ଭୁବନେଶ୍ୱର: କାଳବୈଶାଖୀ ଯୋଗୁ ରାଜ୍ୟରେ କିଛି ଦିନ ତାତି କମ୍ ରହିଥିଲା। ତେବେ ଏବେ ପୁଣି ରାଜ୍ୟକୁ ଧୀରେ ଧୀରେ ତାତି ଫେରିଛି । ଗତ ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୨ରୁ ୩ ଡିଗ୍ରି ବଢ଼ିଛି । ଗୁରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରି ଛୁଇଁବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମେ’ ୧୨ ସୋମବାର ତାରିଖ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝାଞ୍ଜି ବହିବାର ସମ୍ଭବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ଅଧିକ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ଏବଂ ଆର୍ଦ୍ର ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।