଖ୍ୟ ଡକ୍ଟର ଜେ. କେ. ସୁନ୍ଦରାୟ ଏବଂ ଏପିଇ ବିଭାଗ ମୁଖ୍ୟ ଡକ୍ଟର ପି. ସି. ଦାସ ସଫଳତାର ସହ ପରିଚାଳନା କରିଥିଲେ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ପିଆଇବି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଏବଂ ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଗଣମାଧ୍ୟମ ପ୍ରତିନିଧିମାନେ ସିଫାର ବୈଜ୍ଞାନିକ ପ୍ରୟାସକୁ ପ୍ରଶଂସା କରି ଏପରି କାର୍ଯ୍ୟକ୍ରମ ଗବେଷଣା ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଯୋଗ ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking