26.1 C
Bhubaneswar
Sunday, July 6, 2025
Homeଓଡିଶାଶ୍ରମଜୀବୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ତ୍ଵରିତ ପଦକ୍ଷେପ ନେବା ଶ୍ରମ ଅଧିକାରୀମାନଙ୍କ ପ୍ରମୁଖ ଦାୟିତ୍ଵ :...

ଶ୍ରମଜୀବୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ତ୍ଵରିତ ପଦକ୍ଷେପ ନେବା ଶ୍ରମ ଅଧିକାରୀମାନଙ୍କ ପ୍ରମୁଖ ଦାୟିତ୍ଵ : ମନ୍ତ୍ରୀ

ଭୁବନେଶ୍ବର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଏସଆଇଆରଡିସ୍ଥିତ ସମ୍ମିଳନୀ କକ୍ଷରେ ଶ୍ରମ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଆଜି ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ଯେ ଆମ ରାଜ୍ୟ ତଥା ଦେଶର ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିନ୍ନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ଶ୍ରମ କାର୍ଯ୍ୟାଳୟକୁ ଆସୁ ନ ଥିବା ଓ ନୀତିନିୟମ ଜାଣୁ ନ ଥିବା ଶ୍ରମିକମାନଙ୍କ ମୌଳିକ ସମସ୍ୟାର ଆଶୁ ସମାଧାନ, ବଞ୍ଚିତ ଶ୍ରମଜୀବୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ତ୍ଵରିତ ପଦକ୍ଷେପ ନେବା ଶ୍ରମ ଅଧିକାରୀମାନଙ୍କ ପ୍ରମୁଖ ଦାୟିତ୍ଵ । ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ପଞ୍ଜିକରଣ ପ୍ରକ୍ରିୟା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହାକୁ ଶ୍ରମ ଅଧିକାରୀମାନେ ନିଷ୍ଠାର ସହିତ ଅନୁପାଳନ କରିବା ଜରୁରୀ । ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀମାନେ ପ୍ରକୃତ ନିର୍ମାଣ ଶ୍ରମିକମାନଙ୍କୁ ଚିହ୍ନଟ କରି ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜିକୃତ କରି ସେଠାରେ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରିବା ଏବଂ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକାର ସହାୟତା ରାଶି ଯୋଗାଇଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀ ସମସ୍ତ ଶ୍ରମ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପ ସଂସ୍ଥା ତଥା ବାଣିଜ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକାର୍ପିତ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ ଆପ୍‌’ର ଉପଯୋଗ କରି ନିର୍ମାଣ ଶ୍ରମିକ ଭାଇଭଉଣୀମାନେ ଯେକୌଣସି ସ୍ଥାନରୁ ଏହି ବୋର୍ଡର ସମସ୍ତ ସେବା ସୁବିଧାରେ ପାଇପାରୁଛନ୍ତି । ଏଥି ସହିତ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଜନଶୁଣାଣି ପୋର୍ଟାଲରେ ଶ୍ରମିକ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ଶ୍ରମ ଅଧିକାରୀମାନେ ଗୁରୁତ୍ୱାରୋପ କରିବାକୁ ଶ୍ରମମନ୍ତ୍ରୀ ପରାମର୍ଶ ଦେଇଥିଲେ । ଚଳିତ ୨୦୨୫ ଏପ୍ରିଲ ପହିଲାରୁ ଜୁନ୍‌ ୨୩ ତାରିଖ ମଧ୍ୟରେ ରାଜ୍ୟରେ ୨୮୬ଟି ଅଭିଯୋଗ ୨ ମାସରୁ ଅଧିକ ସମୟ ଧରି ପଡ଼ି ରହିଥିବା ବିଷୟରେ ଅବଗତ ହୋଇ ଅଧିକାରୀମାନଙ୍କୁ ତୁରନ୍ତ ଏଗୁଡ଼ିକର ସମାଧାନ କରିବା ପାଇଁ ସେ କହିଥିଲେ । ଆଗାମୀ ଭବିଷ୍ୟତ ପାଇଁ ଶ୍ରମିକ କଲ୍ୟାଣର ରୋଡ଼ମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରମ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍‌ ଯୋଗ ଦେଇ କହିଲେ ଯେ, ଶ୍ରମ ଅଧିକାରୀମାନେ କାର୍ଯ୍ୟାଳୟରେ ନ ବସି ବାସ୍ତବ କ୍ଷେତ୍ରକୁ ଯିବା ଓ ଶ୍ରମିକମାନଙ୍କର ସର୍ବାଧିକ କାର୍ଯ୍ୟସ୍ଥଳୀ ରେଜିଷ୍ଟ୍ରେଶନ କରାଇବା ଜରୁରୀ । ବିଭାଗର କାର୍ଯ୍ୟକୁ ତୃଣମୂଳ ସ୍ତରରେ ଆଗେଇନେବା ଓ ବାସ୍ତବ କ୍ଷେତ୍ରରେ ବରିଷ୍ଠ ଶ୍ରମ ଅଧିକାରୀମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ବ୍ଲକରେ ସହକାରୀ ଶ୍ରମ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରମ ପ୍ରଶାସନକୁ ଲୋକାଭିମୁଖୀ କରିବାପାଇଁ ପ୍ରତ୍ୟେକ ବ୍ଲକରେ ଶ୍ରମ ଅଧିକାରୀଙ୍କ ପାଇଁ କାର୍ଯ୍ୟାଳୟ ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରିବାର ଯୋଜନା କରାଯାଉଛି । ଏହା ଦ୍ୱାରା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ଆଶୁ ସମାଧାନ ବ୍ଲକ ସ୍ତରରେ ହୋଇପାରିବ । ଶ୍ରମ ବିଭାଗର ବିଭିନ୍ନ ଆଇନ, ନୀତି ଓ ନିୟମ ସମ୍ବନ୍ଧରେ ସେମାନେ ଅବଗତ ହେବା ସହ ଶ୍ରମିକମାନଙ୍କ ମଧ୍ୟରେ ସମସ୍ତ ସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ଆର୍ଥିକ ସହାୟତା ସମ୍ବନ୍ଧୀୟ ବ୍ୟାପକ ଜାଗରୁକତା ଉଦ୍ରେକ କରାଇବା ବାଞ୍ଛନୀୟ ।

ସ୍ଵାଗତ ଭାଷଣ ଦେଇ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହିଲେ ଯେ ଶ୍ରମ ଅଧିକାରୀମାନେ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଭାଇଭଉଣୀମାନଙ୍କୁ ସାମାଜିକ ତଥା ଆଇନଗତ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । ପରିଶ୍ରମ ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ଶିକ୍ଷା ସହାୟତା, ବିବାହ ସହାୟତା, ମାତୃତ୍ୱକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ଆଦି ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସେମାନେ ତ୍ଵରିତ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ମଧୁମିତା ନାୟକ, ଅତିରିକ୍ତ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ, ଅତିରିକ୍ତ ସଚିବ ଶ୍ରୀ ନୀତି ରଞ୍ଜନ ସେନ ପ୍ରମୁଖ ଉପସ୍ଥିତ ରହି ବହୁ ଉପାଦେୟ ପ୍ରସ୍ତାବ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ୨୦୨୫-୨୬ରେ (୨୨ ଜୁନ୍‌ ୨୦୨୫ ସୁଦ୍ଧା) ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ଶ୍ରମ ଅଧିକାରୀମାନଙ୍କ ଦ୍ୱାରା ୧ ଲକ୍ଷ ୨୨ ହଜାର ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ୧୨୬ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଛି । ୧୪୦ କୋଟି ୮୬ ଲକ୍ଷ ଟଙ୍କା ସେସ୍‌ ଆଦାୟ କରାଯାଇପାରିଛି । ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ବରଗଡ଼, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୁଳ, ମାଲକାନଗିରି ଜିଲ୍ଲା ଶ୍ରମିକ ପଞ୍ଜୀକରଣରେ ବେଶ୍‌ ଅଗ୍ରଗତି କରିପାରିଛନ୍ତି । ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ବଣ୍ଟନ କ୍ଷେତ୍ରରେ ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କଟକ, ନୂଆପଡ଼ା ଓ ମୟୁରଭଞ୍ଜ ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।

ଓଡ଼ିଶା ଅଣ-ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଶ୍ରମ ଅଧିକାରୀମାନେ ତ୍ରୈମାସିକ ଏକ ଲକ୍ଷ ଅଣ-ସଂଗଠିତ ଶ୍ରମିକ ପଞ୍ଜୀକରଣ ଓ ବାର୍ଷିକ ୪ ଲକ୍ଷ ଅଣ-ସଂଗଠିତ ଶ୍ରମିକ ପଞ୍ଜୀକରଣ କରିବେ । ପ୍ରତି ମାସରେ ପ୍ରତ୍ୟେକ ସହକାରୀ ଶ୍ରମ ଅଧିକାରୀ ଅନ୍ୟୁନ ୧୦୦ ଜଣ ଅଣ-ସଂଗଠିତ ଶ୍ରମିକଙ୍କୁ ରେଜିଷ୍ଟ୍ରିଭୁକ୍ତ କରାଇବେ । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ କାର୍ଯ୍ୟସ୍ଥଳୀରେ ରେଜିଷ୍ଟ୍ରେସନ ଅଭିଯାନ ଆୟୋଜନ କରାଯିବ । ୨୦୨୫ ଜୁଲାଇ ୩୧ ସୁଦ୍ଧା ବାକିଥିବା ସମସ୍ତ ରେଜିଷ୍ଟ୍ରେସନ ଓ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟ ସମାପ୍ତ ହେବ । ଏକମାସରୁ ଅଧିକ ସମୟ ଧରି କୌଣସି ଆବେଦନ ପଡ଼ିରହିବ ନାହିଁ ବୋଲି ସମୀକ୍ଷା ବୈଠକରେ ସ୍ଥିର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking