-ନ୍ୟୁଜିଲାଣ୍ଡର ଐତିହାସିକ ସିରିଜ୍ ବିଜୟ
– କାମ ଦେଲାନୀ କୋହଲିଙ୍କ ଶତକ
– ଡାରିଲ୍ ମିଚେଲ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ସିରିଜ୍
ଇନ୍ଦୋର: ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ ଆଜି ଇନ୍ଦୋରର ହୋଲକର୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪୧ ରନ୍ରେ ପରାଜିତ ହୋଇଛି। ଭାରତକୁ ବିଜୟ ପାଇଁ ୩୩୮ ରନ୍ର ଲକ୍ଷ୍ୟ ମିଳିଥିବା ବେଳେ ପୂରା ଟିମ୍ ୪୬ ଓଭର୍ରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ଚମତ୍କାର ୧୨୪ ରନ୍ କରିଥିଲେ ମଧ୍ୟ ତାଙ୍କ ଇନିଂସ୍ ଟିମ୍କୁ ବିଜୟୀ କରାଇପାରି ନଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ର ଦିନିକିଆ ସିରିଜ୍ ୨-୧ରେ ନିଜ ନାମରେ କରିଛି। ଏହା ଭାରତୀୟ ମାଟିରେ ନ୍ୟୁଜିଲାଣ୍ଡର ପ୍ରଥମ ଦିନିକିଆ ସିରିଜ୍ ବିଜୟ।
ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଟିମ୍ର ଆରମ୍ଭ ବହୁତ ଖରାପ ଥିଲା। ରୋହିତ ଶର୍ମା ୧୧ ରନ୍ର ବ୍ୟକ୍ତିଗତ ସ୍କୋର୍ରେ ଜକାରୀ ଫାଉଲ୍କେସଙ୍କ ଶିକାର ହୋଇଥିଲେ। ସେହିପରି କ୍ୟାପ୍ଟେନ୍ ଶୁଭମନ ଗିଲ୍ (୨୩)ଙ୍କୁ କାଇଲ୍ ଜେମିସନ୍ କ୍ଲିନ୍ ବୋଲ୍ଡ କରିଥିଲେ। ଏହାପରେ ଶ୍ରେୟସ୍ ଆୟର୍ ମାତ୍ର ୩ ରନ୍ କରି କ୍ରିଷ୍ଟିଆନ୍ କ୍ଲାର୍କଙ୍କ ଶିକାର ହୋଇଥିଲେ। ଗତ ମ୍ୟାଚ୍ର ଶତକବୀର କେଏଲ୍ ରାହୁଲ ଫ୍ଲପ୍ ହୋଇଥିଲେ। ସେ ମାତ୍ର ୧ ରନ୍ କରି ସ୍ପିନର୍ ଜେଡଢନ୍ ଲେନେକ୍ସଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ରାହୁଲଙ୍କ ଆଉଟ୍ ବେଳକୁ ଭାରତର ସ୍କାର୍ ୭୧/୪ ଥିଲା। ଏହାପରେ ବିରାଟ କୋହଲି ପଞ୍ଚମ ୱିକେଟ୍ ପାଇଁ ନୀତୀଶ ରେଡ୍ଡୀଙ୍କ ସହ ୮୮ ରନ୍ର ପାର୍ଟନରଶିପ୍ କରିଥିଲେ। ଏହି ଅବସରରେ କୋହଲି ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୫୧ ବଲ୍ରେ ଅର୍ଦ୍ଧଶତକ ପୂରା କରିଥିଲେ। ସେହିପରି ନୀତୀଶ ୫୨ ବଲ୍ରେ ନିଜ ଅର୍ଦ୍ଧଶତକ ମଧ୍ୟ ପୂରା କରିଥିଲେ। ତେବେ ଏହାପରେ ନୀତୀଶ ରେଡ୍ଡୀ ବେଶୀ ସମୟ ତିଷ୍ଠିପାରି ନଥିଲେ। ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୫୭ ବଲ୍ରୁ ୫୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କଠାରୁ ବଡ଼ ଇନିଂସ୍ର ଆଶା ଥିଲେ ମଧ୍ୟ ସେ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ କୋହଲି ଓ ହର୍ଷିତ ରାଣାଙ୍କ ମଧ୍ୟରେ ୭ମ ୱିକେଟ୍ ପାଇଁ ୯୯ ରନ୍ର ପାର୍ଟନରଶିପ୍ ହୋଇଥିଲା। ଏହି ପାର୍ଟନରଶିପ୍ ଅବସରରେ କୋହଲି ୯୧ ବଲ୍ରେ ୮ ଚୌକା ଓ ଦୁଇ ଛକା ସହାୟତାରେ ନିଜ ଶତକ ପୂରଣ କରିଥିଲେ। ଏହା କୋହଲିଙ୍କ ଦିନିକିଆ କ୍ୟାରିୟର୍ର ୫୪ତମ ଏବଂ ଓଭର୍ଅଲ୍ ୮୫ତମ ଅନ୍ତର୍ଜାତୀୟ ଶତକ। ହର୍ଷିତ ରାଣା ୪ ଚୌକା ଓ ୪ ଛକା ସହାୟତାରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ଏହାର ତୁରନ୍ତ ପରେ ଆଉଟ୍ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ବଲ୍ରେ ଭାରତ ମହମ୍ମଦ ସିରାଜ୍ଙ୍କ ୱିକେଟ୍ ହରାଇଥିଲା। କୋହଲି ମଧ୍ୟ ୧୨୪ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କର ୧୦୮ ବଲ୍ର ଇନିଂସ୍ରେ ୧୦ ଚୌକା ଓ ତିନି ଛକା ସାମିଲ ଥିଲା। କୁଲଦୀପ ଯାଦବଙ୍କ ରୂପରେ ଭାରତର ଅନ୍ତିମ ୱିକେଟ୍ର ପତନ ଘଟିଥିଲା। ସେ ମାତ୍ର ୫ ରନ୍ କରିଆଉଟ୍ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିଷ୍ଟିଆନ୍ କ୍ଲାର୍କ ଓ ଜକାରୀ ଫାଉଲ୍କେସ୍ ୩-୩ ୱିକେଟ୍ ଅକ୍ତିଆର କରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ ୮ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା। ତେବେ ଟିମ୍ ଆରମ୍ଭରୁ ୬ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା। ଓପ୍ନର୍ ହେନରୀ ନିକୋଲ୍ସ (୦)ଙ୍କୁ ଅର୍ଶଦୀପ୍ ସିଂହ ବୋଲ୍ଡ କରିଥିବା ବେଳେ ହର୍ଷିତ ଅନ୍ୟତମ ଓପ୍ନର୍ ଡେଭନ୍ କନ୍ୱେ (୫ ରନ୍)ଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ଏହାପରେ ଡାରିଲ୍ ମିଚେଲ୍ ଓ ୱିଲ୍ ୟଙ୍ଗ୍ ୫୩ ରନ୍ର ପାର୍ଟନରଶିପ୍ କରିଥିଲେ। ୟଙ୍ଗ୍ (୩୦)ଙ୍କୁ ଆଉଟ୍ କରି ହର୍ଷିତ ରାଣା ଏହି ପାର୍ଟନରଶିପ୍ ଭାଙ୍ଗିଥିଲେ। ଏହାପରେ ମିଚେଲ୍ ଚତୁର୍ଥ ୱିକେଟ୍ ପାଇଁ ଗ୍ଲେନ୍ ଫିଲିପ୍ସଙ୍କ ସହ ମିଶି ୨୧୯ ରନ୍ର ପାର୍ଟନରଶିପ୍ କରିଥିଲେ। ମିଚେଲ୍ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୭ ବଲ୍ରେ ଶତକ ପୂରଣ କରିଥିଲେ। ଏହା ତାଙ୍କର ଲଗାତାର ଦ୍ୱିତୀୟ ଦିନିକିଆ ଶତକ ଥିଲା। ଏହା ପୂର୍ବରୁ ରାଜକୋଟ ଦିନିକିଆରେ ମଧ୍ୟ ଅପରାଜିତ ୧୩୧ ରନ୍ କରିଥିଲେ। ସେହିପରି ଫିଲିପ୍ସ ମଧ୍ୟ ୮୩ ବଲ୍ରେ ୮ ଚୌକା ଓ ତିନି ଛକା ଦମ୍ରେ ଶତକ ହାସଲ କରିଥିଲେ। ଗ୍ଲେନ୍ ଫିଲିପ୍ସଙ୍କୁ ଆଉଟ୍ କରି ଅର୍ଶଦୀପ୍ ସିଂହ ଏହି ଯୋଡ଼ି ଭାଙ୍ଗିଥିଲେ। ଫିଲିପ୍ସ ୯ ଚୌକା ଓ ତିନି ଛକା ସହାୟତାରେ ୮୮ ବଲ୍ରୁ ୧୦୬ ରନ୍ କରିଥିଲେ। ପରେ ଡାରିଲ୍ ମିଚେଲ୍ଙ୍କୁ ସିରାଜ୍ ଆଉଟ୍ କରିଥିଲେ। ମିଚେଲ୍ ୧୫ ଚୌକା ଓ ତିନି ଛକା ସହାୟତାରେ ୧୩୧ ବଲ୍ରୁ ୧୩୭ ରନ୍ କରି ବିଦାୟ ନେଇଥିଲେ। ଏହାପରେ ମିଚେଲ୍ ହେ (୨), ଜକାରୀ ଫାଉଲ୍କେସ୍ (), କ୍ରିଷ୍ଟିଆନ୍ କ୍ଲାର୍କ (୧୧)ଙ୍କୁ ଯଥାକ୍ରମେ ସିରାଜ୍, ଅର୍ଶଦୀପ୍ ଏବଂ ହର୍ଷିତ ରାଣା ପ୍ୟାଭିଲିୟନ୍ ଫେରାଇଥିଲେ। କ୍ୟାପ୍ଟେନ୍ ମାଇକେଲ୍ ବ୍ରେସ୍ୱେଲ୍ (ଅପରାଜିତ ୨୮ ରନ୍) କେତେକ ବଡ଼ ଶଟ୍ ଖେଳି ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର୍ରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ୍ ଓ ହର୍ଷିତ ୩-୩ ୱିକେଟ୍ ନେଇଥିବା ବେଳେ ସିରାଜ୍ ଓ କୁଲଦୀପ୍ଙ୍କୁ ୧-୧ ସଫଳତା ମିଳିଥିଲା।










