ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ବାଜିମାରିନେଲା ଇଂଲଣ୍ଡ। ଏହି ମ୍ୟାଚକୁ ଇଂଲଣ୍ଡ ୨୬ ରନ୍ରେ ଜିତିନେଇଛି। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ଫିଲଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟରେ ୧୭୧ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା। ଅଭିଷେକ ଶର୍ମା ୨୪ ରନ୍ କରିଥିବାବେଳେ ସୂର୍ୟ୍ୟକୁମାର ଯାଦବ ୧୪ ରନ୍ କରିଥିଲେ। ସେହିପରି ତିଲକ ବର୍ମା ୧୮ ରନ୍, ଅକ୍ଷର ପଟେଲ ୧୫ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି।