22.1 C
Bhubaneswar
Monday, December 2, 2024
Homeଦେଶ ବିଦେଶପୁଣି ଅଶାନ୍ତ ସିରିଆ; ଅଲେପ୍ପୋ ସହରକୁ କବଜା କଲେ ବିଦ୍ରୋହୀ ! ୩୦୦ରୁ ଊର୍ଦ୍ଧ୍ୱ ମୃତ

ପୁଣି ଅଶାନ୍ତ ସିରିଆ; ଅଲେପ୍ପୋ ସହରକୁ କବଜା କଲେ ବିଦ୍ରୋହୀ ! ୩୦୦ରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ପୁଣି ଅଶାନ୍ତ ହୋଇପଡ଼ିଛି ସିରିଆ । ରାଷ୍ଟ୍ରପତି ବଶର୍ ଅଲ-ଅସଦଙ୍କ ପାଇଁ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି । ଗୋଟିଏ ଦିନ ମଧ୍ୟରେ ଦେଶର ଦ୍ୱିତୀୟ ବୃହତ୍ତମ ସହର ଅଲେପ୍ପୋର ଅଧିକାଂଶ ଭାଗକୁ କବଜା କରି ନେଇଛନ୍ତି ବିଦ୍ରୋହୀ । ଏଠାରୁ ପଳାୟନ କରିଛନ୍ତି ସିରିଆ ସେନା। ବିଦ୍ରୋହୀ ଗୋଷ୍ଠୀ ବିମାନବନ୍ଦର ସମେତ ସମସ୍ତ ମାର୍ଗ ଏବଂ ଜରୁରୀ ସୁବିଧାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଏହି ସଂଘର୍ଷରେ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏହାରି ମଧ୍ୟରେ ସିରିଆ ସରକାରଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଛି ରୁଷ୍ । ରୁଷର ବାୟୁସେନା ଅଲେପ୍ପୋର ବିଦ୍ରୋହୀଙ୍କ ଠିକଣା ଉପରେ ବୋମାମାଡ଼ କରିଛି । ଇଦଲିବରେ ଏକ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରି କରାଯାଇଥିବା ବୋମା ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ସିରିଆର ନାଗରିକ ସୁରକ୍ଷା ଏଜେନ୍ସି କହିଛି ଯେ ସରକାର ହମା ପ୍ରଦେଶ ନିକଟ ତଥା ଅଲେପ୍ପୋଠାରୁ ୬୫ କିଲୋମିଟର ଦକ୍ଷିଣ-ପୂର୍ବରେ ବିଦ୍ରୋହୀଙ୍କ କବଜାରେ ଥିବା ଇଦଲିବ ଗଡ଼ ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଏଥିରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ଆହତ ହୋଇଛନ୍ତି । ବ୍ରିଟେନସ୍ଥିତ ସିରିୟାନ ଅବଜର୍ଭେଟରୀ ଫର୍ ହ୍ୟୁମାନ ରାଇଟ୍ସ ଅନୁସାରେ, ଏ ପର୍ଯ୍ୟନ୍ତ ୩୭୧ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ଜଣ ସାଧାରଣ ନାଗରିକ । ସେପଟେ ସିରିଆର ସରକାରୀ ଚ୍ୟାନେଲ ବିନା ପ୍ରମାଣରେ ଦାବି କରିଛି ଯେ ଗତ ୩ ଦିନ ମଧ୍ୟରେ ସେନା ପ୍ରାୟ ୧୦୦୦ ବିଦ୍ରୋହୀଙ୍କୁ ନିପାତ କରିଛି । କହି ରଖୁଛୁ, ବିଦ୍ରୋହୀ ଗୋଷ୍ଠୀ ‘ହୟାତ୍ ତହରୀର୍ ଅଲ-ଶାମ ଏବଂ ଏହାର ସହଯୋଗୀମାନେ ନଭେମ୍ବର ୨୭ରେ ଅଲେପ୍ପୋ ସହର ଉପରେ ହଠାତ୍ ଆକ୍ରମଣ କରିଥିଲେ । ଏମାନଙ୍କୁ ଅଲକାଏଦାର ସମର୍ଥନ ମିଳିଛି । ୨୦୧୬ରେ ଗୃହଯୁଦ୍ଧ ସମୟରେ ସିରିଆ ସେନା ବିଦ୍ରୋହୀମାନଙ୍କୁ ତଡ଼ି ଦେଇଥିଲା । ୮ ବର୍ଷ ପରେ ପୁଣିଥରେ ବିଦ୍ରୋହୀ ଗୋଷ୍ଠୀ ଅଲେପ୍ପୋକୁ କବଜା କରିଛନ୍ତି । ସିରିଆ ସରକାର ଅଲେପ୍ପୋ ବିମାନବନ୍ଦର, ହସ୍ପିଟାଲ ଏବଂ ସହରର ସମସ୍ତ ସଡ଼କକୁ ଶନିବାର ବନ୍ଦ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking