ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଘଟଣାର ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଆଜି ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ଆବଶ୍ୟକ ଶିକ୍ଷକ ଦାବି କରି କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ,ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ସିଆର୍ସିସି ଓ ଶିକ୍ଷକମାନଙ୍କୁ ଶ୍ରେଣୀ ଗୃହରେ ତାଲା ପକାଇ ଦେଇଛନ୍ତି। ସ୍କୁଲ ବାରଣ୍ଡାରେ ସ୍କୁଲ ଛାତ୍ରଛାତ୍ରୀ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ଧାରଣା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି। ଏହି ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି।
ଯାହାଫଳରେ ପାଠାପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୯ଟି ଶ୍ରେଣୀରେ ୩୫୦ଜଣ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ମାତ୍ର ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି। ଜଣେ ସିଆର୍ସିସି ଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। କିନ୍ତୁ ପ୍ରଧାନଶିକ୍ଷକ ସ୍କୁଲର ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ୯ଟି ଶ୍ରେଣୀକୁ ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପଢାଇବା କଷ୍ଟକର ହୋଇପଡିଛି। ପ୍ର୍ରଧାନଶିକ୍ଷକକୁ ଛାଡି ୩ଜଣ ଶିକ୍ଷକ ୩ଟି ଶ୍ରେଣୀରେ ପାଠ ପଢାଉ ଥିବାବେଳେ ବାକି ୬ଟି ଶ୍ରେଣୀର ପିଲାମାନେ ପାଠ ପଢା ଛାଡି ଖେଳରେ ବ୍ୟସ୍ତ ରହୁଛନ୍ତି ।
ଏହି ବିଷୟରେ ପ୍ରଧାନଶିକ୍ଷକ ଅଜୟ କୁମାର ସାହୁ ଓ କଖାରୁଣୀ ଗ୍ରାମବାସୀ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ। ଏହାର ପ୍ରତିବାଦରେ ଗତକାଲି କଖାରୁଣୀ ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହିତ ସ୍କୁଲରୁ ମିଳିଥିବା ଡ୍ରେସକୁ ଫେରାଇ ଦେଇଥିଲେ। ଆଜି ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲର ଶ୍ରେଣୀ ଗୃହ ମଧ୍ୟରେ ସିଆର୍ସିସି ଅରବିନ୍ଦ ବଳ, ପ୍ରଧାନଶିକ୍ଷକ ଅଜୟ କୁମାର ସାହୁ ଓ ଅନ୍ୟ ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଦେଇଥିଲେ। ଏହା ପରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ, ଅଭିଭାବକ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ପରିଡା ଉପସଭାପତି ସୁଶୀଳା ପ୍ରଧାନ ଓ ପରିଚାଳନା କମିଟି ସଦସ୍ୟା ମାନସୀ ମଳିକ ରେବତୀ ପ୍ରଧାନ ଓ କଳ୍ପନା ମଳିକ ପ୍ରମୁଖ ଧାରଣା ଦେଇ ଅବିଳମ୍ବେ ଶିକ୍ଷକ ନିଯୁକ୍ତି ପାଇଁ ଅଡ଼ି ବସି ଥିଲେ। ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା କରି ଦୁଇଜଣ ଶିକ୍ଷକଙ୍କ ନିଯୁକ୍ତି ପତ୍ର ପଠାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।










