ଚେନ୍ନାଇ: ଶୁକ୍ରବାର ତାମିଲନାଡୁ ଏସ୍ଆଇଆର୍ ପ୍ର୍ରକ୍ରିୟାର ୨ଟି ତାଲିକା ( ଡ୍ରାଫ୍ଟ ଭୋଟର ତାଲିକା ଏବଂ ବାଦ୍ ପଡିଥିବା ଭୋଟରଙ୍କ ତାଲିକା)କୁ ସାର୍ବଜନୀନ କରାଯାଇଛି। ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପରେ ଡ୍ରାଫ୍ଟ ଭୋଟର ତାଲିକାରେ ବର୍ତ୍ତମାନ ୫,୪୩,୭୬,୭୫୫ ଭୋଟର ଅଛନ୍ତି, ଯେଉଁଥିରେ ୨.୬୬ କୋଟି ମହିଳା ଏବଂ ୨.୭୭ କୋଟି ପୁରୁଷ ଅଛନ୍ତି। ସେହିପରି ରାଜ୍ୟର ମୋଟ୍ ୯୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର (୯୭,୩୭,୮୩୨ ଜଣ)ଙ୍କ ନାମକୁ ପ୍ରାରମ୍ଭିକ ପର୍ଯ୍ୟାୟ ଅନ୍ତର୍ଗତ ବାଦ୍ ଦିଆଯାଇଛି। ଏସ୍ଆଇଆର୍ ପୂର୍ବରୁ ରାଜ୍ୟରେ ପ୍ରାୟ ୬.୪୧ କୋଟି ପଞ୍ଜିକୃତ ଭୋଟର ଥିଲେ। ସବୁଠୁ ବଡ଼କଥା ହେଉଛି ଯେଉଁ ୯୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାମକୁ ବାଦ୍ ଦିଆଯାଇଛି ସେମାନଙ୍କ ମଧ୍ୟରୁ କେବଳ ୧୪.୨୫ ଲକ୍ଷ ଭୋଟର ଚେନ୍ନାଇରୁ ଅଛନ୍ତି।
ପଟ୍ଟନାୟକଙ୍କ କହିବାନୁସାରେ ବାଦ୍ ଦିଆଯାଇଥିବା ଭୋଟରଙ୍କ ମଧ୍ୟରେ ୨୬.୯୪ ଲକ୍ଷ ମୃତ୍ୟୁବରଣ କରିଥିବା ଭୋଟର, ୬୬.୪୪ ଲକ୍ଷ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ କିମ୍ବା ସ୍ଥାନାନ୍ତରିତ ହୋଇଥିବା ଭୋଟର ଏବଂ ୩,୩୯,୨୭୮ ଡୁପ୍ଲିକେଟ୍ ଭୋଟର (ଗୋଟିଏରୁ ଅଧିକ ସ୍ଥାନରେ ପଞ୍ଜିକୃତ) ରହିଥିବା ଏସ୍ଆଇଆର୍ ପ୍ରକ୍ରିୟାରୁ ଜଣାପଡିଥିଲା। ସେହିପରି ପ୍ରବାସୀ ଭାବରେ ଚିହ୍ନିତ ହୋଇଥିବା ଲୋକଙ୍କ ମଧ୍ୟରୁ, ୬୬,୪୪,୮୮୧ ଜଣ ବ୍ୟକ୍ତି ସେମାନଙ୍କ ପଞ୍ଜିକୃତ ଠିକଣାରେ ରହୁ ନଥିବା ଜଣାପଡିଛି। ପ୍ରକାଶ ତାମିଲନାଡୁରେ ସମ୍ପ୍ରତି ଡିଏମ୍କେ କ୍ଷମତାସୀନ ରହିଥିବା ବେଳେ ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତୀବ୍ର ବିରୋଧ କରିଥିଲେ। ଏପରିକି ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରାଯାଇଥିଲା ଯାହାକି ଏବେ ବିଚାରାଧୀନ ରହିଛି।
ଗୁଜରାଟରେ କଟିଛି ୭୩.୭ ଲକ୍ଷ ଭୋଟରଙ୍କ ନାମ
ଗୁଜରାଟ ଏସ୍ଆଇଆର୍ର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୩.୭ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡିଛି। ତେବେ ଏହି ସଂଖ୍ୟା ଗଣନା ପ୍ରକ୍ରିୟା ସମୟରେ ବାଦ ପଡ଼ିଥିବା ଭୋଟର ସଂଖ୍ୟା ତୁଳନାରେ ଅଧିକ ରହିଛି। ସୁତରାଂ ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁଜରାଟ ନିର୍ବାଚନ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗୁଜରାଟର ମୋଟ ଭୋଟରଙ୍କ ମଧ୍ୟରୁ ୮୫.୫% ଭୋଟର ସେମାନଙ୍କର ଗଣନା ଫର୍ମ ବା ଇଏଫ୍ ଦାଖଲ କରିଥିଲେ। ବାକି ୧୪.୫% ଭୋଟର ଅର୍ଥାତ୍ ୭୩.୭ ଲକ୍ଷ ଭୋଟର ସେମାନଙ୍କ ଗଣନା ଫର୍ମା ଦାଖଲ କରିନଥିବାରୁ ସେମାନଙ୍କ ନାମ ବାଦ ପଡ଼ିଛି। ଏମାନଙ୍କ ମଧ୍ୟରୁ, ୫୧.୮୬ ଲକ୍ଷ ଭୋଟର (୧୦.୨୦%)ଙ୍କୁ ‘ସ୍ଥାନାନ୍ତରିତ’ କିମ୍ବା ‘ଅନୁପସ୍ଥିତ’ ଭାବରେ ଚିହ୍ନିତ କରାଯାଇଥିଲା, ୧୮.୦୭ ଲକ୍ଷ (୩.୫୫ ପ୍ରତିଶତ)ଙ୍କୁ ‘ମୃତ’ ଭାବରେ ରେକର୍ଡ କରାଯାଇଥିଲା, ଏବଂ ୩.୮୧ ଲକ୍ଷ ଭୋଟର (୦.୭୫% ) ଭୋଟର ତାଲିକାରେ ବିଭିନ୍ନ ସ୍ଥାନରେ ନାମ ଲେଖାଯାଇଥିବା ଦେଖାଯାଇଥିଲା। ନିର୍ବାଚନ କମିଶନ କହିଛନ୍ତି ଯେ ଦାବି ଏବଂ ଆପତ୍ତି ଅବଧି ମଧ୍ୟରେ ବାଦ୍ ପଡ଼ିଥିବା ପ୍ରକୃତ ଭୋଟରମାନଙ୍କୁ ପୁନଃ ଅନ୍ତର୍ଭୁକ୍ତ କରାଯାଇପାରିବ, ଯଦି ସେମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରନ୍ତି। ସପ୍ତାହର ଆରମ୍ଭରେ ପଶ୍ଚିମବଙ୍ଗ ଏସ୍ଆଇଆରର ପ୍ରଥମ ତାଲିକା ମଧ୍ୟ ପ୍ରକାଶିତ ହୋଇଥିଲା। ମୋଟ ୫୮ ଲକ୍ଷ ନାମ ବାଦ ଦିଆଯାଇଥିଲା। ଅନ୍ୟପକ୍ଷେ ନିର୍ବାଚନ କମିଶନ ପୂର୍ବରୁ ଉତ୍ତର ପ୍ରଦେଶ ଏବଂ କେରଳ ସମେତ ୭ଟି ରାଜ୍ୟ ପାଇଁ ତାରିଖ ବୃଦ୍ଧି କରିସାରିଛନ୍ତି।










